ସ୍ତ୍ରୀର ବେକ ଦାଆରେ କାଟି ହତ୍ୟା କଲା ସ୍ୱାମୀ ! ମା’ ଛେଉଣ୍ଡ ହୋଇଗଲେ ଦୁଇ କୁନି ଝିଅ

45

କନକ ବ୍ୟୁରୋ : ଗାଁ ଦାଣ୍ଡରେ ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ପିପିଲି ଦାଣ୍ଡମୁକୁନ୍ଦପୁରର ମହାଲିମ୍ବପଦା ଗାଁରେ । ବିବାହକୁ ୮ ବର୍ଷ ବିତିଥିବା ବେଳେ ଦୁଇଟି ଝିଅ ଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ତେବେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀର ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଛି । ଅଭିଯୁକ୍ତ ସ୍ୱାମୀ ଏବେ ଫେରାର ହୋଇଯାଇଛି ।

ଘର ବାରଣ୍ଡାରେ ଚୁପ୍ଚାପ୍ ବସିଛନ୍ତି ଦୁଇ ଭଉଣୀ । ରଜରେ ଦୋଳି ଖେଳିବାର ମଜା ନାହିଁ । ଦଇବ ଏମାନଙ୍କ ଉପରେ ଦାଉ ସାଧିଛି । ସେମାନଙ୍କ ମା’ କୁ ହତ୍ୟା କରିଛି ସୈତାନ ବାପା । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ପରେ ଥାନାରେ ଅଭିଯୋଗ କରିବାକୁ ଯାଉଥିବା ସମୟରେ ସ୍ତ୍ରୀକୁ ଦାଆରେ ହାଣି ହତ୍ୟା କରିଛି ସ୍ୱାମୀ । ପିପିଲି ଦାଣ୍ଡମୁକୁନ୍ଦପୁର ମହାଲିମ୍ବପଦା ଗାଁରେ ରହୁଥିବା ରୋଷନ ନାୟକ ଓ ତାଙ୍କ ପତ୍ନୀ ରଞ୍ଜନା ନାୟକଙ୍କ ମଧ୍ୟରେ ଦୀର୍ଘଦିନର ଝଗଡା ଶେଷରେ ହତ୍ୟାକାଣ୍ଡରେ ଶେଷ ହୋଇଛି । ଦୁଇଝିଅଙ୍କୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ ସେ କରିଥିଲା । କିନ୍ତୁ ଏଥିରେ ବିଫଳ ହୋଇଥିଲା । ଆଉ ଏହାପରେ ହତ୍ୟାକାରୀ ସ୍ୱାମୀ ଫେରାର ହୋଇଯାଇଛି । ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମା’କୁ ହରାଇ ପୂରା ତୁନି ପଡ଼ି ଯାଇଛନ୍ତି ଦୁଇ ଝିଅ । ଓଠରେ ହସ ନାହିଁ କିନ୍ତୁ ମନ ଭିତର ପୂରା କାନ୍ଦି ଉଠୁଛି । ଏବେ କାନ୍ଦିଲେ କିଏ ତାଙ୍କୁ ତୁନି କରିବ । ଏଭଳି ଅନେକ ପ୍ରଶ୍ନବାଚୀ ଏ ଦୁଇ କୁନି ଝିଅଙ୍କ ମନରେ । ୧୦ଦିନ ତଳେ ପତ୍ନୀକୁ କିରାସିନି ଢାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲା ସ୍ୱାମୀ । କିନ୍ତୁ ଥାନାରେ ଆପୋଷ ବୁଝାମଣା ପରେ ଗତକାଲି ଘଟିଲା ଏହି ଅଘଟଣ ।