ରାଜ୍ୟ ଡେଇଁଲା କମ୍ପାନୀ ବିରୋଧୀ ଆନ୍ଦୋଳନ ! ଓଡିଶାର ପ୍ରସ୍ତାବିକ ସିମେଂଟ କାରଖାନାକୁ ଛତିଶଗଡରେ ବିରୋଧ

53

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ପ୍ରସ୍ତାବିତ ସିମେଣ୍ଟ କାରଖାନା ବିରୋଧ ତେଜିବାରେ ଲାଗିଛି । ମାଲକାନଗିରି ଜିଲ୍ଲାରେ ସିଖପାଲି ଅଂଚଳରେ ଗତ କିଛି ଦିନ ଧରି ଭିନ୍ନ ଭିନ୍ନ ସ୍ଥାନରେ ଆଦିବାସୀଙ୍କ ମେଳି ଲାଗି ରହି ଥିବା ବେଳେ ଏବେ ଏହା ପଡୋଶୀ ଛତିଶଗଡକୁ ବ୍ୟାପିବାରେ ଲାଗିଛି । ଜଙ୍ଗଲ ବିଭାଗ ଆଦିବାସୀଙ୍କ ନିକଟରେ ପହଁଚି ଲୋକଙ୍କୁ ବୁଝାସୁଝା କରାଇଥିବା ବେଳେ ଲୋକ କିନ୍ତୁ ଜିଦରେ ଅଟଳ ।

ସୀମା ଡେଉଁଛି ସିମେଂଟ କାରଖାନା ବିରୋଧୀ ସ୍ୱର । ମାଲକାନଗିରି ଜିଲ୍ଲା କୋତାମାଟେ ପ୍ରସ୍ତାବିତ ସିମେଂଟ କାରଖାନାକୁ ବିରୋଧ କରୁଛନ୍ତି ପଡିଆ ବ୍ଲକ ୬ଟି ପଂଚାୟତର କୋୟା ଆଦିବାସୀ । ଏବେ ଏହି ବିରୋଧୀ ସ୍ୱର ସୀମାବର୍ତ୍ତୀ ରାଜ୍ୟ ଛତିଶଗଡରେ ଦେଖିବାକୁ ମିଳିଛି । ପ୍ରସ୍ତାବିତ କାରାଖାନା ବିରୋଧରେ ଛତିଶଗଡର ପୁଶପାଲି ଗାଁରେ କୋୟା ସମ୍ପ୍ରଦାୟ ଆଦିବାସୀ ପ୍ରଜାମେଳି କରିଛନ୍ତି । ଯେଉଁଥିରେ ମାଲକାନଗିରି ପଡିଆ ବ୍ଲକର ଅନେକ ଆଦିବାସୀ ମୁଖିଆ ସାମିଲ ହୋଇ ମରିବେ ପଛେ କାରଖାନା ପାଇଁ ଭିଟାମାଟି ଓ ଜଙ୍ଗଲ ଜମି ଛାଡିବେ ନାହିଁ ବୋଲି ଚେତାଇ ଦେଇଛନ୍ତି । ପୂର୍ବରୁ ବାଲିମେଳା, କୋଲାବ, ମାଛକୁଣ୍ଡ, ହାଲ, ନାଲକୋ ପ୍ରକଳ୍ପ ଯୋଗୁ ବିସ୍ଥାପିତଙ୍କୁ ଏଯାଏଁ ସଠିକ ଥଇଥାନ କରାଯାଇନ ଥିବାରୁ ଆଉ ବିସ୍ଥାପିତ ହେବାକୁ ଚାହୁଁ ନାହାନ୍ତି ଆଦିବାସୀ ।

ଡାଲମିଆ କମ୍ପାନୀ ମାଲକାନଗିରି ସିଖପାଲି ଅଂଚଳରେ ସିମେଂଟ କାରଖାନା କରିବା ପାଇଁ ପ୍ରସ୍ତାବ ରହିଛି । ଏଥିପାଇଁ ୪୦୦ ହେକ୍ଟର ଜଙ୍ଗଲ ଜମି ଓ ୪୦୦ ହେକ୍ଟର ବସ୍ତି ଜମିର ଆବଶ୍ୟକତା ରହିଛି । ମୋଟ ୮୦୦ ହେକ୍ଟର ଜମିରେ ଚୁନ ପଥର ଖଣି କରିବା ଲାଗି ଆବେଦନ କରାଯାଇଛି । ହେଲେ ଗ୍ରାମବସୀଙ୍କ ବିରୋଧ ଯୋଗୁ ସର୍ଭେ କାମ ଆଗେଇ ପାରୁନଥିବାରୁ ମାଲକାନଗିରି ଡି.ଏଫ.ଓ ଓ କୋରାପୁଟ ମୁଖ୍ୟ ବନ ସଂରକ୍ଷକ ଗ୍ରାମବାସୀଙ୍କୁ ବୁଝାସୁଝା କରୁଛନ୍ତି । ଶିଳ୍ପ ବିହିନ ମାଲକାନଗିରି ଜିଲ୍ଲାରେ ଏଯାଏଁ କୌଣସି କଳ କାରଖାନା ନାହିଁ । ତେବେ ଏହି ସିମେଂଟ କାରଖାନାକୁ ଜିଲ୍ଲାର ଅର୍ଥନୈତିକ ଓ ନିଯୁକ୍ତି ଦୃଷ୍ଟକୋଣରୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି ।