ଦୁର୍ଗମ ଅଂଚଳରେ ପହଂଚି ପାରୁନି ସରକାରୀ ସୁବିଧା : ଶୋଷ ମେଂଟାଉଛି ନାଳ ପାଣି, ରୋଗୀଙ୍କ ଭରସା ଭାର ଆମ୍ବୁଲାନ୍ସ

40

କନକ ବ୍ୟୁରୋ : ସରକାର ଲୋକଙ୍କ ପାଖରେ ରାସ୍ତା ଘାଟ, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଳି ସର୍ବନିମ୍ନ ସୁବିଧା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କଳାହାଣ୍ଡି ଭଳି ଦୁର୍ଗମ ଅଂଚଳରେ ଥିବା ନିରୀହ ଆଦିବାସୀ ମାନଙ୍କ ପାଖରେ ଏହି ସୁବିଧା ପହଂଚି ପାରୁନାହି । ରୋଗରେ ପୀଡିତ ରୋଗୀଙ୍କୁ ଭାରରେ ବୋହି କରି ନେବା ସହ ପାନୀୟ ଜଳ ଅଭାବରୁ ନାଳ ପାଣି ପିଇବା ପାଇଁ ଲୋକେ ବାଧ୍ୟ ହେଉଛନ୍ତି ।

କଳାହାଣ୍ଡିର ଦୁର୍ଗମ ଅଂଚଳରେ ପହଂଚି ପାରୁନି ସରକାରୀ ଯୋଜନା । ପାନୀୟ ଜଳ ପାଇଁ ବ୍ୟବସ୍ଥା ନାହିଁ, ଗାଁକୁ ଯିବା ପାଇଁ ଭଲ ରାସ୍ତା ନାହିଁ । କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ଅଂଚଳର ଦୁର୍ଗମ ଅଂଚଳରେ ବିକାଶର ଚିହ୍ନବର୍ଣ୍ଣ ବି ନାହିଁ । ତଲଝାପି ପଂଚାୟତର ଲାଞ୍ଜିଗଡ ଗାଁର ଲୋକେ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ଲାଞ୍ଜିଗଡ ଗାଁରେ ୪୦ ପରିବାର ରହୁଥିବା ବେଳେ ପାନୀୟ ଜଳର ବ୍ୟବସ୍ଥା ନାହିଁ । ତେଣୁ ଗାଁର ମହିଳମାନେ ଇନ୍ଦ୍ରାବତୀ ନଦୀର ଶାଖା ନାଳରୁ ପାଣି ଆଣି ପରିବାରର ଶୋଷ ମେଂଟାଉଛନ୍ତି । ସେହିପରି ନାଳ ଉପରେ ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନାହିଁ । ବାଧ୍ୟରେ ଲୋକେ ରୋଗୀଙ୍କୁ ଭାରରେ ବୋହି ନାଳ ପାର କରି ଡାକ୍ତରଖାନା ନେଉଥିବା ଦେଖିବାକୁ ମିଳିଛି ।

ଏକବିଂଶ ଶତାଦ୍ଦିରେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଂଚି ପାରୁନାହି । ଥୁଆମୁଳ ରାମପୁର ବ୍ଲକର କେବଳ ଲାଞ୍ଜିଗଡ ନୁହେଁ ଅଂଚଳର ବହୁ ଗ୍ରାମର ଅବସ୍ଥା ପ୍ରାୟ ସମାନ । ସରକାରୀ ଉଦାସିନତା ଓ ରାଜନେତାଙ୍କ ପ୍ରବଂଚନା ଗ୍ରାମବାସୀଙ୍କୁ ନିରାଶ କରିଛି ।