ରାଜ୍ୟକୁ ଦିଆଯିବ ରେଳବାଇର ଅବ୍ୟବହୃତ ଜମି ! ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

80

କନକ ବ୍ୟୁରୋ : ଭାରତୀୟ ରେଳବାଇ ଅଧୀନରେ ଅବ୍ୟବୃହତ ହୋଇ ପଡ଼ିରହିଥିବା ପ୍ରାୟ ୧୨,୦୦୦ ଏକର ଅତିରିକ୍ତ ଜମିକୁ ବିଭିନ୍ନ ରାଜ୍ୟକୁ ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଭୂମି ଚିହ୍ନଟ ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିବା ଜଣାପଡ଼ିଛି । ଭାରତୀୟ ରେଳ ପକ୍ଷରୁ ଏବାବଦରେ ବିଭିନ୍ନ ରାଜ୍ୟ ସରକାରଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯାଇଛି । ଭାରତ ସରକାରଙ୍କ ସାଧାରଣ ବିନିୟମ (ଜିଏଫ୍‌ଆର୍‌) ଅନୁଯାୟୀ ଭୂମି ପ୍ୟାଚ୍‌ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଛି । ଏହିସବୁ ଅବ୍ୟବହୃତ ଜମି ମଧ୍ୟରୁ କେତେକ ୧୯୦୦ ମସିହା ପୂର୍ବରୁ ଭାରତୀୟ ରେଳବିଭାଗ ଅଧୀନରେ ରହିଛି ।

ରେଲ୍‌ୱେ ବୋର୍ଡର ସଦସ୍ୟ (ଇଂଜିନିୟରିଂ) ଏମ୍‌କେ ଗୁପ୍ତା ନିକଟରେ ଓଡ଼ିଶା ସମେତ ଆସାମ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡ଼ୁ, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ପାଞ୍ଜାବ, ରାଜସ୍ଥାନ, ମହାରାଷ୍ଟ୍ର ଆଦି ଭଳି ୧୩ଟି ରାଜ୍ୟର ମୁଖ୍ୟସଚିବଙ୍କୁ ଏନେଇ ଚିଠି ମାଧ୍ୟମରେ ଜଣାଇଛନ୍ତି । ବର୍ତମାନ ସମୟରେ ଜମିର ଆବଶ୍ୟକତା ଯଥେଷ୍ଟ ଅଧିକ ଥିବା ବେଳେ ରେଳ ବିଭାଗ ପକ୍ଷରୁ ବିଭିନ୍ନ ରାଜ୍ୟକୁ ପ୍ରଦାନ କରାଯିବାକୁ ଥିବା ଏହି ଜମି ବିଭିନ୍ନ କାର୍ଯ୍ୟରେ ଲାଗିବା ନେଇ ରେଳମନ୍ତ୍ରୀ ପିୟୁଷ ଗୋଏଲ୍‌ କହିଛନ୍ତି । ରେଳ ବିଭାଗ ପକ୍ଷରୁ ୧୩ଟି ରାଜ୍ୟରେ ଏହି ଜମି ଚିହ୍ନଟ ହୋଇଛି ।

ଏହି ପ୍ରକ୍ରିୟାରେ ରେଳ ବିଭାଗ ଓଡ଼ିଶା ସରକାରଙ୍କୁ ୫୦.୮୭ ହେକ୍ଟର ବା ପ୍ରାୟ ୧୨୫ ଏକର ଜମି ଫେରେଇବେ । ଏନେଇ ରେଳ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ପୂର୍ବତଟ ରେଳପଥ ଅଧୀନରେ ହୀରାକୁଦର ଅତି ନିକଟରେ ଏହି ଜମି ରହିଛି । ୧୯୦୬ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ବେଳେ ବିଭିନ୍ନ ସାମଗ୍ରୀ ପାଇଁ ରେଳ ବିଭାଗର ସହାୟତା ନିଆଯାଉଥିଲା । ବର୍ତମାନ ରେଳ ବିଭାଗ ଏହି ଜମିକୁ ପୁନର୍ବାର ଓଡ଼ିଶା ସରକାରଙ୍କୁ ଫେରାଇବା ନେଇ ସୂଚନା ଦେଇଛି ।