କେରଳର ବନ୍ୟା କ୍ଷତି ରାଜ୍ୟରେ ହେଉଥିବା ବଜେଟ ପରିମାଣରୁ ଅଧିକ ! ସେପଟେ କେରଳରୁ ଆଜି ବିଦାୟ ନେବ ସେନା, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଭା ଆୟୋଜନ

54

aକନକ ବ୍ୟୁରୋ : କେରଳରେ ଭୟଙ୍କର ବନ୍ୟା ପରେ ଏବେ ଆରମ୍ଭ ହୋଇଛି କ୍ଷୟକ୍ଷତିର ଆକଳନ । ରାଜ୍ୟରେ ବିଭିନ୍ନ ଟିମ ଗଠନ କରାଯାଇ ସ୍ଥାନୀୟ ଅଞ୍ଚଳର ରିପୋର୍ଟ ସଂଗ୍ରହ କରାଯାଉଛି । ବର୍ତ୍ତମାନ ସମୟରେ ମଧ୍ୟ ଅନେକ ସ୍ଥାନରେ ଲୋକମାନେ ସରକାରଙ୍କ ଆଶ୍ରୟ ସ୍ଥଳୀରେ ରହିଛନ୍ତି । ସବୁଠାରୁ ବଡ କଛଥା ହୋଇଛି ଯେ, ବନ୍ୟାରେ କ୍ଷତି ହୋଇଥିବା ଲୋକମାନଙ୍କୁ ଉଚିତ ଭାବରେ ଥଇଥାନ କରିବା । ତେବେ କେରଳରେ ବର୍ଷା ଓ ବନ୍ୟା ଯୋଗୁଁ ୨୦,୦୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ଆକଳନ କରାଯାଇଛି। କିନ୍ତୁ ବିଭିନ୍ନ ଥଇଥାନ କାର୍ଯ୍ୟ ପରେ ଏହି କ୍ଷତି ପରିମାଣ ବୃଦ୍ଧି ପାଇବ ଏବଂ ଏହା ରାଜ୍ୟ ବଜେଟରେ ଯୋଜନା ବ୍ୟୟବରାଦକୁ ଟପିଯିବ ବୋଲି ଆକଳନ କରାଯାଉଛି। ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ବାର୍ଷିକ ବଜେଟ୍ ପରିମାଣ ୨୯,୧୫୦ କୋଟି ଟଙ୍କା ରହିଛି। ଏଥିରେ କେନ୍ଦ୍ର ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରକଳ୍ପ ମଧ୍ୟ ସାମିଲ ଅଛି। ଚଳିତବର୍ଷ ରାଜ୍ୟ ନିମନ୍ତେ ୩୭,୨୭୩ କୋଟି ଟଙ୍କାର ଯୋଜନା ବ୍ୟୟ ପ୍ରସ୍ତାବ ରହିଛି।

 

ରାଜ୍ୟ ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କ୍ଷତିର ପୂରା ଆକଳନ କରାଯିବା ପରେ ମୋଟ କ୍ଷତି ପରିମାଣ ୩୫,୦୦୦ କୋଟି ଟଙ୍କା ବା ତା’ଠାରୁ ଅଧିକ ହୋଇପାରେ। ଏତେ ପରିମାଣର କ୍ଷତିକୁ ନେଇ ରାଜ୍ୟ ସରକାର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ସୂଚନା ଅନୁସାରେ ସଡ଼କ ନେଟ୍ଓ୍ଵର୍କରେ ମୋଟ କ୍ଷତି ପରିମାଣ ୪,୫୦୦ କୋଟି ଟଙ୍କା ହୋଇଥିବା ବେଳେ ବିଦ୍ୟୁତ୍ କ୍ଷେତ୍ରରେ ୭୫୦ କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି। ସେହିଭଳି ଜଳ ବିଭାଗକୁ ମୋଟ ୯୦୦ କୋଟି ଟଙ୍କା କ୍ଷତି ଘଟିଥିବା ଆକଳନ ହୋଇଛି। ରିଲିଫ ଶିବିରରେ ଏବେ ବି ୮.୬୯ ଲକ୍ଷ ଲୋକ ଆଶ୍ରୟ ନେଇଛନ୍ତି। ସେହିଭଳି ବନ୍ୟା ଯୋଗୁ ୨୫.୬ ଲକ୍ଷ ଘରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ତନ୍ମଧ୍ୟରୁ ୨୩.୩୬ ଲକ୍ଷ ଘରେ ବିଜୁଳି ସଂଯୋଗ ସ୍ୱାଭାବିକ କରାଯାଇଛି। ଖୁବଶୀଘ୍ର ଅନ୍ୟ ଘରଗୁଡ଼ିକୁ ବିଜୁଳି ସଂଯୋଗ ସ୍ୱାଭାବିକ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି ।

 

ତେବେ କେରଳରେ ଉଦ୍ଧାର କାର୍ଯ୍ୟପରେ ସେନା ରାଜ୍ୟବାସୀଙ୍କଠାରୁ ବିଦାୟ ନେବ ବୋଲି ଜଣାପଡିଛି । ଲୋକଙ୍କ ଜୀବନ ରକ୍ଷା କରିଥିଲେ। କେଉଁଠି କୃତ୍ରିମ ପୋଲ ତିଆରି କରିଥିଲେ ତ କେଉଁଠି ଲୋକଙ୍କୁ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନକୁ ନେଇଥିଲେ। ସେମାନଙ୍କ ଏହି ମହାନ୍ କାର୍ଯ୍ୟକୁ କେରଳବାସୀ ଆଦୌ ଭୁଲିବେ ନାହିଁ। ରାଜ୍ୟ ସରକାର ମଧ୍ୟ ସେମାନଙ୍କ ପ୍ରତି କୃତଜ୍ଞ ରହିବେ। ଇତିମଧ୍ୟରେ ଉଦ୍ଧାର କାର୍ଯ୍ୟ ସରିଥିବାରୁ ପ୍ରତିରକ୍ଷା କ୍ଷେତ୍ରର ବିଭିନ୍ନ ସେନା କର୍ମଚାରୀ ରବିବାର ରାଜ୍ୟରୁ ବିଦାୟ ନେବେ। ଏଥିପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବିଦାୟ କାଳୀନ ଉତ୍ସବର ଆୟୋଜନ କରାଯାଇଛି। ଏ ସଂକ୍ରାନ୍ତରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ନିକଟରେ ଘୋଷଣା କରିଥିଲେ।