ଏମିତି ଆମ ଭାରତୀୟ ରେଳବିଭାଗ ! ଯାତ୍ରୀଙ୍କ ୧୦୦୦ ବର୍ଷର ଆଗୁଆ ଟିକେଟ କାଟିଲା ରେଳବାଇ, ଆଉ ତାପରେ…

38

ଟିକେଟ ଉପରେ ଭୁଲ ତାରିଖ ଲେଖା ହୋଇଥିବା କାରଣରୁ ସହରଣପୁରର ଉପଭୋକ୍ତା ଅଦାଲତ ଭାରତୀୟ ରେଳବାଇ ବିରୋଧରେ ଜରିମାନା ଲଗାଇଛି । ବାସ୍ତବରେ ଏହି ଘଟଣାଟି ହେଉଛି ୨୦୧୩ ମସିହାର । ଦୀର୍ଘ ୫ ବର୍ଷ ପରେ ଏହି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ଅଦାଲତ ।

ସୂଚନା ଅନୁଯାୟୀ, ବିଷ୍ଣୁକାନ୍ତ ଶୁକ୍ଳା ନାମକ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗ ଘରକୁ ଯିବା ପାଇଁ ୨୦୧୩ ମସିହାରେ ସହାରଣପୁରରୁ ଜୟପୁର ଯିବା ପାଇଁ ଟିକେଟ କରିଥିଲେ । ସେହି ଟିକେଟ ଉପରେ ୨୦୧୩ ବଦଳରେ ୩୦୧୩ ତାରିଖ ଲେଖାଯାଇଥିଲା । ଶୁକ୍ଳା ଏହାକୁ ନଦେଖି ଜୟପୁର ଯାତ୍ରା ପାଇଁ ଟ୍ରେନରେ ବସିଥିଲେ । ପରେ ଟିଟି ଆସି ଟିକେଟ ଯାଞ୍ଚ କରିଥିଲେ । ଶୁକ୍ଳାଙ୍କ ଟିକେଟ ଉପରେ ଲେଖା ହୋଇଥିବା ଭୁଲ ତାରିଖକୁ ଦେଖି ଟିଟି ବିଷ୍ଣୁକାନ୍ତଙ୍କ ମଜା ଉଡାଇବା ସହ ୮୦୦ ଟଙ୍କା ଜୋରିମାନା ମଧ୍ୟ କରିଥିଲେ । ଶୁକ୍ଳା ୮୦୦ ଟଙ୍କା ଜୋରିମାନା ଦେବା ପରେ ମଧ୍ୟ ଟିଟି ତାଙ୍କୁ ମୁରାଦାବାଦ ଷ୍ଟେସନ ଓହ୍ଲାଇ ଦେଇଥିଲେ । ଏହି ଘଟଣା ଶୁକ୍ଳାଙ୍କ ମନକୁ ବହୁତ କଷ୍ଟ ଦେଇଥିଲା । କାରଣ ଶୁକ୍ଳାଙ୍କର ଏହି ଯାତ୍ରା ଏକ ମହତ୍ୱପୂର୍ଣ୍ଣ ଯାତ୍ରା ଥିଲା । ତାଙ୍କ ସାଙ୍ଗର ସ୍ତ୍ରୀ ମୃତ୍ୟୁବରଣ କରିଥିଲେ ସେଥିପାଇଁ ଶୁକ୍ଳା ଜୟପୁର ଯାଉଥିଲେ । କିନ୍ତୁ ରେଳବାଇର ଏପରି ଖାମଖିଆଲି କାର୍ଯ୍ୟ ପାଇଁ ସେ ତାଙ୍କ ସାଙ୍ଗଙ୍କ ପାଖକୁ ଯାଇପାରିନଥିଲେ ।

ଶୁକ୍ଳା ସହାରଣପୁର ଫେରି ରେଳବାଇ ବିରୋଧରେ ଉପଭୋକ୍ତା କୋର୍ଟରେ ଅଭିଯୋଗ କରିଥିଲେ । କିନ୍ତୁ ଏହି ମାମଲାର ସମାଧାନ ହେବା ପାଇଁ ଶୁକ୍ଳାଙ୍କୁ ୫ ବର୍ଷ ଅପେକ୍ଷା କରିବାକୁ ପଡିଥିଲେ ମଧ୍ୟ କୋର୍ଟ ପକ୍ଷରୁ ଉଚିତ ନ୍ୟାୟ ପାଇଥିଲେ । କୋର୍ଟ ରେଳବାଇ ଉପରେ ୧୦ ହଜାର ଟଙ୍କା ଜରିମାନା ଲଗାଇବା ସହ ଶୁକ୍ଳାଙ୍କୁ ୩ ହଜାର ଟଙ୍କା କ୍ଷତିପୁରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲା ।