ମଂଚରେ ବସିଲେ ନାହିଁ ନବୀନ – ଧର୍ମେନ୍ଦ୍ର ! କେନ୍ଦ୍ରୀୟ କାର୍ଯ୍ୟକ୍ରମକୁ ବଏକଟ୍ କଲା ବିଜେଡି

42

କନକ ବ୍ୟୁରୋ : ଆଜି ରାୟଗଡ଼ାରେ ଉଦଘାଟିତ ହୋଇଛି ରାଜ୍ୟର ପ୍ରଥମ ମେଗା ଫୁଡ୍ ପାର୍କ । କେନ୍ଦ୍ରମନ୍ତ୍ରୀ ହରସିମରତ କୌର୍ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହା ଉଦଘାଟିତ ହୋଇଛି । ରାୟଗଡ଼ା ଅଂଚଳର ପ୍ରାୟ ୨୫ ହଜାର ଚାଷୀ ଏଥିରୁ ଉପକୃତ ହେବେ ।

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଫୁଡ ପାର୍କ ଉଦଘାଟନ ସିନା ହେଲା, ହେଲେ ସେଇଠୁ ହିଁ ଆରମ୍ଭ ହୋଇଗଲା ଆରୋପ ପ୍ରତ୍ୟୋରୋପର ରାଜନୀତି । ଶାସକ ବିଜେଡି ଏବଂ ନିଜକୁ ରାଜ୍ୟର ୨ ନମ୍ବର ଦାବି କରୁଥିବା ବିଜେପି, ଫୁଡ୍ ପାର୍କକୁ ନେଇ ଆରମ୍ଭ କରିଦେଲେ ରାଜନୀତି । ବିଜେଡି ଅଭିଯୋଗ କରିଛି- ବିଜେପି ସଂଘୀୟ ବ୍ୟବସ୍ଥାକୁ ଉଲଂଘନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର । ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ନିଆଯାଇନଥିବା ବି କହିଛନ୍ତି । ଯାହାର ଜବାବରେ ବିଜେପି ଦେଖାଇଛି ନିମନ୍ତ୍ରଣ ପତ୍ରର ନକଲ । ମୁଖ୍ୟମନ୍ତ୍ରୀ ବିକାଶ କଥା ଚିନ୍ତା କରିବା ବଦଳରେ ରାଜନୀତି କରୁଥିବା କହିଛି ବିଜେପି ।

ତେବେ ବିଜେଡି-ବିଜେପିର ଏହି ରାଜନୀତି ଭିତରେ ଉଦଘାଟିତ ହୋଇଛି ମେଗା ଫୁଡ୍ ପାର୍କ । ଯେଉଁଥିରେ ସିଧାସଳଖ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବା ବେଳେ ୨୫ ହଜାର ଚାଷୀ ଉପକୃତ ହେବେ । ଯାହାର ଟର୍ଣ୍ଣ ଓଭର ରହିବ ପ୍ରାୟ ୫ଶହ କୋଟି ।

ଏହି ଫୁଡ ପାର୍କରୁ ସ୍ଥାନୀୟ ଚାଷୀ ଲାଭବାନ ହେବାକୁ ଥିବା ବେଳେ କିଏ କେତେ ରାଜନୈତିକ ଫାଇଦା ନେଇପାରିବ, ବୋଧହୁଏ ସେଇଥିରେ ସୀମିତ ରହିଯାଉଛି ବିଜେଡି-ବିଜେପି ରାଜନୀତି ।