ପୁଅରେ ତୋ କଥା ଭାରି ମନେ ପଡ଼ୁଛି । ମତେ ପଛେ ମାରିଦେ, ହେଲେ ତୋ ସାଙ୍ଗେ ଘରକୁ ନେଇଯା । ତତେ ଦେଖିବାକୁ ଭାରି ମନ ହେଉଛି । ଯୋଉଠି ରଖିବୁ ରହିଯିବି, ଯାହା କହିବୁ ମାନିବି । ଟିକେ ଆଇଁଷ ଦେଲେ ଚଳେଇନେବି । ହେଲେ ତୋ ବିନା ମନ ବୁଝୁନି । ଦିନେ ଆମିଷ ପାଇଁ ଅଳି କରିବାରୁ ଘରୁ ତଡ଼ା ଖାଇବାକୁ ପଡ଼ିଥିବା ଜଣେ ମା’ର ଏ ଥିଲା ଆକୁଳ ନିବେଦନ। ବାଲୁଗାଁ ରଘୁନାଥପୁରର ୮୦ ବର୍ଷୀୟା ବୃଦ୍ଧା ସରୋଜମଣି ପ୍ରଧାନ ଏବେ ଗଙ୍ଗନଗରସ୍ଥିତ ବାସହୀନଙ୍କ ସହର ଆଶ୍ରୟସ୍ଥଳୀରେ ରହୁଥିବା ବେଳେ ଅନବରତ ନିଜ ପୁଅ ଝିଅଙ୍କୁ ଝୁରି ଝୁରି ବାହୁନୁଛନ୍ତି। ସରୋଜମଣି ଥିଲେ ଜଣେ ଦରଦୀ ମା’। ଦିନେ ପୁଅର ସବୁ ଅଳି ଅର୍ଦଳି ପୂରା କରିବାକୁ ସ୍ୱାମୀଙ୍କ ସହ ଝଗଡ଼ା ମଧ୍ୟ କରିବାକୁ ପଛାଉନଥିଲେ। ମାତ୍ର ସେଇ ମା’ ଯେବେ ପୁଅ ପାଖେ ଆମିଷ ଟିକେ ଖାଇବାକୁ ବାରମ୍ବାର ଅଳି କଲା, ତାହା ତାଙ୍କ ପାଇଁ ଅଭିଶାପ ପାଲଟିଗଲା ।

ଏମିତିକି ପୁଅ ମେଡିକାଲରୁ ରିପୋର୍ଟ ଆଣିବାକୁ ଯାଉଛି କହି ୬ ନମ୍ବର ଅଞ୍ଚଳରେ ଏକ ଆଶ୍ରମ ନିକଟ ବରଗଛ ତଳେ ମା’କୁ ଛାଡ଼ି ଚାଲିଗଲା । ଯେବେ ତାଙ୍କୁ ଘରେ ଆଶ୍ରୟ ଦେବାକୁ ମା’ ଅଳି କଲେ, କୁତ୍ସାରଟନା ଶୁଣିବାକୁ ମିଳିଲା । ସରୋଜମଣିଙ୍କ କାଳେ ଦୋଷ ଥିଲା ଯେ, ସେ ନିଜ ସ୍ୱାମୀଙ୍କ ପାରାଲିସିସ୍ ରୋଗ ଭଲ କରିବାକୁ ଶେଷ ସମ୍ବଳ ଥିବା ଘରକୁ ୨୫ ବର୍ଷ ତଳେ ୫ହଜାର ୫ଶହ ଟଙ୍କାରେ ବିକି ଦେଇଥିଲେ। ଯେବେ ସ୍ୱାମୀ ତାଙ୍କୁ ପଚାରିଥିଲେ, ତୋର ମୁଁ ଦରକାର ନା ଟଙ୍କା ଦରକାର ? ସେବେ ହିଁ ସରୋଜିନୀ ନିଜ ଘର ବିକିବାକୁ ମନସ୍ଥ କରିଥିଲେ । ତେବେ ଦୁର୍ଭାଗ୍ୟକୁ ସେ ସ୍ୱାମୀଙ୍କୁ ବଞ୍ଚେଇ ପାରିଲେନି। ଆଜି ପୁଅ ଝିଅମାନେ ବଡ଼ ହୋଇଗଲେଣି । କିନ୍ତୁ ସରୋଜମଣିଙ୍କ ଦୁଃଖ ଯାଇନି । ଖାଲି ସେ ନୁହେଁ ଏମିତି ଅନେକ ସରୋଜମଣିଙ୍କୁ ଆଶ୍ରୟସ୍ଥଳୀ ଛାତର ଆଶ୍ରା ଦେଇଛି ସିନା, ହେଲେ ଏବେ ବି ସେମାନେ ପରିବାରକୁ ଝୁରି ହେଉଛନ୍ତି ।

ଆଜି କି କାଲି ନୁହେଁ, ବରଂ ସରୋଜମଣି ୧୫-୨୦ ବର୍ଷ ତଳୁ ସ୍ୱାମୀ ସ୍ୱର୍ଗଲୋକ ହେବା କାଳରୁ ବାହାରେ ବୁଲୁଛନ୍ତି। ଏନେଇ ମଝିରେ ତାଙ୍କ ପୁଅକୁ ଖବର ଦେବା ପରେ ସେ ଆସି ମା’ଙ୍କୁ ଘରକୁ ନେଇ ଯାଇଥିଲେ। କିନ୍ତୁ ମାସଟିଏ ନପୂରୁଣୁ ପୁଣି ଆଶ୍ରମ ହିଁ ସାହା ହେଲା । ଏଇ କିଛିଦିନ ତଳେ ଗାଧୁଆ ଘର ପାଖେ ପଡ଼ିଯିବାରୁ ସରୋଜମଣିଙ୍କର ହାତ ମାଡ଼ ହୋଇ ଫୁଲିଯାଇଛି। ଆଶ୍ରୟସ୍ଥଳୀ ପକ୍ଷରୁ ଓଡ଼ିଶା ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ସହ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି। ମାତ୍ର ବୟସର ଅପରାହ୍ନରେ ଠିଆ ହୋଇଥିବାରୁ ଦୁନିଆ ଛାଡ଼ି ଚାଲିଯିବା ଆଗରୁ  ଇଚ୍ଛା ପୁଅ ଓ ପରିବାରକୁ ଟିକେ ଆଖି ପୂରେଇ ଦେଖିନେବେ ।