ନବୀନଙ୍କ ଶ୍ରମିକ କାର୍ଡ ! ମାଳ ମାଳ ଯୋଜନା ଆଣିଲେ ମୁଖ୍ୟମନ୍ତ୍ରୀ

92

କନକ ବ୍ୟୁରୋ : ଆଜି ଶ୍ରମ ଦିବସରେ ନବୀନ ଖେଳିଛନ୍ତି ଶ୍ରମିକ କାର୍ଡ । ମାଳ ମାଳ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୮ ଲକ୍ଷ ଶ୍ରମିକ ପରିବାର ପାଇଁ ଘୋଷଣା ହୋଇଛି ପ୍ୟାକେଜ । ଏଥିସହ ନବୀନ ଓଡିଶାକୁ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ଭାବେ ପ୍ରତିଷ୍ଠିତ କରାଇବେ ବୋଲି ଘୋଷଣା କରିଛନ୍ତି । ତେବେ ନବୀନଙ୍କ ଏହି ଯୋଜନା ସବୁ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ଦୀର୍ଘ ୧୭ ବର୍ଷର ନବୀନ ଶାସନ ଭିତରେ ଯେଉଁ ଶ୍ରମିକମାନେ ଅବହେଳିତ ହୋଇଥିଲେ, ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଗଠନ ହେଲା ବିଜେଡି ଶ୍ରମିକ ସାମୁକ୍ଷ୍ୟ । ତାହା ପୁଣି ଠିକ୍ ଶ୍ରମିକ ଦିବସ ପୂର୍ବରୁ । ଆଉ ଶ୍ରମିକ ଦିବସରେ ସରକାର ଆଣିଛନ୍ତି ମାଳ ମାଳ ଯୋଜନା ।

୧୩୪ କୋଟିର ଖସଡ଼ା
-ଶ୍ରମିକ ଚାଲାଣ ରୋକିବା ଏବଂ ଥଇଥାନ ପାଇଁ ଯୋଜନା

ନିର୍ମାଣ ଶ୍ରମିକ ଆବାସ-
-୨୧ଟି ସହରରେ ୧୭ଶହ ଶର୍ଯ୍ୟାର ଦେୟଯୁକ୍ତ ଆବାସ ସ୍ଥଳୀ

ପ୍ରବାସୀ ଶ୍ରମିକ ସହାୟତା କେନ୍ଦ୍ର
-ଓଡ଼ିଶା ବାହାରେ ରହୁଥିବା ଶ୍ରମିକ ପାଇଁ ସହାୟତା କେନ୍ଦ୍ର

କର୍ମଜୀବୀ ମହିଳା ନିବାସ
-ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କ ନିବାସ ବ୍ୟବସ୍ଥା

ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା
-ରାଜ୍ୟର ୬ଟି ଜିଲ୍ଲାରେ ହେବ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପର ସଂପ୍ରସାରଣ

ଏମିତି ମାଳ ମାଳ ଯୋଜନା ଜରିଆରେ ୧୮ ଲକ୍ଷ ୪୫ ହଜାର ପଂଜିକୃତ ଶ୍ରମିକଙ୍କ ପରିବାରକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି ନବୀନ । ଯାହା ଶ୍ରମିକ ଶ୍ରେଣୀର ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ବିଜେଡିର ଏକ ମାଷ୍ଟର ପ୍ଳାନ୍ ।

ଶ୍ରମିକ ଦିବସରେ ଶ୍ରମିକଙ୍କ କଥା ମନେ ପକାଉଥିବା ବିଜେଡି ସରକାରଙ୍କ ସତରେ କ’ଣ ଆନ୍ତରିକତା ରହିଛି? ନା’ ଭୋଟ୍ ବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ ଲେବର କାର୍ଡ ଖେଳୁଛନ୍ତି ନବୀନ । ଶ୍ରମିକ ନେତାମାନେ ନବୀନଙ୍କ ଏହି ଯୋଜନାକୁ ସହଜରେ ହଜମ୍ କରିପାରୁନଥିବା ବେଳେ ବିରୋଧୀ ବି ବିଜେଡିର ସରକାରର ଏହି ଯୋଜନା ସବୁ ସନ୍ଦେହ ଚକ୍ଷ୍ୟୁରେ ଦେଖିଛି ।

ଓଡ଼ିଶାରେ ସବୁଠାରୁ ବଡ ସମସ୍ୟା ହେଉଛି, କାମ ନ ପାଇଁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି ହଜାର ହଜାର ଶ୍ରମିକ । କିନ୍ତୁ ମେ’ ୧ ତାରିଖରେ ରାଜନୈତିକ ଦଳ ଗୁଡ଼ିକ ପ୍ରମୁଖତାର ଏହି ଦିନଟିକୁ ନେଇଥାନ୍ତି । ଆଉ ଏହି ଗୋଟିଏ ଦିନ ଚାଲିଗଲେ ଯଥାପୂର୍ବଂ ତଥା ପରଂ ସ୍ଥିତିକୁ ଚାଲି ଆସନ୍ତି ଶ୍ରମିକ ।