ବସିଲା ହାଇକୋର୍ଟର ଫୁଲବେଂଚ: ଅଦାଲତ ଅବମାନନା ମାମଲାରେ ସବୁ ବାର ଆସୋସିଏସନକୁ ନୋଟିସ; ୨୧ରେ ପରବର୍ତ୍ତୀ ଶୁଣାଣୀ

ସେପଟେ ବିଚାରପତି ନିଯୁକ୍ତି ପ୍ରସଙ୍ଗ ନେଇ ହାଇକୋର୍ଟର ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

273

କନକ ବ୍ୟୁରୋ: ବସିଛି ହାଇକୋର୍ଟର ଫୁଲ ବେଂଚ । ମୁଖ୍ୟ ବିଚାରପତିଙ୍କ ସହିତ ତେର ଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ ବେଂଚ ବସି ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରିଛନ୍ତି । ହାଇକୋର୍ଟ ବାର ଆସୋସିଏସନ ସମେତ ସମସ୍ତ ବାର ଆସୋସିଏସନକୁ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ ତାରିଖରେ ହେବ । ଆଇନ ସଚିବ ଓ ଗୃହ ସଚିବଙ୍କୁ ବି ନୋଟିସ ଜାରି ହୋଇଛି । ହାଇକୋର୍ଟ ଫୁଲ ବେଂଚ ବସିବା ଘଟଣା ନିକଟ ଅତୀତରେ କେବେ ହୋଇନଥିଲା । ଅଦାଲତ ଅବମାନନା ମାମଲା ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର ହୋଇଥିଲା । ଏଥିରେ ରାଜ୍ୟ ସରକାର ବି ପକ୍ଷଭୁକ୍ତ ଥିଲେ ।

ସେପଟେ ବିଚାରପତି ନିଯୁକ୍ତି ପ୍ରସଙ୍ଗ ନେଇ ହାଇକୋର୍ଟର ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବୁଧବାର ଯାଏଁ କୋର୍ଟ ବର୍ଜନ ଜାରି ରହିବ ବୋଲି ହାଇକୋର୍ଟ ବାର ଆସୋସିଏସନ କହିଛି । ୧୬ ତାରିଖରେ ଏ ନେଇ ଆଇନଜୀବୀମାନେ ପରବର୍ତୀ ନିଷ୍ପତି ନେବେ । ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟ କଲେଜିୟମ ଓ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତିକୁ ଆଇନଜୀବୀମାନେ ବିରୋଧ କରୁଛନ୍ତି । ଏଭଳି ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ସେମାନେ ଦାବି କରିଛନ୍ତି । ଏହାସହିତ ନ୍ୟାସନାଲ ଜୁଡିସିଆଲ ଆପଏଂଟମେଂଟ କମିଶନ (ଏନଜେଏସି) ମାଧ୍ୟମରେ ବିଚାରପତି ନିଯୁକ୍ତି ପାଇଁ ମତ ପ୍ରକାଶ ପାଇଛି ।