ନବୀନଙ୍କ ଫେସବୁକ୍ ଏକାଉଂଟକୁ ନେଇ ସସପେନ୍ସ : ଲାଇକ୍ ନକରି ଫଲୋଅର୍ସରେ ଆସୁଛି ନାଁ

24

ସୋସିଆଲ ନେଟୱାର୍କିଂ ସାଇଟ୍ ଫେସବୁକରେ ଆସିଲେ ନବୀନ । ୩ ମେ’ରେ ତିଆରି ହେଲା ପେଜ୍, ଆଉ ଦୁଇ ଦିନ ଭିତରେ ପାଖାପାଖି ୫୦ ହଜାର ୟୁଜର ନବୀନଙ୍କ ପେଜକୁ ଲାଇକ କଲେଣି । ଚାରି ଚାରି ଥରର ମୁଖ୍ୟମନ୍ତ୍ରୀ ନବୀନଙ୍କ ଲୋକପ୍ରିୟତାକୁ ଦେଖିଲେ ସଂଖ୍ୟା ସେତେ ଅଧିକ ନୁହେଁ । ହେଲେ ଅଭିଯୋଗ ଆସିଛି ଯେ, ଫେସବୁକରେ ଏହି ଲୋକପ୍ରିୟତାକୁ ହାସଲ କରିବାକୁ ହୋଇଛି ଟାମ୍ପରିଂ । ବିରୋଧୀ କଂଗ୍ରେସ ଓ ବିଜେପିର ନେତା ଅଭିଯୋଗ କରିଛନ୍ତି, ସେମାନେ ନବୀନଙ୍କ ଫେସବୁକ ପେଜକୁ ଲାଇକ୍ କରିନାହାନ୍ତି । ହେଲେ ସେମାନଙ୍କ ନାଁ ଏହି ତାଲିକାରେ ଦର୍ଶାଉଛି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ତେବେ ଫେସବୁକରେ ନବୀନଙ୍କ ଲୋକପ୍ରିୟତାକୁ ବଢାଇବାକୁ ହୋଇଛି କି ଟାମ୍ପରିଂ? ଏହି ଦ୍ୱନ୍ଦ୍ୱକୁ ଆହୁରି ବଢାଇଛନ୍ତି ପାରାଦୀପର ଜଣେ ଯୁବକ । ଅଭିଯୋଗ ଅନୁସାରେ, ସେ ନବୀନଙ୍କ ନାଁରେ ଆଗରୁ ଫେସବୁକ ପେଜ ତିଆରି କରିଥିଲେ । ଯେଉଁଥିରେ ପାଖାପାଖି ୪୧ ହଜାରରୁ ଅଧିକ ୟୁଜର ଏହି ପେଜକୁ ଲାଇକ କରିଥିଲେ । ଆଉ ସେହି ଫେସବୁକ ପେଜକୁ ଟାମ୍ପରିଂ କରି ନବୀନଙ୍କ ଅଫିସିଆଲ ଫେସବୁକ ପେଜ ଖୋଲାଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ଏପରିକି ତାଙ୍କ ପେଜକୁ ଲାଇକ କରିଥିବା ୟୁଜରଙ୍କ ସହ ନବୀନଙ୍କ ପେଜକୁ ଲାଇକ କରୁଥିବା ୟୁଜରଙ୍କ ତାଲିକା ମେଳ ଖାଉଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଫେସବୁକକୁ ଆସି ସାରିଥିବା ବେଳେ ଏବେ ଆସିଛନ୍ତି ନବୀନ । ହେଲେ ଏହା ସହ କିନ୍ତୁ ଯୋଡି ହୋଇଛି ବିବାଦ । ତେବେ ଲୋକପ୍ରିୟତାକୁ ଦେଖିଲେ ଏତେ ସଂଖ୍ୟାରେ ଲାଇକ ପାଇବା ନବୀନଙ୍କ ପାଇଁ ଅସମ୍ଭବ ବ୍ୟାପାର ହୋଇନଥିବା ବେଳେ ବିରୋଧୀଙ୍କ ଅଭିଯୋଗ କିନ୍ତୁ ପୂରା ପ୍ରସଙ୍ଗକୁ ଭିନ୍ନ ମୋଡ ଦେଇଛି ।