ଝିଅମାନେ ସାଜିଲେ ପ୍ରେରଣା : ୪୦ ବର୍ଷ ପରେ ରାଜସ୍ତାନର ବିଜେପି ବିଧାୟକ ପୁଣି ଥରେ ଆରମ୍ଭ କଲେ ପାଠପଢ଼ା

36

୪୦ ବର୍ଷ ପରେ ପୁଣି ଥରେ ପାଠପଢ଼ା ଆରମ୍ଭ କଲେ ରାଜସ୍ତାନର ଜଣେ ବିଜେପି ବିଧାୟକ । ସେ ଅନୁଭବ କଲେ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ମହତ୍ୱ ଦେଇ ଭାଷଣ ଦେବା ଯେତିକି ଗୁରୁତ୍ୱପୂର୍ଣ୍ଣ ନିଜେ ଶିକ୍ଷିତି ହେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ତେଣୁ ଶିକ୍ଷାର ଗୁରୁତ୍ୱକୁ ଅନୁଭବ କରି ସେ ପୁଣି ଥରେ ପାଠପଢ଼ା ଆରମ୍ଭ କରିଛନ୍ତି । କାରଣ ତାଙ୍କୁ ଅଧାରୁ ପାଠ ଛାଡ଼ିବା ପାଇଁ ପଡ଼ିଥିଲା, ଯଦ୍ୱାରା ସେ ପାଠପଢ଼ା ଶେଷ କରିପାରୁନଥିଲେ ।

ରାଜସ୍ତାନe ଭାରତୀୟ ଜନତା ପାର୍ଟି(ବିଜେପି)ର ଜଣେ ବିଧାୟକ ୪୦ ବର୍ଷ ପରେ ପୁଣି ପାଠ ପଢ଼ିବାକୁ ସ୍କୁଲ୍‌କୁ ଯାଇଥିବା ଘଟଣା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉଦୟପୁରର ଗ୍ରାମାଞ୍ଚଳ ବିଧାୟକ ଫୁଲ୍‌ ସିଂହ ମିନା(୫୫)ଙ୍କ ବାପା ଭାରତୀୟ ସେନାରେ ଥିଲେ । ସେ ସହିଦ ହୋଇଯିବା ପରେ ଫୁଲ୍‌ ସିଂହ ମିନା ସପ୍ତମ ଶ୍ରେଣୀରୁ ନିଜ ପାଠ ପଢ଼ା ଛାଡ଼ି ପରିବାର ପୋଷିବା ପାଇଁ ଯାଇ କ୍ଷେତରେ କାମ କରିଥିଲେ। ବଡ଼ ହେବା ପରେ ରାଜନୀତିରେ ପ୍ରବେଶ କଲେ । ମାତ୍ର ଅଧୁରା ପାଠପଢ଼ାକୁ ଆଉ ପୂରା କରିବାର ସମୟ ପାଇଲେ ନାହିଁ ।

ଫୁଲ୍‌ ସିଂହ କହନ୍ତି, ‘ମୋ ଝିଅମାନେ ସବୁବେଳେ ମୋତେ ପାଠ ପୁଣି ଥରେ ପାଠ ପଢ଼ିବାକୁ କହନ୍ତି। ମାତ୍ର ମୋର ବୟସ ହେତୁ ମୁଁ ସେଥିରେ ମନ ଦିଏ ନାହିଁ । ସେମାନେ କହନ୍ତି କି ମୁଁ ବହୁ ବଡ଼ ବଡ଼ ନେତା ଓ ଅଧିକାରୀଙ୍କ ସହ ମିଳାମିଶା କରୁଛି । ତେଣୁ ମୋର ଶିକ୍ଷାଗତ ଯୋଗ୍ୟତା ସେମାନଙ୍କ ସମକକ୍ଷ ହେବା ଜରୁରୀ। ମୋତେ ବି ଧୀରେ ଧୀରେ ମୋ ୫ ଝିଅଙ୍କ କଥା ଠିକ୍‌ ଲାଗିଲା । ମୁଁ ପରବର୍ତ୍ତୀ ସମୟରେ ଗୋଟାଏ ପରେ ଗୋଟାଏ ଶ୍ରେଣୀ ପଢ଼ିଚାଲିଲି ।’

ଫୁଲ୍‌ ସିଂହ ମିନା ଏବର୍ଷ ଯୁକ୍ତ ତିନି ପ୍ରଥମ ବର୍ଷ ପରୀକ୍ଷା ଦେଉଛନ୍ତି । ଆଉ ୨ ବର୍ଷ ପରେ ସେ ଜଣେ ଗ୍ରାଜୁଏଟ୍‌ ବନିଯିବେ ।  ନିଜ ବାପାଙ୍କ ସଂପର୍କରେ ତାଙ୍କ ମଧ୍ୟମ ଝିଅ କହନ୍ତି, ‘ମୋ ବାପା ପାଠ ପଢ଼ାକୁ ନେଇ ଖୁବ୍‌ ସଚେତନ । ଯେଉଁଭଳି ଭାବେ ସେ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ତାଙ୍କ ପାଇଁ ଆମେ ବେଶ୍‌ ଗର୍ବିତ ।’