ଭଦ୍ରକରେ କ୍ଷତିଗ୍ରସ୍ତଙ୍କୁ ବୋଧ ଦେଲେ ନବୀନ ! କହିଲେ, ପ୍ରଭାବିତଙ୍କୁ ମିଳିବ ସମ୍ପୂର୍ଣ୍ଣ କ୍ଷତିପୂରଣ

42

କନକ ବ୍ୟୁରୋ : ଭଦ୍ରକ ସହର ବୁଲିଲେ ମୁଖ୍ୟମନ୍ତ୍ରୀ । ଦଙ୍ଗାକୁ ନେଇ ଅଶାନ୍ତ ହୋଇପଡିଥିବା ଅଂଚଳ ବୁଲି ଦେଖିଛନ୍ତି ନବୀନ ପଟ୍ଟନାୟକ । ସହରର ନୂଆବଜାର ଛକରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଭଦ୍ରକରେ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତିରେ ଯାହାର ଯାହା କିଛି କ୍ଷତି ହୋଇଛି, ସବୁର କ୍ଷତିପୂରଣ ମିଳିବ ।

ଭେଡିଂ ଜୋନ କରି କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ହିସାଂକାରୀଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନବୀନ । ବିଜେପି ଦଙ୍ଗା ପାଇଁ ବିଜେଡିକୁ ଦାୟୀ କରୁଥିବା ନେଇ ପ୍ରଶ୍ନ ଉତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଏବେ ରାଜନୀତିର ସମୟ ନୁହଁ ।

ଦଙ୍ଗା ସମୟରେ ଦିଲ୍ଲୀରେ ଥିବା ନବୀନ ଗତକାଲି ଭୁବନେଶ୍ୱରରେ ପହଂଚିବା ପରେ ଆଜି ଦିନ ସାଢେ ୧୦ଟା ସୁଦ୍ଧା ଭଦ୍ରକରେ ପହଂଚିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଂଚଳ ବୁଲିବା ସହ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଲୋକଙ୍କୁ ଭେଟିବା ସମୟରେ ନବୀନ କହିଛନ୍ତି ଭଦ୍ରକ ଦଙ୍ଗାରେ ଯାହା କିଛି କ୍ଷତି ହୋଇଛି ସବୁର ସମ୍ପୂର୍ଣ୍ଣ କ୍ଷତିପୂରଣ ଦିଆଯିବ ।

ଭଦ୍ରକରେ ପରିସ୍ତିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ଆଜି ସକାଳ ୭ଟାରୁ ୪ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ଗତକାଲି ଅପରାହ୍ନ ୪ଟାରୁ ଆଜି ସକାଳ ୭ଟା ଯାଏଁ କର୍ଫ୍ୟୁ ଲାଗିଥିଲା । ଆଜି ସକାଳରୁ କର୍ଫ୍ୟୁ କୋହଳ ଯୋଗୁଁ ସହରରେ ଜନଜୀବନ ସ୍ୱାଭାବିକ ହେଉଛି । କିନ୍ତୁ ଲୋକଙ୍କ ମନରୁ ଭୟ ଦୁର ହୋଇ ନାହିଁ ।