ପାରିକର ତୁମକୁ ଶହେ ସଲାମ । କ୍ୟାନସରରେ ପୀଡିତ ଥିଲେ ମଧ୍ୟ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜନତାଙ୍କ ସେବା କରିବାକୁ ପଛାଇ ନଥିଲେ 

580

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୁତ୍ୟୁକୁ ନେଇ ସାରା ଦେଶରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଲମ୍ବା ସମୟ ଧରି ପାନକ୍ରିଆଟିକ କ୍ୟାନସର ରୋଗରେ ପୀଡିତ ଥିବା ପାରିକର ରବିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ବର୍ଷ ଫେବ୍ରୁଆରୀ ମାସରେ ପାରିକର ଏହି ରୋଗରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ, ଦିଲ୍ଲୀ ଏପରିକି ଆମେରିକା ନିଆଯାଇଥିଲା । ତେବେ ଦୀର୍ଘ ଦିନ କ୍ୟାନସର ଲଢେଇ କରିବା ପରେ ମାର୍ଚ୍ଚ ୧୭ରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ପାରିକର ।

ଚିକିତ୍ସିତ ହେଉଥିବା ସମୟରେ ପାରିକର ଯେଉଁ ଦମ୍ଭ ଦେଖାଇଥିଲେ ତାହାକୁ ପ୍ରତ୍ୟେକ ଦେଶବାସୀ ସଲାମ କରୁଛନ୍ତି । ଶାନ୍ତ, ସରଳ ସ୍ୱଭାବର ନେତା ପାରିକର କ୍ୟାନସର ଭଳି ରୋଗରେ ପୀଡିତ ଥିଲେ ମଧ୍ୟ ହାର୍ ମାନିବାକୁ ପ୍ରସ୍ତୁତ ନଥିଲେ । ନାକରେ ଡ୍ରିପ ଲଗାଇ କାର୍ଯ୍ୟରେ ଯୋଗ ଦେବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ଏପରିକି ଏଭଳି ଅବସ୍ଥାରେ ଆରାମ କରିବା ବଦଳରେ ଅଫିସକୁ ଯିବା ସହ ନେତାଙ୍କ ସହ ବୈଠକ ଓ ଜନସଭାରେ ଉଦବୋଧନ ଦେଉଥିବାର ଦେଖିବାକୁ ମିଳିଥିଲା ।

ମନୋହର ପାରିକରଙ୍କ ବାହାଦୁରୀ ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ନାକରେ ଡ୍ରିପ ଲଗାଇ ରାଜ୍ୟ ବଜେଟ ପାରିତ କରିଥିଲେ । ସେତେବେଳେ ସେ ପ୍ରତିଶୃତି ମଧ୍ୟ ଦେଇଥିଲେ ଯେ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିଷ୍ଠା,ସଚ୍ଚୋଟତା ଓ ସର୍ମପଣ ଭାବ ସହ ଗୋଆବାସୀଙ୍କ ସେବା କରିିବି । ଯେଉଁ ପ୍ରତିଶୃତି ପାରିକର ଦେଇଥିଲେ ତାହାକୁ ଶେଷ ପର୍ଯ୍ୟନ୍ତ ପାଳନ କରିଥିଲେ ।

ଆଇଆଇଟି ବମ୍ବେରୁ ଶିକ୍ଷା ଶେଷ କରିବା ପରେ ଆରଏସଏସରେ ଯୋଗ ଦେଇଥିଲେ ପାରିକର । ଏହାପରେ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ପାରିକର । ସେହିଭଳି ୨୦୦୫ ଓ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଗେଆର ମୁଖ୍ୟମନ୍ତ୍ରୀ ରହିଥିଲେ ପାରିକର । ପରେ ତାଙ୍କୁ ମୋଦି ସରକାରରେ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ପାରିକର । ଆଉ ସେ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ଭାରତୀୟ ସେନା ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ତେବେ ୨୦୧୭ରେ ଗୋଆ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ନ ମିଳିବାରୁ ପାରିକରଙ୍କୁ ଖୋଜା ପଡିଥିଲା । ପାରିକରଙ୍କ ନେତୃତ୍ୱରେ ବିଜେପି ସରକାର ଗଢିଥିବା ବେଳେ ସର୍ମଥନ ଦେବା ପାଇଁ ଆଗେଇ ଆସିଥିଲେ ଗୋଆର ଅନ୍ୟ ଆଞ୍ଚଳିକ ଦଳ ।