ଝାରସୁଗୁଡା : ଦୁଇ ବରିଷ୍ଠ କଂଗ୍ରେସ୍ ନେତା ପ୍ରଶାନ୍ତ ପଟେଲ୍ ଓ ଅନ୍ନପୂର୍ଣ୍ଣା ପଟେଲ୍ ବିଜେଡିରେ ଯୋଗ ଦେଲେ

29

ଝାରସୁଗୁଡା : କଣ ହେବ ରାଜ୍ୟ କଂଗ୍ରେସର ଭାଗ୍ୟ? ଏ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଆଶଙ୍କା ବଢିବାରେ ଲାଗିଛି । ପିସିସି ସଭାପତିଙ୍କ ଦିଲ୍ଲୀ ଗସ୍ତ ଓ ନେତୃତ୍ୱ ପରିବର୍ତନ ନେଇ କଳ୍ପନା ଜଳ୍ପନାକୁ ରାଜ୍ୟ ପ୍ରଭାରୀ ବିକେ ହରିପ୍ରସାଦ ପ୍ରତ୍ୟାଖାନ ପରେ ଏପରି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ଠିକ୍ ଏହି ସମୟରେ ଅନେକ ନେତା ଦଳଠାରୁ ମୁହଁ ଫେରାଇବା ପର୍ବ ଆରମ୍ଭ କରିଛନ୍ତି । ଶନିବାର ଝାରସୁଗୁଡାର ଦୁଇ ବରିଷ୍ଠ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ ପଟେଲ ଓ ପୂର୍ବତନ ମହିଳା କଂଗ୍ରେସ ସାଧାରଣ ସଂପାଦିକା ଅନ୍ନପୂର୍ଣ୍ଣା ପଟେଲ ବିଜେଡିରେ ମିଶିଛନ୍ତି ।

ସେମାନଙ୍କ ବିଜେଡିରେ ଯୋଗଦାନ ବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ଉପସ୍ଥିତ ଥିଲେ । ଏହି ଦୁଇ ନେତା ବିଧାୟକ ନବକିଶୋର ଦାସଙ୍କ ଡାହାଣ ହାତ ବୋଲି ବିବେଚନା କରାଯାଏ । ଏହାକୁ ରାଜନୈତିକ ମହଲରେ ବେଶ ଗୁରୁତ୍ୱର ସହ ନିଆଯାଉଛି ।