କୃଷି ଋଣ ଛାଡ କରିବେ କି କେନ୍ଦ୍ର ସରକାର? ଜାଣନ୍ତୁ ଏହି ପ୍ରଶ୍ନର ଉତ୍ତରରେ କଣ କହିଲେ ପ୍ରଧାନମନ୍ତ୍ରୀ

236

କନକ ବ୍ୟୁରୋ: ନୂଆବର୍ଷ ଅବସରରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନ୍ୟୁଜ୍ ଏଜେନ୍ସୀ ଏଏନଆଇକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ଅନେକ ଚର୍ଚ୍ଚିତ ପ୍ରସଙ୍ଗ ଉପରେ ମୁହଁ ଖୋଲିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ସହ ଟାର୍ଗେଟ କରିଛନ୍ତି ମୋଦି । ମୋଦି କହିଛନ୍ତି ରାହୁଲ ଲୋକଙ୍କୁ ମିଛ କହି ଭ୍ରମିତ କରୁଛନ୍ତି । କୃଷକକୁ କୃଷି ଋଣ ଛାଡ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଚାଷୀଙ୍କ ଋଣ ଛାଡ କରିବା କୃଷକ ସମସ୍ୟା ସମାଧାନର ବାଟ ନୁହେଁ । ବାରମ୍ବାର କୃଷି ଋଣ ଛାଡ କରାଯିବାପରେ ମଧ୍ୟ ଚାଷୀ ପୁଣି ଋଣି ହୋଇଯାଉଛି । ଏହାର କାରଣ ଖୋଜିବାକୁ ପଡିବ । ସେଥିପାଇଁ ଦୀର୍ଘକାଳିନ ଯୋଜନା କରିବାକୁ ପଡିବ ।

ଅନ୍ୟପଟେ ଓଡିଶାରେ ବିଜେପି ସରକାର ଗଢ଼ିଲେ କୃଷି ଋଣ ଛାଡ କରାଯିବ ବୋଲି ପୂର୍ବରୁ ଘୋଷଣା କରିଛି ରାଜ୍ୟ ବିଜେପି । ପ୍ରଶ୍ନ ଉଠୁଛି ଯଦି କୃଷି ଋଣ ଛାଡ ଚାଷୀ ସମସ୍ୟାର ସମାଧାନର ବାଟ ନୁହେଁ ତେବେ ରାଜ୍ୟ ବିଜେପି କାହିଁକି ଏଭଳି ଘୋଷଣା କରିଛି ।

ସେହିପରି ପୁରୀରୁ ନିର୍ବାଚନ ଲଢିବା ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି କି, କହିଛନ୍ତି, ଏହା ଗଣମାଧ୍ୟମର ଏକ ପରିକଳ୍ପନା । ଏଭଳି ଚର୍ଚ୍ଚା କେବଳ ଗଣମାଧ୍ୟମରେ ହିଁ ଚାଲୁଛି । ତେବେ ପୁରୀରୁ ନିର୍ବାଚନ ଲଢିବେ କି ନାହିଁ ତାହାର ସ୍ପଷ୍ଟ ସଂକେତ ଦେଇନାହାନ୍ତି ମୋଦି । ତେଣୁ ପୁରୀରୁ ମୋଦି ପ୍ରାର୍ଥୀ ହେବେ କି ନାହିଁ ସେନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ମୋଦିଙ୍କ ମୁହଁରୁ ଏନେଇ ସ୍ପଷ୍ଟ ସଂକେତ ନ ମିଳିବା ଏହି ଚର୍ଚ୍ଚାକୁ ଆହୁରି ସସପେନ୍ସ ଘେରକୁ ଟାଣି ନେଇଛି ।

ଅନ୍ୟପକ୍ଷରେ ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଅଧ୍ୟାଦେଶ ଆଣିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ସାମ୍ବିଧାନିକ ବିଧିବ୍ୟବସ୍ଥା ଭିତରେ ରହି ସରକାର କାର୍ଯ୍ୟ କରିବେ । ଏହି ପ୍ରସଙ୍ଗରେ ସେ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । କହିଛନ୍ତି କଂଗ୍ରେସ ଓକିଲ ସୁପ୍ରିମକୋର୍ଟରେ ବାଧା ସୃଷ୍ଟି କରୁଥିବାରୁ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଧିମା ହୋଇଯାଇଛି । ତେଣୁ କୋର୍ଟରେ ଶୁଣାଣି ପ୍ରକ୍ରିୟା ସରିବା ପରେ ସରକାର ପରବର୍ତି ପଦକ୍ଷେପ ନେବେ ।