ଜାତିପ୍ରଥାର ନିଷ୍ଠୁର ନୀତି ! ଗାଁରୁ ବାସନ୍ଦ ହୋଇଥିବାରୁ ଶବ ଉଠାଇବାକୁ ଆସିଲେନି ଜ୍ଞାତି କୁଟୁମ୍ବ

42

କନକ ବ୍ୟୁରୋ: ନିଷ୍ଠୁର ଜାତିପ୍ରଥା । ଘଂଟା ଘଟା ଧରି ପଡିରହିଲା ଶବ । ପରିବାର ଗାଁରୁ ବାସନ୍ଦ ହୋଇଥିବାରୁ ଶବ ଉଠାଇବା ପାଇଁ ଆସିଲେ ନାହିଁ କେହି । ବରଂ ଶବ ଉଠାଇବା ପାଇଁ ୧୦ହଜାର ଟଙ୍କା ଜରିମାନା ଦାବି କଲେ । ତେବେ ମହିଳା ଜଣକ ୧୦ହଜାର ଟଙ୍କା ଦେବାରୁ ଅସମର୍ଥ ହେବାରୁ ଜ୍ଞାତିକୁଟୁମ୍ବ ଶବ ପାଖକୁ ଆସିନଥିଲେ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ଏପରି ଅଭାବନୀୟ ଘଟଣା ଘଟିଛି । ଗାଁର ଫଗୁ ପେଣ୍ଠେଇଙ୍କ ପୁଅ ଅଜୟ ପେଣ୍ଠେଇ ଗତ ବର୍ଷ ଏକ ମୃତ ଦେହକୁ ଛୁଇଁଥିବା ପରେ ବିବାଦ ଆରମ୍ଭ ହୋଇଥିଲା । ଏହାପରେ ଫଗୁଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିଲା ଏବଂ ୩୦ହଜାର ଟଙ୍କା ଜରିମାନା ଦାବି କରିଥିଲେ ଜାତି ଲୋକେ ।

୩୦ହଜାର ଟଙ୍କା ଦେଇନପାରିବାରୁ ଫଗୁଙ୍କ ପରିବାରକୁ ଗତ ୧ବର୍ଷ ହେଲା ନିଆଁପାଣି ବାସନ୍ଦ କରାଯାଇଥିଲା । ପରେ ଫଗୁଙ୍କ ଦୁଇ ପୁଅ ଦାଦନ ଖଟିବାକୁ ଚେନ୍ନାଇ ଚାଲିଯାଇଥିଲେ । ଫଗୁ ଯକ୍ଷ୍ମା ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ଶବ ଉଠାଇବା ପାଇଁ ପରିବାରଲୋକେ ଜାତିଲୋକଙ୍କୁ ଡାକି ଥିଲେ ମଧ୍ୟ କେହି ଆସିନଥିଲେ ବରଂ ୧୦ହଜାର ଟଙ୍କା ଜରିମାନା ଦେଲେ ଆସିବେ ବୋଲି କହିଥିଲେ ।

ତେବେ ତାଙ୍କ ପରିବାରଲୋକେ ଜରିମାନା ଦେଇନପରିବାରୁ ଦିନ ତମାମ ତାଙ୍କ ଶବ ପଡିରହିଥିଲା । ଶେଷରେ ଗାଁର ଜଣେ ଯୁବକ ବାଦଲ ବାରିକ ଆସି ଶବକୁ ଗାଡି ଯୋଗେ ମଶାଣୀ ଯାଏଁ ନେଇଯାଇଥିଲେ । ପରେ ସ୍ଥାନୀୟ ସରପଂଚ ଫଗୁଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଓ ବାଦଲ ନିଜେ ୩ହଜାର ଟଙ୍କା ସହାୟତା ଦେଇଥିଲେ ।