‘ମି ଠୁ’ ବିବାଦରେ ଫଶିଥିବା ମୋଦିଙ୍କ ମନ୍ତ୍ରୀଙ୍କ ପାଇଁ ଲଢିବେ ୯୭ ଓକିଲ, ଅନ୍ୟପଟେ ମହିଳା ସାମ୍ବାଦିକାଙ୍କ ପାଇଁ ସୋସିଆଲ ମିଡିଆରେ ଦେଶବାସୀଙ୍କ ସମର୍ଥନ । ଜାଣନ୍ତୁ ପୂରା କାହାଣୀ

57

କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ମୋଦି ସରକାରଙ୍କ ମନ୍ତ୍ରୀ ଏମ୍. ଜେ ଆକବରଙ୍କ ଅଡୁଆ । ଆଜି ପୁଣି ଜଣେ ମହିଳା ସାମ୍ବାଦିକ ଆକବରଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ମହିଳା ସାମ୍ବାଦିକ ତୁସିତା ପଟେଲ ଅଭିଯୋଗ କରିଛନ୍ତି, ଆକବର ତାଙ୍କୁ ଦୁଇ ଦୁଇଥର ଜବରଦସ୍ତ ଚୁମ୍ବନ ଦେଇଛନ୍ତି । ଏଯାଏଁ ୧୨ରୁ ଅଧିକ ମହିଳା ଆକବରଙ୍କ ବିରୋଧରେ ଅଭିଯୋଗ ଆଣିସାରିଛନ୍ତି । ସେପଟେ ପୂର୍ବରୁ ଅଭିଯୋଗ ଆଣିଥିବା ପ୍ରିୟା ରମାନି ମାମଲାରେ ଆକବରଙ୍କ ପାଇଁ ଲଢୁଛନ୍ତି ୯୭ଜଣ ଓକିଲ । ଯାହାକି ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ମନ୍ତ୍ରୀ ଏମ ଜେ ଆକବରଙ୍କ ନାଁରେ ଯୌନଶୋଷଣ ଅଭିଯୋଗ ଆଣିଛନ୍ତି ମହିଳା ସାମ୍ବାଦିକା ତୁସିତା ପଟେଲ । ଡେକାନ କ୍ରୋନିକିଲରେ ଆକବର ଏଡିଟର ଥିବା ସମୟରେ ତାଙ୍କ ସହ କାମ କରୁଥିଲେ ତୁସିତା । ତୁସିତା କହିଛନ୍ତି ୩ଟି ଘଟଣାରେ ଆକବର ତାଙ୍କୁ ଯୈ÷ାନ ଶୋଷଣ କରିଛନ୍ତି । ୧୯୯୨ ମସିହାରେ ଇଣ୍ଡିଆନ ଏକ୍ସପ୍ରେସରେ କାମ କରୁଥିବା ବେଳେ ଆକବର ତାଙ୍କୁ କୋଲକାତାର ଏକ ହୋଟେଲରେ ଦେଖା କରିବାକୁ କହିଥିଲେ । ହୋଟେଲ ରୁମରେ ପହଂଛି କବାଟ ଖୋଲିବା ବେଳକୁ ଏକ ଅଣ୍ଡର ୱୟାରରେ ସାମନାକୁ ଆସିଥିଲେ ଆକବର । ଭୟଭୀତ ଅବସ୍ଥାରେ ଠିଆ ହୋଇଥିଲେ ୨୨ବର୍ଷିୟ ତୁସିତା । ଜଣେ ୨୨ବର୍ଷିୟ ୟୁବତୀଙ୍କୁ ଏପରି ଅବସ୍ଥାରେ ଦେଖାହେବା କେତେ ଗ୍ରହଣୀୟ ବୋଲି ପ୍ରଶ୍ନ କରିଛନ୍ତି ତୁସିତା ।

ଦ୍ୱିତୀୟ ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଆକବର ଡେକାନ କ୍ରୋନିକିଲର ଏଡିଟର ଥିଲେ ଏବଂ ତୁସିତା ମଧ୍ୟ ସେଠାରେ କାମ କରୁଥିଲେ । ତୁସିତା ଅଭିଯୋଗ କରିଛନ୍ତି ଯେ କାମ କରିବା ବାହାନାରେ ତାଙ୍କୁ ହୋଟେଲକୁ ଡାକି ଜବରଦସ୍ତ ଚୁମ୍ବନ ଦେଇଥିଲେ ଆକବର । ତା ପରଦିନ କନଫରେନ୍ସ ରୁମକୁ ଡାକି ପୁଣିଥରେ ଚୁମ୍ବନ ଦେଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ ତୁସିତା ସେହି ରୁମରେ କାନ୍ଦି ପକାଇଥିଲେ ।

ଅନ୍ୟ ପକ୍ଷରେ ତାଙ୍କ ବିରୋଧରେ ତୁସିତା ପଟେଲଙ୍କୁ ଛାଡି ଅନ୍ୟ ୧୧ଜଣ ମହିଳା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆକବର । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏହା ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିରୋଧରେ ସେ କୋର୍ଟରେ ଲଢେଇ କରିବୋ ପ୍ରଥମଥର ପାଇଁ ଆକବରଙ୍କ ନାଁରେ ଅଭିଯୋଗ ଆଣିଥିବା ସାମ୍ବାଦିକା ପ୍ରିୟା ରମାନିଙ୍କ ବିରୋଧରେ ଏକ ମାନହାନୀ ମୋକଦ୍ଦମା କରିଛନ୍ତି ଆକବର । ଏହି ମାମଲାରେ ଆକବରଙ୍କ ପକ୍ଷରୁ ୯୭ ଜଣ ଓକିଲ ଲଢିବେ । ଗୋଟିଏ ପଟେ ୯୭ ଓକିଲ ଲଢୁଥିବା ବେଳେ ମହିଳା ସାମ୍ବାଦିକାଙ୍କ ପାଇଁ କେବଳ ଭାରତବାସୀଙ୍କ ସମର୍ଥନ ରହିବା ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।