ବାତ୍ୟା ଯାଇଛି, ଦୁର୍ଦ୍ଦଶା ବଢିଛି । ପାହାଡି ଇଲାକାରେ ଏଯାଏଁ ପହଞ୍ଚି ପାରିନାହିଁ ପ୍ରଶାସନିକ ସହାୟତା, ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖିଲା କନକ ନ୍ୟୁଜ

30

କନକ ବ୍ୟୁରୋ : ବାତ୍ୟା ତିତଲିକୁ ଏହାରି ଭିତରେ ୫ଦିନ ବିତିଗଲାଣି । ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନି । ଧିରେ ଧିରେ ମୃତ୍ୟୁ ସଂଖ୍ୟା ବି ବଢୁଛି । ଆଉ ଏହି ମୃତ୍ୟୁ ସଂଖ୍ୟାକୁ ନେଇ ରାଜନୀତି ବି ସରଗରମ ହୋଇଛି । ତେବେ ବାତ୍ୟା ପରେ ଗ୍ରାଉଣ୍ଡ ଜିରୋରେ କ’ଣ ରହିଛି ଅସଲ ସ୍ଥିତି? ପାହାଡ଼ି ମୁଲକରେ କେମିତି ବଂଚୁଛନ୍ତି ଲୋକେ? ତାହା ଜାଣିବା ପାଇଁ ବାତ୍ୟା ପ୍ରଭାବିତ ପାହାଡି ଅଞ୍ଚଳରେ ପହଞ୍ଚିଥିଲା କନକ ନ୍ୟୁଜ ଟିମ୍ ।

ଆବଡ଼ା ଖାବଡ଼ା ରାସ୍ତା, ମଝିରେ ମଝିରେ ନଈ-ନାଳ । ପାରଳାଖେମୁଣ୍ଡିରୁ ପ୍ରାୟ ୫୦ କିଲୋମିଟର ଯାତ୍ରା କଲା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଲା, ତାହା ସ୍ପଷ୍ଟ ବୟାନ କରୁଥିଲା ପାହାଡ଼ିମୁଲକରେ ବାତ୍ୟା ପରର ବିପର୍ଯ୍ୟୟର କେତେ ସାଂଘାତିକ୍ ହୋଇପାରେ । ଅପହଂଚ ଇଲାକାରେ ମୁଣ୍ଡଗୁଂଜିବାକୁ ଯେଉଁ ବସା ଉପରେ ଭରସା କରି ଏହି ପାହାଡ଼ି ମଣିଷମାନେ ବଂଚୁଥିଲେ, ତାହା ତାଙ୍କ ଆଖି ଆଗରେ ଛିନଛତର ହୋଇ ସାରିଥିଲା । ଆଉ ବର୍ଷା-ପବନରେ କିଏ ଆତ୍ମୀୟକୁ ହରାଇଥିଲା, ତ ଆଉ କିଏ ଏଯାଏଁ ଆତ୍ମୟୀଙ୍କ ଖୋଜ୍ଖବର ବି ପାଉନଥିଲା ।

ପାରଳାଖେମୁଣ୍ଡିଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ, ମହେନ୍ଦ୍ରଗିରିର ପାହାଡ଼ । ଚାରିଆଡେ ଜଙ୍ଗଲ, ନିକଟରେ ମହେନ୍ଦ୍ରତନୟା ନଦୀ । ଆଉ ଏହି ଦୁର୍ଗମ ଅଂଚଳରେ ପହଂଚିବାକୁ ଆହୁରୀ ପ୍ରାୟ ୨୨ କିଲୋମିଟର ପାଦରେ ଚାଲି ଚାଲି ଏହି ଗାଁ ଗୁଡ଼ିକରେ ପହଂଚିଥିଲେ ଆମ ପ୍ରତିନିଧି । ପାରଳାଖେମୁଣ୍ଡିରୁ ଗାରବନ୍ଧା, ଗାରବନ୍ଧାରୁ କିନସିଲିଂ, କଇଁପୁର, ଗୁରସତପାର୍, ମାଡୱା ଏବଂ ମାଡ଼ା । ହୁଏତ ପ୍ରଶାସନର କାନରେ ଏହି ଗାଁ ଗୁଡ଼ିକର ନାଁ ବାଜିଛି କି ନାହିଁ ତାହା ବି ସନ୍ଦେହ ।

ବାତ୍ୟା ପୂର୍ବର ପବନ ଏବଂ ବାତ୍ୟା ପରର ବନ୍ୟା ଏହାରି ଭିତରେ ବିତିଗଲାଣି ପ୍ରାୟ ଗୋଟିଏ ସପ୍ତାହ । ହେଲେ ଏଯାଏଁ ପ୍ରଶାସନର ପାଦ ପଡ଼ିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ବାତ୍ୟା ତିତଲି ଯେତେବେଳେ ମହେନ୍ଦ୍ରଗିରି ସ୍ପର୍ଶ କରୁଥିଲା ଏମାନେ ଜୀବନ ବିକଳରେ ପାହଡ ଖୋଳ ଭିତରେ ଆଶ୍ରୟ ନେଇଥିଲେ । ଆଉ ମହେନ୍ଦ୍ରଗିରିର ଶରୀର ଯେତେବେଳେ କମ୍ପିବା ଆରମ୍ଭ କଲା ଏବଂ ଗୁମ୍ଫାରୁ ପଥର ଖସିଲା, ସେତେବେଳେ ମୃତ୍ୟୁର ତାଣ୍ଡବ ଆରମ୍ଭ ହେଲା । ଅନେକ ପଥର ଚାପାରେ ଜୀବନ ହରାଇଲେ, ଆଉ ଅନେକ ପାହାଡ଼ି ନଈର ପ୍ରକୋପରେ ଭାସିଗଲେ ।

ରାଜନୀତିର ଆରୋପ ପ୍ରତ୍ୟାରୋପ ଭିତରେ କିନ୍ତୁ ଗଜପତି ଗ୍ରାଉଣ୍ଡ ରିପୋର୍ଟ ଏକ ବଡ ଆହ୍ୱାନ ସୃଷ୍ଟି କରିଛି ।
-ନଗଡ଼ା ଭଳି ପାରଳାଖେମୁଣ୍ଡିର ଏହି ଦୁଗର୍ମ ଅଂଚଳ ପାଇଁ କିଛି ନୂଆ ଯୋଜନା ଆଶା କରାଯିବ କି ?
-ଅପହଂଚ ଇକାଲାର ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଶେଷ ଧ୍ୟାନ ଦେବ କି ପ୍ରଶାସନ?
-ବତ୍ୟା ପ୍ରପୀଡ଼ିତ ଗଜପତି ଜିଲ୍ଲାର ଏହି ସବୁ ଅଂଚଳରେ ପୁନଃନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ କି ?