ଦିଲ୍ଲୀରେ ସାଧୁସନ୍ଥଙ୍କ ସମ୍ମିଳନୀ : ରାମ ମନ୍ଦିର ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ଥିବାବେଳେ ଜନମତ ସୃଷ୍ଟି ଉଦ୍ୟମ

42

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଜୋର ଧରୁଛି । ରାମ ମନ୍ଦିର ମାମଲା ସୁ୍ପ୍ରିମକୋର୍ଟରେ ବିଚାରଧିନ ଥିବା ବେଳେ ଏହାକୁ ନେଇ ଜନମତ ସୃଷ୍ଟି ଉଦ୍ୟମ ଚାଲିଛି । ଏନେଇ ଦିଲ୍ଲୀରେ ସାଧୁ ସନ୍ଥଙ୍କ ଧର୍ମ ସଂସଦ ସମ୍ମିଳନୀ ଆରମ୍ଭ ହୋଇଛି । ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦ ସହ ଜଡିଡ ସାଧୁସନ୍ଥ ସାମିଲ ହୋଇଛନ୍ତି । ପାଖାପାଖି ୪୦ ଜଣ ସାଧୁସନ୍ଥ ବୈଠକରେ ଯୋଗ ଦେଇ ଆଗାମୀ ରଣନୀତି ପ୍ରସ୍ତୁତ କରିଛନ୍ତି । ରାମ ଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ନେତୃତ୍ୱରେ ସାଧୁସନ୍ଥମାନେ ଦିଲ୍ଲୀରେ ବୈଠକ କରିଛନ୍ତି ।

ଏଥିସହ କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳର ବରିଷ୍ଠ ସଦସ୍ୟ ମହନ୍ତ କମଳନୟନ ଦାସ, ନ୍ୟାସ ସଦସ୍ୟ ପୂର୍ବ ସାଂସଦ ରାମବିଳାସ ଦାସ ବେଦାନ୍ତି, ମହନ୍ତ ସୁରେଶ ଦାସ, ସନ୍ଥ ସମିତି ଅଧ୍ୟକ୍ଷ ମହନ୍ତ କହ୍ନୈୟା ଦାସ ସାମିଲ ହୋଇଛନ୍ତି । ଅନ୍ୟପଟେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି କରି ତପସ୍ୱୀ ଛାଉଁଣୀ ମନ୍ଦିରର ମହନ୍ତ ରାମ ପରମହଂସ ଦାସ ଅନଶନ ଚଳାଇଛନ୍ତି । ଅକ୍ଟୋବର ୨୯ରୁ ସୁପ୍ରିମକୋର୍ଟରେ ରାମ ମନ୍ଦିର ଜମି ବିବାଦ ମାମଲାର ଶୁଣାଣି ଆରମ୍ଭ ହେବ ।