ବିଶ୍ୱର ସବୁଠାରୁ ଗରୀବ ରାଷ୍ଟ୍ରପତି ! ଯିଏ ନିଜ କଥା ନୁହଁ ଦେଶର ସ୍ୱାର୍ଥକୁ ଦେଇଛନ୍ତି ପ୍ରାଥମିକତା । ନିଜେ ଚାଷକାମ କରି ଦାନ କରିଦିଅନ୍ତି ଦରମା

44

ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସରିଛି ଏବଂ ଖୁବ୍ ଶୀଘ୍ର ଭାରତର ନୂଆ ରାଷ୍ଟ୍ରପତିଙ୍କ ନାମ ଘୋଷଣା ମଧ୍ୟ ହୋଇଯିବ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବିଶ୍ୱରେ ଏଭଳି ରାଷ୍ଟ୍ରପତି ରହିଛନ୍ତି ଯିଏ ସାଧାରଣ ଲୋକଙ୍କ ଭଳି ବିଲରେ କାମ କରନ୍ତି । ସବୁଠାରୁ ବଡକଥା ହେଲା ସେ ନିଜର କାର୍ଯ୍ୟକାଳ ସମୟରେ ମିଳିଥିବା ସମସ୍ତ ଦରମାକୁ ଦାନ କରିଦେଇଥିଲେ ଏବଂ ନିଜ ଦେଶକୁ ନେଇ ଯାଇଥିଲେ ଉନ୍ନତିର ଶୀର୍ଷକୁ । ଆଜିବି ସେ ନିଜେ କରିଥିବା ଫୁଲ ଚାଷରେ ହେଉଥିବା ସମସ୍ତ ଲାଭକୁ ଦାନ କରନ୍ତି । ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ ।

ଦକ୍ଷିଣ ଆଫ୍ରିକାର ଦକ୍ଷିଣପୂର୍ବ ଭାଗରେ ଅବସ୍ଥିତ ‘ଉରୁଗୁଏ’ । ଏହି ଦେଶ ସଂପର୍କରେ ଆଲୋଚନା କଲେ ସେଠାକାର ୪୦ତମ ରାଷ୍ଟ୍ରପତି ଜୋସ୍ ମୁଜିକା (୮୨ ବର୍ଷ)ଙ୍କ ନାଁ ସର୍ବପ୍ରଥମେ ଉଠିଥାଏ । ମୁଜିକା ଜଣେ ଏଭଳି ନେତା, ଯାହାଙ୍କୁ ବହୁତ ଗରୀବ ଭାବେ ଗଣାଯାଏ ।

ଜୋସ୍ ମୁଜିକା ପେଶାରେ ଜଣେ ଚାଷୀ ଅଟନ୍ତି । ୨୦୧୫, ମାର୍ଚ୍ଚ ମାସରେ ସେ ଏକଥା କହି ନିଜ ପଦରୁ ଇସ୍ତଫା ଦେଇଥିଲେ କି , ତାଙ୍କୁ ତାଙ୍କର ତିନିଗୋଡିଆ ବନ୍ଧୁ ମୈନୁଅଲ୍ ଏବଂ ଚାରି ଗୋଡିଆ ବନ୍ଧୁ ବିଟଲ୍ ସହିତ ସମୟ ବିତାଇବାକୁ ସୁଯୋଗ ମିଳୁନାହିଁ । ତେବେ ମୈନୁଅଲ୍ ହେଉଛି ତାଙ୍କ ପାଳିତ କୁକୁର ଏବଂ ବିଟଲ୍ ହେଉଛି ତାଙ୍କ ଗାଡିର ନାଁ । ମୁଜିକା ପାଂଚ ବର୍ଷ କାର୍ଯ୍ୟକାଳ ଭିତରେ ନିଜ ଦେଶକୁ ଉନ୍ନତିର ଶୀର୍ଷକୁ ନେଇଯାଇଥିଲେ । କିନ୍ତୁ ସେ ନିଜେ ରହିଯାଇଥିଲେ ‘ଗରୀବ’ ହୋଇ ।

ଭିଆଇପି ସୁବିଧାରୁ ନିଜକୁ ଦୂରେଇ ରଖିଥିଲେ

ଉରୁଗୁଏର ପୂର୍ବତନ ରାଷ୍ଟ୍ରପତି ମୁଜିକାଙ୍କୁ ବିଶ୍ୱର ସବୁଠାରୁ ଗରୀବ ରାଷ୍ଟ୍ରପତି ବୋଲି କୁହାଯାଏ । କାରଣ ସେ ସର୍ବଦା ଜଣେ ଫକୀରଙ୍କ ଭଳି ଜୀବନ କାଟିଛନ୍ତି । ଜୋସ୍ ନିଜର କାର୍ଯ୍ୟକାଳ ସମୟରେ ବି ରାଷ୍ଟ୍ରପତି ଭବନ ପରିବର୍ତ୍ତେ ନିଜର ଦୁଇ ବଖରା ବିଶିଷ୍ଟ ପକ୍କାଘରେ ରହିଥିଲେ ଏବଂ ସୁରକ୍ଷା ନାମରେ ନେଇଥିଲେ କେବଳ ଦୁଇଜଣ ପୁଲିସକର୍ମୀଙ୍କର ସହାୟତା ।

ନିଜେ କରନ୍ତି ଚାଷକାମ

ମୁଜିକା ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ନିଜେ କୂଅରୁ ପାଣି କାଢନ୍ତି ଏବଂ ନିଜ ପୋଷାକ ନିଜେ ସଫା କରନ୍ତି । ଖାଲି ସେତିକି ନୁହେଁ ମୁଜିକା ତାଙ୍କ ପତ୍ନୀଙ୍କ ସହିତ ମିଶି ଫୁଲ ଚାଷ ମଧ୍ୟ କରନ୍ତି । ଚାଷ ପାଇଁ ଟ୍ରାକ୍ଟର ବି ସେ ନିଜେ ଚଲାନ୍ତି ଆଉ ଯଦି ଟ୍ରାକ୍ଟର ଖରାପ ହୋଇଯାଏ ତେବେ ସେ ତାକୁ ମଧ୍ୟ ସଜାଡି ଥାନ୍ତି । ସବୁଠାରୁ ବଡକଥା ହେଲା ସେ ନିଜର ସମସ୍ତ କାମ ନିଜେ ହିଁ କରନ୍ତି କେବେ କାହାର ସହାୟତା କିମ୍ବା ନିଜ କ୍ଷମତାର ଅପବ୍ୟବହାର କରିନାହାଁନ୍ତି ।

ଦାନ କରିଦିଅନ୍ତି ଦରମା

ଗୋଟିଏ ଦେଶର ରାଷ୍ଟ୍ରପତିଙ୍କୁ ଯାହା ବି ସୁବିଧା ମିଳିବା ଦରକାର ସେ ସମସ୍ତ ସୁବିଧା ମୁଜିକାଙ୍କୁ ବି ଦିଆଯାଇଥିଲା । ମାତ୍ର ସେ ସେଗୁଡିକୁ ଗ୍ରହଣ କରିନଥଲେ । ଜଣେ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରନ୍ତି । ତେବେ ମୁଜିକାଙ୍କୁ ଦରମା ଆକାରରେ ମିଳୁଥିଲା ୧୩, ୩୦୦ ଡଲାର୍ । ଯେଉଁଥିରୁ ସେ ୧୨, ୦୦୦ ଡଲାର୍ ଗରୀବଙ୍କୁ ଦାନ କରିଦେଉଥିଲେ । ବଳକା ୧୩୦୦ ଡଲାରରୁ ସେ ୭୭୫ ଡଲାର ଛୋଟ ବ୍ୟବସାୟୀଙ୍କୁ ମଧ୍ୟ ଦାନ କରିଦିଅନ୍ତି ।

ଛାତିରେ ଖାଇଥିଲେ ଛ’ଥର ଗୁଳି

୧୯୬୦-୭୦ରେ ଉରଗୁଏରେ ଗରିଲା ସଂଘର୍ଷ ବେଳର ସବୁଠାରୁ ବଡ ନେତା ଭାବେ ଜଣାଶୁଣା ଜୋସ୍ ମୁଜିକା । ଗରିଲ୍ଲା ସଂଘର୍ଷ ସମୟରେ ସେ ଛ’ଥର ଗୁଳି ଖାଇଥିଲେ ଏବଂ ୧୪ ବର୍ଷ ଜେଲ୍ ବି ଯାଇଥିଲେ । ୧୯୮୫ରେ ଜୋସଙ୍କୁ ସେତେବେଳେ ମୁକ୍ତ କରିଦିଆଗଲା ଯେତେବେଳେ ଦେଶରେ ଲୋକତନ୍ତ୍ର ଫେରିଥିଲା ।

ଯଦି ଆପଣଙ୍କୁ ଲାଗୁଛି କି ଉରୁଗୁଏ ଏକ ଗରୀବ ଦେଶ ଓ ଏଠାକାର ରାଷ୍ଟ୍ରପତି ମଧ୍ୟ ଗରୀବ । ତେବେ ଏକଥା ଭାବିବା ଭୁଲ୍ ଅଟେ । କାରଣ, ଉରୁଗୁଏର ମୁଣ୍ଡପିଛା ଆୟ ମାସିକ ୫୦,୦୦୦ ଟଙ୍କା ରହିଥାଏ ।