ମାଲ୍ୟବନ୍ତ ମହୋତ୍ସବ ୨୦୧୭ ! ମନ ଜିଣୁଛି ଲୋକନୃତ୍ୟ ଢେମସା, ବଣ୍ଡା ଓ କୋୟା ନୃତ୍ୟ

78

କନକ ବ୍ୟୁରୋ: ଦୁଇ ବର୍ଷ ବ୍ୟବଧାନ ପରେ ଜମିଛି ମାଲକାନଗିରି ଜିଲ୍ଲାର ସାଂସ୍କୃତିକ ଗଣ ପର୍ବ ମାଲ୍ୟବନ୍ତ ମହୋତ୍ସବ ୨୦୧୭ । ବ୍ଲକ ସ୍ତରରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ  ଏବେ ଧୁମଧାମରେ ଜିଲ୍ଲା ସ୍ତରୀୟ ସାଂସକୃତିକ ଉତ୍ସବ ଭାବେ ପାଳନ କରାଯାଉଛି  । ଯାହାକୁ ନେଇ ଉତ୍ସବମୁଖର ସାରା ମାଲକାନଗିରି । ୧୧ ଟି ରାଜ୍ୟର ପ୍ରାୟ ୨୦ଟି ଦଳ ଏବେ ମାଲ୍ୟବନ୍ତ ମହୋତ୍ସବରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ।

ମାଲ୍ୟବନ୍ତ ମହୋତ୍ସବ ସଂଧ୍ୟା ଆରମ୍ଭ ହୋଇଥିଲା ପଦ୍ମଶ୍ରୀ ଡକ୍ଟର ଇଲିଆନା ସିତାରିସ୍ତିଙ୍କ ଓଡିଶୀ ନୃତ୍ୟରୁ । ପରେ ପରେ ଡକ୍ଟର ଅନୁରାଧା ରୟଙ୍କ ଭାରତ ନାଟ୍ୟମ ଦର୍ଶକଙ୍କୁ ବିଭୋର କରିଥିଲା । ପଶ୍ଚିମବଙ୍ଗର ଭାରତନାଟ୍ୟମ ନୃତ୍ୟାଙ୍ଗନା ଡକ୍ଟର ଅନୁରାଧା ରୟଙ୍କ ଦୁର୍ଗାଙ୍କ ଅବତର ସାଙ୍ଗକୁ ଆନ୍ଧ୍ରପ୍ରଦେଶର କୁଚିପୁଡା କଳାକାରଙ୍କ ଗଣେଶ ବନ୍ଦନା ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ସୁଦୁର ହରିଆଣାରୁ ଆସିଥିବା ତିଜ୍ ଲୋକନୃତ୍ୟ ମାଲ୍ୟବନ୍ତ ମଂଚରେ ଧୁମ ମଚେଇଥିଲା ।

ସେହିପରି ଆସାମର ବିହୁ, ରାଜସ୍ଥାନର କଲବେଲିଆ ନୃତ୍ୟ, ଗୁଜରାଟର ସିଧି ଧମାଲ  ଓ ପଶ୍ଚିମବଙ୍ଗର ବାଉଲ ଗୀତ ମାଲ୍ୟବନ୍ତ ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା । ଏହାସହ ଜିଲ୍ଲାର ଲୋକନୃତ୍ୟ କୋୟା , ଢେମସା ଓ ବଣ୍ଡା ନୃତ୍ୟ ବି ଦର୍ଶକଙ୍କ ମନକୁ ଛୁଇଁଥିଲା । ୨୦୧୩ରେ ଫାଇଲିନ ଯୋଗୁଁ ମାଲ୍ୟବନ୍ତ ପାଳନ ବନ୍ଦ ରହିଥିବା ବେଳେ ଜାପାନୀଜ ଏନସେଫାଲାଇଟିସ ମହାମାରି ଯୋଗୁଁ ମାଲ୍ୟବନ୍ତ ମହୋତ୍ସବ ୨୦୧୬ ଅନୁଷ୍ଠିତ ହୋଇ ପାରିନଥିଲା । ବିଳମ୍ବରେ ହେଲେ ଚଳିତ ମାଲ୍ୟବନ୍ତ ମହୋତ୍ସବ ମାଲକାନଗିରି ଜିଲ୍ଲାବାସୀଙ୍କ ମଧ୍ୟରେ ସେଇ ଉତ୍ସାହ ଓ ଉଦ୍ଦିପନା ଫେରେଇ ଆଣିବାରେ ସଫଳ ହୋଇ ଥିବା ଜଣାପଡୁଛି ।