ଆମେରିକା – ନର୍ଥ କୋରିଆ ଯୁଦ୍ଧ ସଙ୍କଟ ! ଗୁଆମ୍ ଦ୍ୱୀପ ଉପରେ କେତେବେଳେ ବି ହୋଇପାରେ ଆକ୍ରମଣ

69

କନକ ବ୍ୟୁରୋ : ଆମେରିକା – ନର୍ଥ କୋରିଆ ଯୁଦ୍ଧ ସଙ୍କଟ ବଢ଼ିବାରେ ଲାଗିଛି । ଗୁଆମ ଉପରେ ଆକ୍ରମଣର ବିସ୍ତୃତ ଯୋଜନା ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍ ଉନଙ୍କୁ ଅବଗତ କରାଯାଇଥିବା ନର୍ଥ କୋରିଆର ସରକାରୀ ଗଣମାଧ୍ୟମ କେସିଏନଏ ଆଜି ପ୍ରକାଶ କରିଛି । କେବେ ମଧ୍ୟ କୋରିଆ ଗୁଆମ୍ ଉପରେ ଆକ୍ରମଣ କରିବାର କହିଛନ୍ତି ସାମରିକ ବିଶେଷଜ୍ଞ । ନର୍ଥ କୋରିଆ ସରକାରୀ ଗଣମାଧ୍ୟମ କେସିଏନ୍ଏ ପ୍ରକାଶିତ କରିଛି ଫଟୋ । ଯେଉଁଥିରେ ଶାସକ କିମ୍ ଜଙ୍ଗ୍ ଉନଙ୍କୁ ଅବଗତ କରାଯାଉଛି ଗୁଆମ୍ ଉପରେ ଆକ୍ରମଣ ଯୋଜନାର । କୋରିଆ ଷ୍ଟ୍ରାଟେଜିକ୍ ଫୋର୍ସର ମିସାଇଲ ଆକ୍ରମଣ ରଣନୀତିର ସ୍ଥିତି ସମୀକ୍ଷା କରୁଛନ୍ତି କିମ୍ ଜଙ୍ଗ୍ ।

ନର୍ଥ କୋରିଆର ପୂର୍ବ ତଟରୁ ମିସାଇଲ୍ ଛଡ଼ାଯିବା ପରେ ଜାପାନ ସୀମା ଦେଇ ଏହା ଗୁଆମକୁ ଭେଦ କରିବାର କୁହାଯାଉଛି । କୋରିଆ ଉପଦ୍ୱୀପରେ ଉତେଜନା ଲାଗିରହିଥିବା ବେଳେ ନର୍ଥ କୋରିଆର ଆକ୍ରମଣ ପ୍ରସ୍ତୁତି ଚିନ୍ତା ବଢ଼ାଇଛି ସାରା ବିଶ୍ୱର । କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫାୟାର ଆଣ୍ଡ ଫ୍ୟୁରି ଅର୍ଥାତ ଆକ୍ରମଣ ଏହାର ପ୍ରକୋପର କଥା କହି ଧମକ ଦେଇଥିଲେ ନର୍ଥ କୋରିଆକୁ । ଏବେ କୋରିଆ ସେଂଟ୍ରାଲ ନ୍ୟୁଜ୍ ଏଜେନ୍ସି ଆକ୍ରମଣ ପ୍ରସ୍ତୁତିର ଏହି ଫଟୋ ପ୍ରକାଶିତ କରି ଉତେଜନାକୁ ପୁଣିଥରେ ବଢ଼ାଇ ଦେଇଛି ।

ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ନର୍ଥ କୋରିଆ ପୂର୍ବ ତଟରେ ଥିବା ସିନପୋ ଘାଟିରୁ ଉତକ୍ଷେପଣ କରିବ ୪ଟି ଆନ୍ତଃ ମହାଦେଶୀୟ କ୍ଷେପଣାସ୍ତ୍ର । ମିସାଇଲଗୁଡ଼ିକ ଜାପାନର ସିମାନେ, ହିରୋସିମା ଓ କୋଇଚି ଆକାଶ ସୀମା ଦେଇ ଗୁଆମକୁ ଭେଦ କରିବେ । ୧ ହଜାର ୬୫ ସେକେଣ୍ଡ ମଧ୍ୟରେ ମିସାଇଲ ଗୁଡ଼ିକ ୩୩୫୬ କିଲୋମିଟର ଅତିକ୍ରମ କରି ଗୁଆମ୍ ଦ୍ୱୀପର ୪୦ ବର୍ଗ କିଲୋମିଟର ଅଂଚଳକୁ ଟାର୍ଗେଟ୍ କରିବେ । ଆମେରିକା ନିକଟରେ ବର୍ତମାନ ରହିଛି ଅତ୍ୟାଧୁନିକ ଥାଡ୍ ଆଂଟି ମିସାଇଲ ସିଷ୍ଟମ ଯାହା ଶତ୍ରୁ ପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଆକାଶରେ ଖଣ୍ଡ ଖଣ୍ଡ କରି ପାରିବ । ଜଳଭାଗରୁ ଆକାଶକୁ ଉତକ୍ଷେପଣ କରି ଶତ୍ରୁ ମିସାଇଲକୁ ଧ୍ୱଂସ କରିପାରୁଥିବା ଏଜିସ୍ ଆଂଟି ମିସାଇଲ ସିଷ୍ଟମ ମଧ୍ୟ ଆମେରିକାର ଏକ ବଡ଼ ଶକ୍ତି ।

ଏହା ବ୍ୟତୀତ ଯେ କୌଣସି ଦେଶର ଆନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିସାଇଲକୁ ଆକାଶରେ ରୋକିବାର କ୍ଷମତା ଅଛି ସୁପର୍ ପାୱାର୍ ଆମେରିକା ନିକଟରେ । ସ୍ଥଳଭାଗରୁ ଆକାଶରେ ଶତ୍ରୁ ମିସାଇଲକୁ ଧ୍ୱଂସ କରିପାରୁଥିବା ଆମେରିକୀୟ ଇଂଟରସେପ୍ଟର କୋରିଆକୁ ଜବାବ ଦେବାର ପ୍ରମୁଖ ସାଧନ ହେବାର ମଧ୍ୟ ଅନୁମାନ କରାଯାଉଛି । ସେହିପରି ଆମେରିକା ନିକଟରେ ୪୪୮୦ଟି ପରମାଣୁ ଅସ୍ତ୍ର ଥିବାବେଳେ ନର୍ଥ କୋରିଆର ପରମାଣୁ ଅସ୍ତ୍ର ସଂଖ୍ୟା ମାତ୍ର ୧୦ରେ ହିଁ ସୀମିତ । ଏଥିରୁ ସହଜରେ କୁହାଯାଇପାରେ ନର୍ଥ କୋରିଆ ଯୁଦ୍ଧ କଲେ କଣ ହେବ ସ୍ଥିତି । ତେବେ ପରିଣାମକୁ ଖାତିର ନ କରି କୋରିଆ ଜାରି ରଖିଛି ଯୁଦ୍ଧଖୋର ନୀତି । ଯାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ଆଗକୁ ।