ଦକ୍ଷିଣ ଛାଡି ପଶ୍ଚିମ ମୁହାଁ ନବୀନ ! ଜାଣନ୍ତୁ ପୂର୍ବରୁ ପଶ୍ଚିମ ଓଡିଶାରୁ କିଏ ଓ କେବେ ହୋଇଥିଲେ ମୁଖ୍ୟମନ୍ତ୍ରୀ । ୧୯ରେ ଯୋଡିହେବ କି ନବୀନଙ୍କ ନାଁ ?

356

କନକ ବ୍ୟୁରୋ : ଦୀର୍ଘ ୧୯ ବର୍ଷ ହେବ ଦକ୍ଷିଣ ଓଡିଶା ଅଥାର୍ତ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଆସନରୁ ନିର୍ବାଚନ ଜିତିବା ସହ ମୁଖ୍ୟମନ୍ତ୍ରୀ ପଦରେ ବସି ଆସୁଛନ୍ତି ନବୀନ ପଟ୍ଟନାୟକ । କିନ୍ତୁ ଚଳିତ ଥର ପଶ୍ଚିମ ଓଡିଶାର ନିର୍ବାଚିତ ବିଧାୟକ ଧରିପାରନ୍ତି ରାଜ୍ୟର ମଙ୍ଗ । ଏଭଳି ଚର୍ଚ୍ଚା ସେତେବେଳେ ଆରମ୍ଭ ହୋଇଛି ଯେତେବେଳେ ବିଜେଡି ସୁପ୍ରିମୋଙ୍କୁ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳର ନେତା, ଛାତ୍ରଛାତ୍ରୀ ଓ ମହିଳା । ଏପରିକି ନବୀନ ମଧ୍ୟ ଏହା ଉପରେ ବିଚାର କରୁଥିବା କହିବା ପରେ ପଶ୍ଚିମ ଓଡିଶାରୁ ନିର୍ବାଚିତ ହୋଇଥିବା ପ୍ରତିନିଧି ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ନେଇ ସମ୍ଭାବନା ସୃ୍ଷ୍ଟି ହୋଇଛି । କାରଣ ଓଡିଶାରେ ପୁଣିଥରେ ବିଜେଡି ସରକାରକୁ ଆସିବ ବୋଲି ବିଭିନ୍ନ ସର୍ଭେ ରିପୋର୍ଟରେ ସାମ୍ନାକୁ ଆସିଛି । ଏହାଛଡା ଉପକୂଳ ଓ ଦକ୍ଷିଣ ଓଡିଶାରେ ବିଜେଡିର ପଲା ଭାରି ରହିଥିବା ବେଳେ ପଶ୍ଚିମ ଓଡ଼ିଶାର କୌଣସି ଆସନରୁ ନବୀନ ଯଦି ନିର୍ବାଚନ ଲଢନ୍ତି ତେବେ ଦଳ ଏଠାରେ କେବଳ ଭଲ ପ୍ରର୍ଦଶନ କରିବନି ବରଂ ପଞ୍ଚମ ଥର ପାଇଁ ଶାସନ କ୍ଷମତାକୁ ଫେରିବା ପାଇଁ ବାଟ ଫିଟିଯିବ । ଆଉ ଯଦି ଏଭଳି ହୁଏ ତେବେ ପୁଣିଥରେ ପଶ୍ଚିମ ଓଡିଶାରୁ ୪ର୍ଥ ନିର୍ବାଚିତ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ସୁଯୋଗ ସୃଷ୍ଟି ହେବ ।

ହରେକୃଷ୍ଣ ମହତାବଙ୍କ ଠାରୁ ଏବେ ଯାଏଁ ରାଜ୍ୟରେ ୧୪ ଜଣ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିବା ବେଳେ ନବୀନ ସର୍ବାଧିକ ସମୟ ଏହି ଆସନରେ ବସିବା ସହ ରାଜ୍ୟର ନେତୃତ୍ୱ ନେଇ ଆସିଛନ୍ତି । ତେବେ ପଶ୍ଚିମ ଓଡିଶାରୁ ୩ ଜଣ ଏହି ସମ୍ମାନଜନକ ଆସନରେ ବସିବାର ଗୌରବ ଲାଭ କରିଛନ୍ତି । ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢି ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଶ୍ୱନାଥ ଦାଶ ଓ ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ସହ ରାଜ୍ୟବାସୀଙ୍କ ସେବା କରିବାର ସୌଭାଗ୍ୟ ପାଇଛନ୍ତି ।

ରାଜେନ୍ଦ୍ର ନାରାୟଣ ସିଂହଦେଓ : ପାଟଣାଗଡ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ପଶ୍ଚିମ ଓଡିଶାର ପ୍ରଥମ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ସୁଯୋଗ ପାଇଥିଲେ । ୮ ମାର୍ଚ୍ଚ ୧୯୬୭ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଐତିହାସିକ ଦିନ ହୋଇ ରହିଛି । କାରଣ ପାଟଣାଗଡ ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ହାତକୁ ଆସିଥିଲା ରାଜ୍ୟର କ୍ଷମତା ଡୋରୀ । କଂଗ୍ରେସ ବିରୋଧୀ ମୋର୍ଚ୍ଚାର ନେତୃତ୍ୱ ନେଉଥିବା ପ୍ରଜା ସୋସିଆଲିଷ୍ଟ ପାର୍ଟିର ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓ ବଲାଙ୍ଗୀରରୁ ନିର୍ବାଚିତ ହେବା ସହ ହରେକୃଷ୍ଣ ମହତାବଙ୍କ ଆଞ୍ଚଳିକ ଦଳ ଜନ କଂଗ୍ରେସର ସମର୍ଥନରେ ସରକାର ଗଢିବାକୁ ସୁଯୋଗ ପାଇଥିଲେ । କିନ୍ତୁ ୫ ବର୍ଷ ଶାସନକାଳ ପୂରଣ କରିବା ପୂର୍ବରୁ ୯ ଜାନୁଆରୀ ୧୯୭୧ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ରାଜେନ୍ଦ୍ର ନାରାୟଣ ସିଂହଦେଓ ।

ବିଶ୍ୱନାଥ ଦାଶ : ରାଜେନ୍ଦ୍ର ନାରାୟଣ ସିଂହଦେଓ ଇସ୍ତଫା ଦେବା ପରେ ଫାଙ୍କା ପଡିଥିବା ମୁଖ୍ୟମନ୍ତ୍ରୀ ଚୌକିରେ ପୁଣିଥରେ ବସିବାର ସୁଯୋଗ ପାଇଥିଲେ ପଶ୍ଚିମ ଓଡିଶାର ରାଉରକେଲା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଶ୍ୱନାଥ ଦାଶ । ସେତେବେଳେ ବିଜୁ ପଟ୍ଟନାୟକଙ୍କ ଆଞ୍ଚଳିକ ଦଳ ଉତ୍କଳ କଂଗ୍ରେସ ଓ ସ୍ୱତନ୍ତ୍ର ପାର୍ଟିର ମେଣ୍ଟ ସରକାରର ନେତୃତ୍ୱ ନେବା ସହ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । ଗଞ୍ଜାମ ଜିଲ୍ଲାର ମୂଳନିବାସୀ ବିଶ୍ୱନାଥ ଦାଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାର ୧୪ ମାସ ପରେ ୧୯୭୨ ଜୁନ ୧୪ରେ ଇସ୍ତଫା ଦେଇଥିଲେ ।

ହେମାନନ୍ଦ ବିଶ୍ୱାଳ : ବିଶ୍ୱନାଥ ଦାଶ ଇସ୍ତଫା ଦେବାର ୧୨ ବର୍ଷ ପରେ ପୁଣିଥରେ ପଶ୍ଚିମ ଓଡିଶା ନେତାଙ୍କ ହାତକୁ ଆସିଥିଲା ମୁଖ୍ୟମନ୍ତ୍ରୀ ଆସନ । କଂଗ୍ରେସର ହେଭିୱେଟ ନେତା ହେମାନନ୍ଦ ବିଶ୍ୱାଳଙ୍କୁ ଦୁଇ ଦୁଇ ଥର ୩ ମାସିଆ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ପ୍ରଥମେ ୧୯୮୯ ମସିହାରେ ଦଳ ତାଙ୍କ ହାତରେ ଦେଇଥିଲା ରାଜ୍ୟର ଶାସନ ଭାର । ଲାଇକେରାର ବିଧାୟକ ହେମାନନ୍ଦଙ୍କ ଉପରେ ଦ୍ୱିତୀୟ ଥର ପାଇଁ ଦଳ ୧୯୯୯ ମସିହାରେ ଭରସା କରିଥିଲା । ୧୯୯୯ ଡିସେମ୍ବର ୬ରେ ପୁର୍ନବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ହେମାନନ୍ଦ । ତେବେ ସେତେବେଳେ ମଧ୍ୟ ମାତ୍ର ୩ ମାସ ପାଇଁ ଏହି ଚୌକିରେ ବସିଥିଲେ ହେମାନନ୍ଦ । ଆଉ ଏହାପରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଥିଲେ ନବୀନ ପଟ୍ଟନାୟକ । ଲଗାତାର ୪ ଥର ମୁଖ୍ୟମନ୍ତ୍ରୀ ହେବା ସହ ରାଜ୍ୟ ରାଜନୀତିରେ ନୂଆ ଇତିହାସ ସୃ୍ଷ୍ଟି କରିଛନ୍ତି ନବୀନ । ତେବେ ଦକ୍ଷିଣ ଗଡରୁ ପଶ୍ଚିମ ଗଡକୁ ଯିବା ପାଇଁ ନବୀନ ସଜବାଜ ହେଉଥିବା ପଶ୍ଚିମ ଓଡିଶା ବାସୀଙ୍କ ମନରେ ମଧ୍ୟ ଏକ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।