କନକ ବ୍ୟୁରୋ: ମହାପ୍ରଭୁଙ୍କ ସକଳ ଦେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ କରିଥାଏ ଏହି ପବିତ୍ର ସୁନାବେଶ । ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହମାନେ ବିଭିନ୍ନ ତିଥିରେ ଅନେକ ବେଶରେ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେଉଥିଲେ ହେଁ ବାହୁଡ଼ା ଯାତ୍ରାର ପରଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଅର୍ଥାତ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରଠାରେ ଦଣ୍ଡାୟମାନ ଥିବା ତିନି ରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ଦର୍ଶନ ଦେଇଥାନ୍ତି ମହାବାହୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୁନାବେଶରେ ଶ୍ରୀଜଗନ୍ନାଥଙ୍କ ସ୍ୱର୍ଣ୍ଣ ଅଳଙ୍କାର:
କିରୀଟ, ଓଡ଼ିଆଣି, ଶ୍ରୀପୟର, ଶ୍ରୀଭୁଜ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗାଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ ( ଆୟୁଧ), ହରିଡ଼ା, ତାବିଜମାଳି, ବାହାଡ଼ାମାଳି, , ତ୍ରିଖଣ୍ଡିକା, ସେବତିମାଳି, ତ୍ରିଖଣ୍ଡିକା କମରପଟ, ମୟୁର ଚନ୍ଦ୍ରିକା, ରତ୍ନ ପଦକ ଓ ମୁଖପଦ୍ମ ।
ଏହି ‘ସୁନାବେଶ’ରେ ଲାଗି ହେଉଥିବା ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନି ରଥ ଉପରକୁ ଆସିଥାଏ। ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥାନ୍ତି।