ଆଇସିସି ମହିଳା ବିଶ୍ୱକପ୍ ! ଭାରତ ବନାମ ଇଂଲଣ୍ଡ ମହାମୁକାବିଲା ପୂର୍ବରୁ ଜାଣନ୍ତୁ ଏହି ୧୦ ଟି ତଥ୍ୟ

41

ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଆଜି ଆୟୋଜକ ଇଂଲଣ୍ଡକୁ ଭେଟିବ ଭାରତୀୟ ମହିଳା କ୍ରିକେଟ ଦଳ । ଲର୍ଡସ ପଡିଆରେ ଖେଳାଯିବାକୁ ଥିବା ଏହି ବହୁ ପ୍ରତିକ୍ଷୀତ ମୁକାବିଲାରେ ଭାରତ ପାଖରେ ପୁରୁଣା ଧାରା ବଦଳାଇବାକୁ ସୁଯୋଗ ରହିବ । ଆଜି ବିଜୟୀ ହେଲେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରେ ବିଶ୍ୱକପ ଜିତିବାରେ ଭାରତ ପ୍ରଥମ ଦେଶ ହେବ । ଭାରତ ଚଳିତ ଥର ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ୩୫ ରନରେ ହରାଇଥିଲା ।

ସେମିଫାଇନାଲରେ ୬ ଥର ବିଜେତା ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ତେଣୁ ଆଜି ଇଂଲଣ୍ଡକୁ ହରାଇ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ମିତାଲି ସେନା ସାମ୍ନାରେ ଆଜି ମାଇଲଖୁଂଟ ସୁଯୋଗ ରହିଛି । ଆଜି ଫାଇନାଲ ପୂର୍ବରୁ ଖେଳାଳିଙ୍କ ମନୋବଳ ବଢାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ଲାଗି  ବିସିସିଆଇ ପ୍ରତ୍ୟେକ ଖେଳାଳିଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଁଏ ଆର୍ଥିକ ପୁରସ୍କାର ଦେବାକୁ ଘୋଷଣା କରିଛି ।  ଫାଇନାଲରେ ବିଜୟୀ ହେଲେ ଏହି ରାଶି ବଢିବା ସମ୍ଭାବନା ରହିଛି ।

୧- ମହିଳା ବିଶ୍ୱକପ୍ ଇତିହାସରେ ଭାରତ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି । ଏହା ପୂର୍ବରୁ ୨୦୦୫ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ଭାରତ ।

୨- ଇଂଲଣ୍ଡ ୨୦୧୭ ବିଶ୍ୱକପର ଆୟୋଜକ । ଏହା ପୂର୍ବରୁ ଇଂଲଣ୍ଡ ବିଶ୍ୱକପର ଦୁଇଥର ଆୟୋଜକ ରହିସାରିଛି ଓ ଦୁଇଥର ଯାକ ଯଥା- ୧୯୭୩ ଓ ୧୯୯୩ରେ ବିଶ୍ୱକପ ଜିତିଛି ।

୩- ଯଦିି ଚଳିତ ଥର ଭାରତ ଫାଇନାଲ ଜିତେ, ତେବେ ବିଶ୍ୱକପ୍ ଜିତିଥିବା ଚତୁର୍ଥ ରାଷ୍ଟ୍ର ହେବ । ଏହା ପୂର୍ବରୁ ୬ ଥର ଅଷ୍ଟ୍ରେଲିଆ, ୩ ଥର ଇଂଲଣ୍ଡ ଓ ଥରେ ନ୍ୟୁଜିଲାଣ୍ଡ ବିଶ୍ୱକପ୍ ଜିତିଛି ।

୪- ଇଂଲଣ୍ଡ ଶେଷ ଦୁଇ ଥର ଯଥା ୧୯୯୩ ଓ ୨୦୦୯ରେ ବିଶ୍ୱକପ ଫାଇନାଲରେ ପହଞ୍ଚି ଥିଲା ଓ ଦୁଇଥର ଯାକ ହିଁ ମ୍ୟାଚ୍ ଜିତିଥିଲା ।

୫- ଫାଇନାଲରେ ପହଞ୍ଚିଥିବା ପର୍ଯ୍ୟନ୍ତ ଭାରତ ୨୦୧୭ରେ ୧୯ଟି ଦିନିକିଆ ଖେଳିଛି । ଏଥିମଧ୍ୟରୁ ଭାରତ ୧୬ ଥର ବିଜୟ ହାସଲ କରିଥିବା ବେଳ ୩ ଟି ମ୍ୟାଚକୁ ହାରିଛି । ଏପଟେ ଇଂଲଣ୍ଡ ଚଳିତ ବର୍ଷ ୮ ଟି ଦିନିକିଆରୁ ୭ ଟି ଜିତିବା ସହ ଗାଟିଏ ମ୍ୟାଚରେ ଭାରତ ଠାରୁ ପରାସ୍ତ ହୋଇଛି ।

୬- ଭାରତ ଓ ଇଂଲଣ୍ଡ ଦିନିକିଆ କ୍ରିକେଟରେ ଲର୍ଡ଼ସରେ ଦୁଇ ଥର ସାମ୍ନାସାମ୍ନି ହୋଇଛନ୍ତିି । ଯେଉଁଠି ଉଭୟ ଟିମ୍ ଗୋଟିଏ ଲେଖାଏଁ ବିଜୟ ହାସଲ କରିଛନ୍ତି ।

୭- ବିଗତ ୪ ଟି ବିଶ୍ୱକପ୍ ଫାଇନାଲ ମ୍ୟାଚରୁ ୩ ଟିରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ବିଜୟୀ ହୋଇଛନ୍ତି ।

୮- ମିତାଲି ରାଜ୍ ଭାରତ ପକ୍ଷରୁ ଇଂଲଣ୍ଡ ବିରୋଧରେ ସର୍ବାଧିକ ରନ ହାସଲ କରିଛନ୍ତି ।

୯- ଭାରତର ହରମନପ୍ରୀତ କୌର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିରୋଧରେ ଅପରାଜିତ ୧୭୧ ରନ କରିଥିଲେ । ପୂର୍ବରୁ ବିଶ୍ୱକପ ଇତିହାସରେ ମାତ୍ର ୩ ଜଣ ଖେଳାଳି ଏତେ ବଡ଼ ସ୍କୋର କରି ପାରିଥିଲେ ।

୧୦ – ଇଂଲଣ୍ଡର ନେତାଲି ସ୍କାଇବର ୨୦୧୭ ବିଶ୍ୱକପରେ ଶତକ ଅର୍ଜନ କରିଥିବା ଏକମାତ୍ର ଖେଳାଳି ।