ମୋବାଇଲରେ କଥା ହେଉଥିବା ବେଳେ ବାହାରିଲା ଧୂଆଁ, ଆଖି ପିଛୁଳାକେ ହେଲା ଜୋରଦାର ବିସ୍ପୋରଣ

96

ଦେଶରେ ଏବେ ପ୍ରତିଦିନ ମୋବାଇଲ ବିସ୍ଫୋରଣର ଘଟଣା ସାମ୍ନାକୁ ଆସୁଛି । କେତେବେଳେ ମୋବାଇଲ ଫାଟି ଲୋକ ମୃତ୍ୟୁବରଣ କରୁଛନ୍ତି ତ ପୁଣି କେତେବେଳେ ଚାର୍ଜରେ ବସିଥିବା ବେଳେ ମୋବାଇଲ ଫୋନ ବିସ୍ଫୋରଣ ହେଉଛି । ଏସବୁ ଭି୍ତରେ ପୁଣିଥରେ କାନପୁରରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ତାହା ପୁଣି ହସ୍ପିଟାଲ ମଧ୍ୟରୁ । କାନପୁରର ଏକ ହସ୍ପିଟାଲରେ ଜଣେ ବ୍ୟକ୍ତି ଫୋନରେ କଥା ହେଉଥିବା ବେଳେ ଫୋନ ଏତେ ମାତ୍ରାରେ ଗରମ ହୋଇଯାଇଥିଲା ଯେ, ଏଥିରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା । ଏହା ଦେଖିବା ମାତ୍ରେ ବ୍ୟକ୍ତି ଜଣକ ମୋବାଇଲ ଫୋନକୁ ଦୂରକୁ ଫୋପାଡ଼ି ଦେଇଥିଲେ । ଆଉ ଏହାପରେ ଯାହା ହୋଇଥିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ତଳେ ପଡ଼ିବା ମାତ୍ରେ ମୋବାଇଲଟି ବିସ୍ଫୋରଣ ହୋଇଥିଲା ।

କାନପୁରର ହେଲେଟ ଡାକ୍ତରଖାନାରୁ ଏଭଳି ମୋବାଇଲ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି । ହସ୍ପିଟାଲର ପିଆରଓ ଭାବେ କାମ କରୁଥିବା ଅତୁଲ କଟିୟାର MI MAX PRIME  ମୋବାଇଲରେ କଥା ହେଉଥିବା ବେଳେ ଏଭଳି ଘଟଣା ଘଟିଥିଲା । ତାଙ୍କ କହିବା ଅନୁଯାୟୀ, କଥାବାର୍ତା ହେଉଥିବା ସମୟରେ ମୋବାଇଲ ଜୋରରେ ତାତି ଉଠିଥିଲା । ଏପରିକି ପଛପଟରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା । ଏହା ଦେଖିବା ମାତ୍ରେ ଏହାକୁ ଦୂରକୁ ଫୋପାଡ଼ି ଦେଇଥିଲି । କିନ୍ତୁ ଏହା ତଳେ ପଡ଼ିବା ମାତ୍ରେ ବିସ୍ଫୋରଣ ହୋଇଥିଲା । ତେବେ ଏଥିରେ ତାଙ୍କୁ କୌଣସି ଆଘାତ ଲାଗିନଥିବା କହିଛନ୍ତି ଅତୁଲ । ତେବେ ଏହି ଘଟଣା ପରେ ଉକ୍ତ ମୋବାଇଲ କମ୍ପାନି ବିରୋଧରେ ଉପଭୋକ୍ତା ଫୋରମରେ ଅଭିଯୋଗ କରିବାକୁ ନିଷ୍ପତି ନେଇଛନ୍ତି ଅତୁଲ । ତାଙ୍କ କହିବା ଅନୁଯାୟୀ, ଯଦି ମୋବାଇଲରେ କଥାବାର୍ତା ହେଉଥିବା ବେଳେ ଏହା ଫାଟିଥାନ୍ତା କିମ୍ବା ପକେଟରେ ଥିବା ବେଳେ ଫାଟିଥାନ୍ତା ତେବେ ଏଥିପାଇଁ କିଏ ଦାୟୀ ରହିଥାନ୍ତା ।

ମୋବାଇଲ ଗରମ ହେଲେ କଣ କରିବେ :
ଅଧିକ ସମୟ ପର୍ଯ୍ୟନ୍ତ ମୋବାଇଲ କଭର ରଖନ୍ତୁ ନାହିଁ । ଏପରିକି ଚାର୍ଜିଙ୍ଗ ଓ ଆପ ବ୍ୟବହାର କରୁଥିବା ବେଳେ ଏହାର କଭର ବାହାର କରି ଦିଅନ୍ତୁ । ଅଧିକ ପ୍ରୋସେସିଂ ପାୱାର ବିଶିଷ୍ଟ ଆପକୁ ଫୋନରୁ ଡ଼ିଲିଟ କରିବାକୁ ଆଦୌ ଭୁଲନ୍ତୁ ନାହିଁ । ଏଭଳି ଆପ ମୋବଇଲ ଫୋନ ଓ ବ୍ୟାଟେରୀକୁ ଗରମ କରି ରଖିଥାଏ । ରାତି ସାରା ଫୋନକୁ ଚାର୍ଜିଂ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଫୋନ ଓଭରହିଟିଙ୍ଗ ହୋଇଥାଏ । ମୋବାଇଲକୁ ଅଧିକ ସମୟ ଖରାରେ ରଖନ୍ତୁ ନାହିଁ । ଏହାଦ୍ୱାରା ମୋବାଇଲ ତାତି ଯାଇଥାଏ । ମୋବାଇଲ ଚାର୍ଜ କରିବା ବେଳେ ଏହାକୁ ଟେବୁଲ ଉପରେ ରଖନ୍ତୁ । କୌଣସି ସୋଫା, ବେଡ଼ ଭଳି ସ୍ଥାନରେ ଆଦୌ ରଖନ୍ତୁ ନାହିଁ ।