ପ୍ରଶଂସକଙ୍କ ସମର୍ଥନ ପାଇଁ ଆବେଦନ କଲେ ଅଭିନେତ୍ରୀ ମହାଶ୍ୱେତା : କହିଲେ, ରାଜ୍ୟ ଚଳଚିତ୍ର ଉତ୍ସବରେ ଦିଆଯାଇଥିବା ପୁରସ୍କାରର ପୁନର୍ବିଚାର ଜରୁରୀ

44

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ସହ ବଢିଚାଲିଛି ବିବାଦ । ପୁରସ୍କାର ଚୟନ ନେଇ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତା ରାୟ । ଜୁରୀ କମିଟିର ବିଚାରରେ ଅସନ୍ତୁଷ୍ଟ, ମହାଶ୍ୱେତା କହିଛନ୍ତି, ‘ଚିନି’ ଫିଲ୍ମରେ ତାଙ୍କ ଜୀବନର ସବୁଠୁ ସ୍ମରଣୀୟ ଅଭିନୟ ରହିଥିଲା । ସେଥିପାଇଁ ତାଙ୍କୁ ପୁରସ୍କାର ନଦିଆଯାଇ, କାହିଁକି, ‘ଦେଲେ ଧରା କଥା ସରେ’ ଫିଲ୍ମ ପାଇଁ ଦିଆଗଲା?

ଜୁରୀ କମିଟିର ଚୟନ ଉପରେ ପ୍ରଶ୍ନ ଉଠାଇବା ସହ ଫେସବୁକରେ ପ୍ରଶଂସକଙ୍କ ସମର୍ଥନ ମାଗିଛନ୍ତି ଏହି ବର୍ଷିୟାନ୍ ଅଭିନେତ୍ରୀ । କହିଛନ୍ତି, ୪୦ ବର୍ଷର କ୍ୟାରିଅରରେ ସେ, ତାଙ୍କ ପରିବାର ଏବଂ ସମ୍ପର୍କୀୟ , ଏହି ପୁରସ୍କାର ନେଇ ଗଭୀର ଭାବେ ନିରୁତ୍ସାହିତ ।

ଜୁରୀ କମିଟିର ଅଧ୍ୟକ୍ଷ ହେଉଛନ୍ତି ଅବସରପ୍ରାପ୍ତ ପୁଲିସ ଡିଜି ବିପିନ ବିହାରୀ ମିଶ୍ର । ଜୁରୀ ସଦସ୍ୟ ରହିଛନ୍ତି ଦଳଗୋବିନ୍ଦ ରଥ, ସୂର୍ଯ୍ୟ ଦେଓ, ଶୈଳେଶ୍ୱର ନନ୍ଦ, ସୁବାସ ଦାସ, ଶୀର୍ଷାନନ୍ଦ ଦାସ କାନୁନଗୋ ଏବଂ ଗୀତା ପଟ୍ଟନାୟକ । ତେବେ ମହାଶ୍ୱେତାଙ୍କ ଅଭିଯୋଗ, ସିଧାସଳଖ ରାଜ୍ୟ ଚଳଚ୍ଚିତ୍ର ଜୁରୀ କମିଟି ଉପରେ ପ୍ରଶ୍ନ ଠିଆ କରିଛି । ଏସବୁ ଭିତରେ ଦାବି ହେଉଛି, ଫିଲ୍ମ ସହ ସଂପୃକ୍ତ ବ୍ୟକ୍ତିଙ୍କୁ କେବଳ ଜୁରୀ କମିଟିରେ ସ୍ଥାନ ଦିଆଯାଉ ।