ଚାଷୀଙ୍କ ପାଇଁ ଟଙ୍କା, ଚାଷୀ ପୁଅଙ୍କ ପାଇଁ ବୃତି ! ‘କାଳିଆ’ ପରେ କାଳିଆ ଛାତ୍ର ବୃତ୍ତି ଯୋଜନା, ଚାଷୀ ପିଲାଙ୍କ ଉଚ୍ଚଶିକ୍ଷା ଖର୍ଚ୍ଚ ଦେବେ ସରକାର ।

315

କନକ ବ୍ୟୁରୋ : କାଳିଆ ଯୋଜନା ପରେ କାଳିଆ ଛାତ୍ର ବୃତ୍ତି ଯୋଜନା । କାଳିଆ ଯୋଜନା ପାଉଥିବା ଚାଷୀଙ୍କ ପିଲାମାନଙ୍କ ପାଇଁ ଏହି ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନା ଅନୁଯାୟୀ, ସେମାନଙ୍କ ଉଚ୍ଚଶିକ୍ଷା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଆଜି କେନ୍ଦୁଝରରେ ଆୟୋଜିତ ଚାଷୀ ମହାସମାବେଶରେ କାଳିଆ ଛାତ୍ର ବୃତ୍ତି ଯୋଜନା ଘୋଷଣା ସହ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରାଇରଙ୍ଗପୁରରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ହଜାରେ କୋଟି ଟଙ୍କାର ପ୍ୟାକେଜ ସହ ୩ ଟି ଘୋଷଣା କରିଛନ୍ତି ।

‘କାଳିଆ’ ପରେ କାଳିଆ ଛାତ୍ର ବୃତ୍ତି ଯୋଜନା । ଚାଷୀ ପିଲାଙ୍କ ଉଚ୍ଚଶିକ୍ଷା ଖର୍ଚ୍ଚ ଦେବେ ସରକାର । କାଳିଆ ଯୋଜନାର ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା, କାଳିଆ ଛାତ୍ର ବୃତ୍ତି ଯୋଜନା । ଏହି ଯୋଜନାରେ ଚାଷୀ ପରିବାରର ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ବୃତି ଦେବେ ରାଜ୍ୟ ସରକାର । ଯୋଗ୍ୟତା ଆଧାରରେ ବୃତିଭିତିକ ସରକାରୀ କଲେଜରେ ନାମ ଲେଖାଇଥିବା ଚାଷୀ ପରିବାରର ପିଲାମାନଙ୍କୁ ଏହି ସୁବିଧା ମିଳିବ । କେନ୍ଦୁଝର ଚାଷୀ ମହାସମାବେଶରେ ନବୀନ ଚାଷୀଙ୍କୁ କହିଛନ୍ତି, ଆପଣମାନଙ୍କ ପିଲାଙ୍କୁ ଭଲ ପାଠ ପଢାନ୍ତୁ, ସେମାନଙ୍କ ଉଚ୍ଚଶିକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର । ଚାଷୀ ପରିବାରର ପିଲା, ଡାକ୍ତର, ଇଂଜିନିୟର, ମ୍ୟାନେଜର ହୁଅନ୍ତୁ, ଏହା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

ମୟୂରଭଂଜ ପାଇଁ ୧୦୦୦ କୋଟିର ପ୍ୟାକେଜ । ରାଇରଙ୍ଗପୁର ପାଇଁ ୩ଟି ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଇରଙ୍ଗପୁରରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗଦେଇ କହିଛନ୍ତି, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଉନ୍ନତୀକରଣ କରାଯିବ । ପିପିପି ମୋଡରେ ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ପରିଣତ କରାଯିବ । ରାଇରଙ୍ଗପୁରରେ କ୍ରୀଡାର ବିକାଶ ପାଇଁ ମଡେଲ୍ ଷ୍ଟାଡିଅମ୍ ନିର୍ମାଣ କରାଯିବ । ରାଇରଙ୍ଗପୁର ପାଇଁ ଜଣେ ଏଡିଏମ୍ ରହିବେ । ପିଏଆଇଟିଡିଏ ଅଧିକାରୀ ଏଡିଏମ୍ ଦାୟିତ୍ୱରେ ତୁଲାଇବେ । ମିଶନ ଶକ୍ତି ସମାବେଶରେ ଯୋଗ ଦେଇ ୪୫ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ୯୬୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୭୪୫୩ ମହିଳା ଏସଏଚଜି ସଦସ୍ୟଙ୍କୁ  ୧୫ ହଜାର ଟଙ୍କା ଲେଖାଏଁ ସିଡ୍ ମନି ସହାୟତା ପ୍ରଦାନ କରାଯାଇଛି ।