ବିଜେଡିରେ ଦିଲୀପ ସାମିଲ ହେବା ନେଇ ଚର୍ଚ୍ଚା ପରେ ମୁହଁ ଖୋଲିଲେ ବିଜୟ । କହିଲେ, ଆଗାମୀ ନିର୍ବାଚନ ହେବ ସବୁଠୁ ଜଟିଳ ।

543

କନକ ବ୍ୟୁରୋ: ବିଜୟ, ଦିଲୀପ ଓ ସାରଦାଙ୍କୁ ନେଇ ସରଗରମ ରାଜ୍ୟ ରାଜନୀତି । ବେଶ କିଛି ଦିନ ନୀରବ ରହିବା ପରେ ବିଜୟ ମୁହଁ ଖୋଲି କହିଛନ୍ତି କେଉଁ ଦଳରେ ଯୋଗ ଦେବେ ସେନେଇ ଖୁବଶୀଘ୍ର ନିଷ୍ପତି ନେବେ । ତେବେ ଓଡିଶାରେ ୨୦୧୯ ନିର୍ବାଚନ ବେଶ ଜଟିଳ ହେବ ବୋଲି କହିଛନ୍ତି ବିଜୟ । ସେପଟେ ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଦିଲୀପ ରାୟ ବିଜେଡିରେ ଯୋଗଦେବା ନେଇ ଜୋର ଧରିଛି ଚର୍ଚ୍ଚା । ଯଦି ଦିଲୀପ ରାଉରକେଲାରୁ ବିଧାୟକ ପ୍ରାର୍ଥୀ ହୁଅନ୍ତି ତେବେ ପ୍ରଶ୍ନ ଉଠୁଛି ସାରଦା କରିବେ କଣ । ଯାହାକୁ ନେଇ ରାଉରକେଲା ରାଜନୀତି ଉଠୁଛି ପଡୁଛି ।

ନବୀନ ନିବାସରେ ଦିଲୀପ ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନେଇ ଯେତିକି ଚର୍ଚ୍ଚା, ବିଜୟ ମହାପାତ୍ରଙ୍କ ମଧ୍ୟ ଆଗାମୀ ପଦ କ୍ଷେପ କଣ ହେବ ତାକୁ ନେଇ ସେତିକି ଚର୍ଚ୍ଚା । ଦୀର୍ଘଦିନର ନିରବତା ଭାଙ୍ଗି ବିଜୟ କହିଛନ୍ତି, କେଉଁ ଦଳରେ ଯୋଗ ଦେବେ ସେ ନେଇ କିଛି ନିଷ୍ପତି ନେଇନାହାନ୍ତି । ତେବେ ଖୁବଶୀଘ୍ର ଏନେଇ ନିଷ୍ପତି ନେବେ । ବିଜେଡିରୁ କେହି ତାଙ୍କ ସହ ଯୋଗାଯୋଗ କରିନାହାନ୍ତି ବୋଲି କହିଛନ୍ତି ବିଜୟ । ବିଜୟ ଆହୁରି ମଧ୍ୟ କହିଛନ୍ତି ଓଡିଶାରେ ୨୦୧୯ ନିର୍ବାଚନ ଏକ ଜଟିଳ ନିର୍ବାଚନ ହେବ ।

ଗତକାଲି ସନ୍ଧ୍ୟାରେ ଦିଲୀପ ରାୟ ପହଂଚିଥିଲେ ନବୀନ ନିବାସରେ । ଆଉ ନବୀନ ନିବାସରେ ଦିଲୀପ ନବୀନଙ୍କ ସହିତ ଆଲୋଚନା କରିଥିଲେ । ଦୀର୍ଘ ୧୭ବର୍ଷ ପରେ ଦିଲୀପ ରାୟ ଓ ନବୀନ ପଟ୍ଟନାୟକଙ୍କ ଏହି ଆଲୋଚନା ବର୍ତମାନର ରାଜନୈତିକ ଦୃଶ୍ୟପଟରେ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହି ସାକ୍ଷାତ ପରେ ଦିଲୀପ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲେ ବି ଆଜି ଦିନ ତମାମ ସେନେଇ କୌଣସି ଖବର ଆସିନଥିଲା ।

ଦିଲ୍ଲୀପ ରାୟଙ୍କ ଏହି ଆଲୋଚନା ପରେ ସାରଦା ନାୟକଙ୍କୁ ନେଇ ଚର୍ଚ୍ଚା । ଟିକେଟ ରେସରେ ଥିବା ସାରଦା ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିପ୍ରାୟ ଜଣାଇସାରିଛନ୍ତି । ସାରଦା କହିଛନ୍ତି ସେ ନବୀନଙ୍କ ପାଇଁ କାମ କରୁଛନ୍ତି, ଦିଲୀପଙ୍କ ସହ ତାଙ୍କର ଲଢେଇ ହେବ ନାହିଁ । ଦଳୀୟ ସୁପ୍ରିମୋ ଯାହା ନିଷ୍ପତି ନେବେ ସେଥିରେ ସେ ରାଜି । ସେ ଆହୁରି କହିଛନ୍ତି , ସାରଦା କି ଦିଲୀପ ନୁହେଁ ଲୋକେ ନବୀନଙ୍କୁ ଗ୍ରହଣ କରିଛନ୍ତି । ତେବେ ବର୍ତ୍ତମାନ ଏହି ରାଜନୈତିକ ଘଟଣାବଳି ଆଗକୁ କି ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।