ଟଙ୍କା ବ୍ୟାଗ ଲୁଟିନେଲେ ମାଙ୍କଡ ! ଛାତ ଉପରୁ କଲେ ଟଙ୍କାର ବର୍ଷା ।

32

ଉତ୍ତରପ୍ରଦେଶରେ କୁକୁର ପରେ ଏବେ ମାଙ୍କଡ ମାନଙ୍କ ଆତଙ୍କ ଦେଖିବାକୁ ମିଳିଛି । ଯାହାକୁ ନେଇ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ମାଙ୍କଡକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ମାଙ୍କଡମାନେ ଜଣେ ବ୍ୟବସାୟୀଙ୍କର ଟଙ୍କା ବ୍ୟାଗ ଛଡାଇ ନେଇଯାଇଛନ୍ତି । ଯେଉଁ ବ୍ୟାଗରେ ରହିଥିଲା ୨ ଲକ୍ଷ ଟଙ୍କା ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମାମଲା ନାଇର ମଣ୍ଡି ଥାନା ଅଞ୍ଚଳର ଅଟେ । ଏଠାରେ ଧାକରନ ଚୌରାହେରେ ହଲକା ମଦନରେ ରହୁଥିବା ବିଜୟ ବଂସଲ ନିଜ ଝିଅ ନେନ୍ସିଙ୍କ ସହ ବ୍ୟାଙ୍କରେ ଦୁଇ ଲକ୍ଷ ଟଙ୍କା ଜମା କରିବା ପାଇଁ ଯାଇଥିଲେ । ତେବେ ଟଙ୍କା ଥିବା ବ୍ୟାଗଟି ବିଜୟଙ୍କ ଝିଅ ହାତରେ ଥିଲା । ବ୍ୟାଙ୍କ ଯିବା ରାସ୍ତାରେ ସେମାନେ ପ୍ରଥମ ମହଲାର ପାହାଚ ଚଢୁଥିଲେ । ଆଉ ଠିକ ସେହି ସମୟରେ ହଠାତ ସେଠାକୁ ଆସିଥିଲେ ୩ରୁ୪ଟି ମାଙ୍କଡ । ଏବଂ ବିଜୟଙ୍କ ଝିଅ ହାତରୁ ଟଙ୍କାର ବ୍ୟାଗକୁ ଛଡାଇ ନେଇଥିଲେ ।

ଏହା ପରେ ଯେତେବେଳେ ସେ ମାଙ୍କଡର ପିଛା କରିଥିଲେ ସେତେବେଳେ ମାଙ୍କଡମାନେ ବ୍ୟାଗରୁ ପାଖାପାଖି ୬୦ ହଜାର ଟଙ୍କା କାଢି ଫୋପାଡି ଦେଇଥିଲେ । ଏବଂ ଏହାପରେ ବ୍ୟାଗ ନେଇ ଚାଲିଯାଇଥିଲେ । ଏହା ପରେ ମାଙ୍କଡମାନେ ୬ଟି ଶହେ ଟଙ୍କିଆ ବିଡାକୁ ଚାରି ମହଲାରୁ ତଳକୁ ଫୋପାଡି ଦେଇଥିଲେ । ଏହି ଘଟଣାକୁ ନେଇ ଏବେ ଚିନ୍ତାରେ ବିଜୟଙ୍କ ପରିବାର । ଘଟଣା ଜଣାପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରିକି ଏହି ମାମଲାରେ ପୋଲିସ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୁଝିପାରୁନାହିଁ ।