ମା ପାଲଟିଲା ରାକ୍ଷସୀ ! କଥା କହି ପାରୁନଥିବା ୭ ବର୍ଷର ଝିଅକୁ ନିଜ ହାତରେ ହତ୍ୟା କଲା

124

କନକ ବ୍ୟୁରୋ : ମା ପାଲଟିଗଲା ରାକ୍ଷସୀ । ଦଶ ମାସ ଦଶଦିନ ଗର୍ଭଯନ୍ତ୍ରଣା ସହି ଜନ୍ମ ଦେଇଥିବା ନିଜ ସନ୍ତାନର ଜୀବନ ନେବାକୁ ମଧ୍ୟ ପଛାଇଲା ନାହିଁ । ମରିଯାଇଥିଲା ଛୁଆ ପ୍ରତି ମା’ର ମମତା । ୭ ବର୍ଷର ନୀରିହ ନିଷ୍ପାପ ଶିଶୁକୁ ହତ୍ୟା କରିବା ବେଳେ ଅଟକି ନଥିଲା ମା’ର ହାତ । ଏଭଳି ଅଭାବନୀୟ ଘଟଣା ବାଙ୍ଗାଲୋରରେ ଦେଖିବାକୁ ମିଳିଛି ।

ବାଙ୍ଗାଲୋରର ୩୬ ବର୍ଷିୟା ମହିଳା ସ୍ୱାତୀ ସରକାର । ମା’ରୂପରେ ରାକ୍ଷସୀ । କଥା କହିପାରୁ ନଥିବା ୭ ବର୍ଷର ଝିଅ ଶ୍ରେୟା ସରକାରଙ୍କୁ ଚତୁର୍ଥ ମହଲା ଛାତ ଉପରୁ ତଳକୁ ଫୋପାଡି ହତ୍ୟା କରିଛନ୍ତି । ପଡୋଶୀ ମାନେ ଏ ବାବଦରେ ପୋଲିସକୁ ସୂଚନା ଦେବା ପରେ ପୋଲିସ ମହିଳାଙ୍କୁ ନିଜ ହେପାଜତରେ ନେଇଛି ।

ପଡୋଶୀଙ୍କ ସୂଚନା ଅନୁଯାୟୀ, ସ୍ୱାତୀ ଜଣେ ମାନସିକ ବିକାରଗସ୍ତ ମହିଳା । ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇ ଦୀର୍ଘ୧ ବର୍ଷ ଧରି କଥା କହିପାରୁ ନଥିବା ୭ ବର୍ଷର ଝିଅ ସହ ଅଲଗା ରହୁଥିଲେ । ତେବେ ଝିଅ ଶ୍ରେୟାଙ୍କୁ ବାରମ୍ବାର କଥା କୁହାଇବାକୁ ଚେଷ୍ଟା କରୁଥିଲେ ମା’ ସ୍ୱାତୀ । କିନ୍ତୁ ସୋମବାର ଝିଅ ଶ୍ରେୟାକୁ ସବୁଦିନ ପାଇଁ ଚୁପ୍ କରାଇ ଦେଇଥିଲେ ସ୍ୱାତୀ । ପ୍ରଥମେ ଝିଅ ଶ୍ରେୟାକୁ ଚାରି ମହଲା ଉପରୁ ତଳକୁ ଫୋପାଡି ଦେଇଥିଲେ । ତଳେ ପଡିଯିବା ପରେ ଶ୍ରେୟାର କାନ୍ଦ ଶୁଣି ପଡୋଶୀ ମାନେ ବାହାରକୁ ଚାଲି ଆସିଥିଲେ । କିନ୍ତୁ ମା’ସ୍ୱାତୀ ତଳକୁ ଆସି ଝିଅକୁ ପୁଣିଥରେ ଘର ଭିତରକୁ ନେଇ ଯାଇଥିଲେ । ତେବେ କିଛି ସମୟ ମଧ୍ୟରେ ପୁଣିଥରେ ଚାରି ମହଲା ଉପରୁ ନିଜ ଝିଅକୁ ଫୋପାଡି ଦେଇଥିଲେ ସ୍ୱାତୀ । ବାସ୍ ଏତିକିରେ ୭ ବର୍ଷର ନୀରିହ ଝିଅର ପ୍ରାଣବାୟୁ ଉଡିଯାଇଥିଲା ।