ପୁଅ ପାଇଁ ଅଖଣ୍ଡ ଦୀପ ! ମୃତ୍ୟୁ ପରେ ବି ଫେରିବା ବାଟକୁ ଚାହିଁ ବସିଛି ମା’

68

କନକ ବ୍ୟୁରୋ : ଦୀର୍ଘ ୫୩ ଦିନ ପରେ ବାୟୁସେନାର ନିଖୋଜ ବିମାନ ଏ-୩୨ର ସମସ୍ତ ଯାତ୍ରୀ ମୃତ ବୋଲି ଘୋଷଣା କରିଛନ୍ତି ସରକାର । କିନ୍ତୁ ଏବେ ବି ନିଖୋଜ ପୁଅର ଫେରନ୍ତା ବାଟକୁ ଚାହିଁ ରହିଛନ୍ତି ମାଆ । ଅଖଣ୍ଡଦୀପ ଜାଳି ପୁଅର ମଙ୍ଗଳକାମନା କରି ଠାକୁରଙ୍କ ପାଖରେ ଗୁହାରୀ କରୁଛନ୍ତି । ବିଶାଖାପାଟଣା କାର୍ଯ୍ୟାଳୟକୁ ଯାଇ ମଧ୍ୟ କୌଣସି ସଠିକ ଖବର ପାଇନାହାନ୍ତି ବୃଦ୍ଧ ବାପାମାଆ । ତଥାପି ଆଶା ରଖିଛନ୍ତି ପୁଅ ଫେରିବ ।

ସୁଦାମ ମହାରଣାଙ୍କ ଏକମାତ୍ର ରୋଜଗାରିଆ ପୁଅ ଚରଣ । ଅଭାବ ଅନଟନ ଭିତରେ ପାଠପଢି ନିଜ ଗୋଡରେ ନିଜେ ଠିଆ ହେବାକୁ ସେ ଚେଷ୍ଟା କରିଥିଲେ । ଉଚ୍ଚଶିକ୍ଷା ପାଇଁ ଆଶା ନରଖି ଚାକିରୀରେ ଯୋଗ ଦେଇଥିଲେ ଚରଣ । ବାପାମାଆଙ୍କ ଦୁଃଖକୁ ପାଖରେ ଦେଖିଥିବା ପୁଅ ଏବେ ହଜିଯିବା ପରେ ଅସହାୟ ସେମାନେ। ଏବେ ଭଗବାନ ଭରସା।

୫୩ ଦିନ ପରେ ନିଖୋଜ ବିମାନ ଏନ ୩୨ର ତଦନ୍ତ ବନ୍ଦ କରିଛନ୍ତି ସରକାର । ଏନେଇ ପରିବାର ଲୋକଙ୍କ ପାଖରେ କୌଣସି ସରକାରୀ ଚିଠି ପହଂଚି ନାହିଁ । କିନ୍ତୁ ବୁଢା ବାପାର ଜୀବନର ଶେଷ ସମୟର ଆଶାବାଡି ଆଜି ଭାଙ୍ଗି ଚୁରମାର ହୋଇଯାଇଛି।