କନକ ବ୍ୟୁରୋ : ଆସୁଛି ଆଲୋକର ପର୍ବ ଦୀପାବଳୀ । ଏଥିପାଇଁ ଚଳଚଂଚଳ ପୁରପଲ୍ଲୀ । ଦୀପାବଳୀକୁ ରଙ୍ଗୀନ କରିବା ପାଇଁ ସବୁଠାରୁ ଅଧିକ ଆବଶ୍ୟକ ହୋଇଥାଏ ବାଣ ଆଉ ତା ସାଙ୍ଗକୁ ଦୀପ । ପିଲାଠୁ ବଡ ଯାଏ ନାନା ରକମର ବାଣ ଫୁଟାଇ ଏହି ପର୍ବର ଭରପୁର ଆନନ୍ଦ ନିଅନ୍ତି ସମସ୍ତେ । ଆଉ ଏହି ଦୀପାବଳୀରେ ବାଣ ଓ ଦୀପ ତିଆରି କରି ବର୍ଷକ ପାଇଁ ରୋଜଗାର କରନ୍ତି ବାଣୁଆ ଓ କୁମ୍ଭାର ପରିବାର । ତେବେ ଏବର୍ଷ କେମିତି ଚାଲିଛି ବାଣ ତିଆରି ଆଉ କେମିତି କୌଳିକ ବୃତ୍ତିିକୁ ବଂଚାଇବାକୁ ଯାଇ ମାଟି ଦୀପ ତିଆରି କରୁଛନ୍ତି ପରପୀଢ଼ିର କୁମ୍ଭକାର ।

କଟକ ଜିଲ୍ଲାର ପଦ୍ମପୁର ଗାଁ । ଏହି ଗାଁର ଘରେ ଘରେ ତିଆରି ହେଉଛି ବାଣ । ଘରି ବାଣ, ରକେଟ୍ ବାଣ, ତାଳଫୋଟକା, ହାବେଳୀ ବାଣ, ମହତାବ ବାଣ ସହ ଅନେକ ଆକର୍ଷଣୀୟ ବାଣ ତିଆରିରେ ବ୍ୟସ୍ତ ଅଛନ୍ତି କାରିଗର । ତେବେ ଚଳିତ ବର୍ଷ ପ୍ରଶାସନର ପ୍ରବଳ ଆକଟ, ଲାଇସେନ୍ସ ନିୟମ କଡାକଡି କରାଯିବା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଛୋଟବଡ କାରିଗର । କଟକଣା ଯୋଗୁଁ ଗାଁ ଗହଳିର ଛୋଟ ଛୋଟ ବ୍ୟବସାୟୀମାନେ ମଧ୍ୟ ବାଣ କିଣିବାକୁ ଆସୁନାହାଁନ୍ତି । ଫଳରେ ବାଣ ବିକ୍ରି କମିଛି । ତେଣୁ କ୍ଷତି ହେବା ଭୟରେ ବାଣ ତିଆରି କମାଇ ଦେଇଛନ୍ତି ବୋଲି କହିଛନ୍ତି କାରିଗର । ତେବେ ବାଣ ତିଆରିକୁ କୁଟୀର ଶିଳ୍ପର ମାନ୍ୟତା ଦେଇ ସୋସାଇଟ୍ କରିବା ସହ କାରିଗରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ସମାଜସେବୀ ।

ଦୀପାବଳୀରେ ଜଳିବ ଦୀପାଳୀ । ଏହି ଦୀପାଳି ଗଢ଼ିବାରେ ଲାଗି ପଡିଛନ୍ତି ପରିବାରର ସମସ୍ତ ସଦସ୍ୟ । ସୁନ୍ଦରଗଡ ସହର ଉପକଣ୍ଠ ପଣ୍ଡରିଢ଼ିପାର କୁମ୍ଭାର ସାହି । ଘରର ପୁରୁଷମାନେ ଚକ ବୁଲାଇ ଦୀପ ଗଢ଼ୁଥିବାବେଳେ ସ୍ତ୍ରୀଲୋକ ସେଗୁଡିକୁ ଖରାରେ ଶୁଖାଇବାରେ ବ୍ୟସ୍ତ । ତାପରେ ଏହାକୁ ପୋଡି ଦୀପାବଳୀ ବଜାରରେ ବିକ୍ରି କରିବେ । ଆଶା କରିଛନ୍ତି ଭଲ ଦିପଇସା ରୋଜଗାର କରିବେ । କିନ୍ତୁ ଆଧୁନିକତାର ପ୍ରଭାବରେ ଏହି କୁମ୍ଭାରମାନଙ୍କ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ରଙ୍ଗିନ୍ ଚାଇନିଜ୍ ଲିଚୁ ଲାଇଟ୍ର ବଜାର ପ୍ରବେଶ ଯୋଗୁଁ ମାଟି ଦୀପର ଚାହିଦା କମିଯାଉଛି । ଫଳରେ ପରିଶ୍ରମ ଅନୁଯାୟୀ ଆଉ ରୋଜଗାର ହେଉନାହିଁ । ଫଳରେ କୁମ୍ଭାରଙ୍କ କୌଳିକ ବୃତିରେ ଦେଖାଦେଇଛି ବିପଦ । ଆଲୋକର ପର୍ବ ଦୀପାବଳୀରେ ଆଧୁନିକତାର ଲିଚୁ ଲାଇଟର ଚମକରେ ମାଟି ଦୀପର ମହନୀୟତାକୁ ଭୁଲିଯିବା ଉଚିତ୍ ନୁହେଁ । କାରଣ ଏହା ସହିତ ଜଡିତ ରହିଛି ଆମ ସଂସ୍କୃତି ଆଉ ପରମ୍ପରା ।