ନୀଳଗିରିରେ ପୋଲିସ ବାବୁଙ୍କ ଦାଦାଗିରି : ଟଙ୍କା ନ ପାଇବାରୁ ଶବ ବ୍ୟବଚ୍ଛେଦକୁ ନା’ ଘଟଣା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଭେଟିଲେ ପରିବାର ଲୋକ

45

କନକ ବ୍ୟୁରୋ : ପୋଲିସ ବିଭାଗର ଅଧିକାରୀଙ୍କୁ ନେଇ ଉଠିଛି ପ୍ରଶ୍ନ । ଲଗାତାର ୩ ଦିନ ହେଲାଣି ରାଜ୍ୟର କେଉଁଠାରୁ ନା କେଉଁଠାରୁ ପୋଲିସ ବାବୁଙ୍କ ନାମରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ହୋଇଆସୁଛି । ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ନୀଳଗିରି ନରଣପୁର ଗ୍ରାମର ଶରତ ନାମକ ଜଣେ ବ୍ୟକ୍ତି ନିଜ ବିଲକୁ କୈାଣସି କାମରେ ଯାଇଥିଲେ । ତେବେ ସେଠାରେ ସେ ପଡିଯାଇଥିଲେ । ଘଟଣା ସମ୍ପର୍କରେ ଖବରପାଇ ପରିବାର ଲୋକମାନେ ଶରତ ପଡିରହିଥିବା ବିଲ ପାଖକୁ ଯାଇଥିଲେ । ପରେ ସ୍ଥାନୀୟ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସରକାରୀ ନିୟମ ଅନୁସାରେ ଶରତଙ୍କ ଶବ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତର କହିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକ ଶବ ବ୍ୟବଚ୍ଛେଦ କରାଇବା ପାଇଁ ନେଇଥିଲେ ମଧ୍ୟ ତାହା ହୋଇ ପାରିନାହିଁ ।

 

ତେବେ ବ୍ୟବଚ୍ଛେଦ କରିବା ପାଇଁ ସ୍ଥାନୀୟ ପୋଲିସ ଏଏସଆଇ ଶରତ କୁମାର ଧଳ ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ । ଶରତଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବା କାରଣରୁ ସେମାନେ ଟଙ୍କା ଦେଇପାରିନଥିଲେ । ତେଣୁ ଦୀର୍ଘ ୧୦ ଘଣ୍ଟା ଧରି ଶରତଙ୍କ ମୃତ ଦେହ ପଡିରହିଛି । ପରିବାର ଲୋକ ଉପାୟ ଶୂନ୍ୟ ହୋଇ ସେଠାକାର ଉପଜିଲ୍ଲାପାଳଙ୍କୁ ଭେଟିବା ସହ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ମେଡିକାଲର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି । ସଠିକ ସମୟରେ ଶବର ସଂସ୍କାର ହୋଇ ପାରିନଥିବାରୁ ପୁଣିଥରେ ଶବକୁ ଅସମ୍ମାନ ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେବେ ବାରମ୍ବାର ଏପରି ଭାବରେ ପୋଲିସ ବାବୁମାନେ ବିପଦରେ ପଡିଥିବା ଲୋକମାନଙ୍କୁ ଟଙ୍କା ମାଗୁଛନ୍ତି । ଗତ ଗୁରୁବାର ଦିନ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ସାମୁଦ୍ରିକ ଥାନାର ଏସଆଇ ଜଣେ ବ୍ୟକ୍ତିଙ୍କଠାରୁ ହଜାର ଟଙ୍କା ଲାଞ୍ଚ ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।