ତିତଲି ପାଇଁ କେନ୍ଦ୍ରର ସହାୟତା ଲୋଡିଲେ ରାଜ୍ୟ ସରକାର । ଆବଶ୍ୟକ ପଡିଲେ ସେନାବାହିନୀ ଓ ଆକାଶବାହିନୀକୁ ସଜାଗ ରହିବା ପାଇଁ କରାଯିବ ଅନୁରୋଧ

49

କନକ ବ୍ୟୁରୋ: ବାତ୍ୟା ତିତଲି ପାଇଁ ସରକାର ସତର୍କ । ତିତଲି ମୁକାବିଲା ପାଇଁ କେନ୍ଦ୍ର ସହାୟତା ମାଗିଲେ ଓଡିଶା ସରକାର । ଆବଶ୍ୟକ ପଡିଲେ ସେନାବାହିନୀ ଓ ଆକାଶବାହିନୀକୁ ସଜାଗ ରହିବା ପାଇଁ ଅନୁରୋଧ କରାଯାଇଛି । ଦରକାର ପଡିଲେ କୌଣସି ମୃହୁର୍ତରେ ବି କେନ୍ଦ୍ରର ସହାୟତା ମଗାନିଆଯାଇପାରେ । ଏପରିକି ଘଂଟା ପ୍ରତି ୧୫୦ କିଲୋମିଟର ବେଗରେ ପବନ ବହିପାରେ ।

ତିତଲି ପ୍ରଭାବରେ ବର୍ଷା ଯୋଗୁଁ ନଦୀରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିପାରେ । ଆବଶ୍ୟକୀୟ ରିଲିଫ ସାମଗ୍ରୀ ମହଜୁଦ ଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ନେଇଛନ୍ତି । ସମୂଦ୍ର କୂଳବର୍ତୀ ଲୋକଙ୍କୁ ସ୍ଥାନ୍ତାନ୍ତର କରାଯାଇଛି । ୮୩୬ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ଏନଡିଆରଏଫ ଟିମ ସଜାଗ ଅଛନ୍ତି । ରେଡ ୱାର୍ଣ୍ଣିଂ ଅଂଚଳକୁ ଏନଡିଆରଏଫ ଟିମକୁ ପଠାଯାଇଛି । ଏହା ସହ ଯେଉଁ ଜିଲ୍ଲାରେ କଲେଜ ବନ୍ଦ ରହିଛି , ସେହି ଅଂଚଳରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବ ।

ଅନ୍ୟପକ୍ଷରେ ତିତଲିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ବେଶ ସଜାଗ ହୋଇ ଉଠିଛନ୍ତି । ସମସ୍ତ ପ୍ରକାର ପ୍ରସ୍ତୁତି ଏକରକମ ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବା ଠାରୁ ଆରମ୍ଭ କରି ସମସ୍ତ ଜିଲ୍ଲାପାଳଙ୍କୁ ସର୍ତକ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତିତଲି ପାଇଁ ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜକୁ ବନ୍ଦ କରାଯାଇଛି । ଏପରିକି ଅତ୍ୟାବଶ୍ୟକ ଔଷଧ ମହଜୁଦ ରଖିବାକୁ କୁହାଯାଇଛି । ଗଂଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେପଟେ, ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ତିତଲି । ଗୋପାଳପୁରଠାରୁ ୩୭୦ କିଲୋମିଟର ଦୂରରେ ରହିଛି ଏହି ସାମୁଦ୍ରିକ ବାତ୍ୟା । ଆଉ ଦୃଶ୍ୟମାନ ହେଲାଣି ବାତ୍ୟାର କେନ୍ଦ୍ରସ୍ଥଳ । ଘଂଟାପ୍ରତି ୧୫କିଲୋମିଟର ଆଖି ଭିତରେ ପ୍ରବଳ ବେଗରେ ପବନ ବୁଲୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।