ପୁରୀ ସତ୍ୟବାଦୀରେ ହେବ ଓଡିଆ ବିଶ୍ୱବିଦ୍ୟାଳୟ : ରାଜ୍ୟ ସରକାର ଯୋଗାଇବେ ୨୫ ଏକର ଜମି

51

କନକ ବ୍ୟୁରୋ : ପୁରୀ ଜିଲ୍ଲା ସତ୍ୟବାଦୀରେ ହେବ ରାଜ୍ୟର ପ୍ରଥମ ଓଡିଆ ବିଶ୍ୱ ବିଦ୍ୟାଳୟ । ଏସମ୍ପର୍କିତ ପ୍ରସ୍ତାବ ଉପରେ ବାଜିଛି ଐତିହ କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ୪ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ । ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଟ୍ରଷ୍ଟ ଗଠନ ନିଷ୍ପତି । ଏଥିପାଇଁ କର୍ପସ ପାଣ୍ଠି ଗଠନ କରିବାକୁ ଐତିହ୍ୟ କ୍ୟାବିନେଟରେ ନିଷ୍ପତି ନିଆଯାଇଛି । ସେହିପରି ରାଜ୍ୟରେ ‘ଓଡିଆ ସଂସ୍କୃତି ଓ ଐତିହ୍ୟ’ ନୀତି ପ୍ରଣୟନ କରିବାକୁ ବି ନିଷ୍ପତି ହୋଇଛି । ଏଥିସହ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶକ ପଦବୀ ସୃଷ୍ଟି ପାଇଁ ନିଷ୍ପତି ନେଇଛି ଐତିହ୍ୟ କ୍ୟାବିନେଟ୍ ।

ପୁରୀ ଜିଲ୍ଲାର ଐତିହାସିକ ସ୍ଥାନ ସତ୍ୟବାଦୀରେ ହିଁ ଏହା ପ୍ରତିଷ୍ଠା କରାଯିବ । ଓଡ଼ିଶାର ପ୍ରସିଦ୍ଧ ପଞ୍ଚସଖାଙ୍କ କର୍ମସ୍ଥଳୀ, ଖ୍ୟାତିସଂପନ୍ନ ବନ ବିଦ୍ୟାଳୟ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସାଧନାର ପୀଠ ଭାବେ ସତ୍ୟବାଦୀ ଇତିହାସର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସେଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ଆପାତତଃ ଚିହ୍ନଟ ହୋଇଛି । ତେବେ ଆଗାମୀ ଦିନରେ କିଛି ପଦାଧିକାରୀ ଯାଇ ଜମି ନିରୂପଣ ପ୍ରକ୍ରିୟା ଚୂଡ଼ାନ୍ତ କରିବେ । ଓଡ଼ିଶା ଭାଷା ଶାସ୍ତ୍ରୀୟ ଭାଷା । ଏହାର ସାହିତ୍ୟ ସମୃଦ୍ଧ । ବିଭିନ୍ନ କ୍ଷେତ୍ର ଯଥା: ଚାରୁକଳା, ବୟନଶିଳ୍ପ, ତାରକସି କାର୍ୟ୍ୟ, ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ନୌବାଣିଜ୍ୟ, ମନ୍ଦିରର ସ୍ଥାପତ୍ୟ, ବୌଦ୍ଧ ଓ ଜୈନ କୀର୍ତିରାଜି ପ୍ରଭୃତି ସାରା ବିଶ୍ୱରେ ଜଣାଶୁଣା । ସେହିପରି ଜନଜାତିଙ୍କ କଳା, ସଂସ୍କୃତି, ନୃତ୍ୟ ଆଦିର ରକ୍ଷଣାବେକ୍ଷଣ ତଥା ପ୍ରଚାର ପ୍ରସାର ଆବଶ୍ୟକ । ଏଥିପାଇଁ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ କରାଯିବ । ଐତିହ୍ୟ କ୍ୟାବିନେଟ୍ ଏହାକୁ ମଞ୍ଜୁରି ଦେଇଛନ୍ତି । ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏକ ଚିଠା ପ୍ରସ୍ତୁତ କରିବ । ଅବଶ୍ୟ, ଏଥିପାଇଁ ନିର୍ଦିଷ୍ଟ ସମୟସୀମା ଧାର୍ୟ୍ୟ କରାଯାଇନାହିଁ ବୋଲି ଶ୍ରୀ ପାଢ଼ୀ କହିଥିଲେ ।

ରାଜ୍ୟର ସମସ୍ତ ପାଠାଗାରର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ସାର୍ବଜନୀନ ପାଠାଗାର ନିର୍ଦେଶକ ପଦବି ସୃଷ୍ଟି କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ୨୦୦୧ରେ ଓଡ଼ିଆ ସାର୍ବଜନୀନ ପାଠାଗାର ଆଇନ ପ୍ରଣୟନ କରାଯାଇଥିଲା। ୨୦୧୬ରେ ଏହାର ନିୟମାବଳୀ ଅଣାଗଲା । ବର୍ତମାନ ସଂସ୍କୃତି ବିଭାଗ ନିର୍ଦେଶକଙ୍କ ଅଧୀନରେ ରାଜ୍ୟର ସମସ୍ତ ପାଠାଗାର ରହିଛି । କିଛି ପାଠାଗାର ସୂଚନା ଓ ଲୋକସଂପର୍କ ବିଭାଗ ଅଧୀନରେ ଥିବା ବେଳେ ଅନ୍ୟ କିଛି ପୌର ପରିଷଦ ଓ ଅବଶିଷ୍ଟ ସଂସ୍କୃତି ବିଭାଗ ଅଧୀନରେ ପରିଚାଳିତ ହେଉଛି। ସଂସ୍କୃତି ନିର୍ଦେଶକଙ୍କ ପାଇଁ ଏହା ପରିଚାଳନା କଷ୍ଟକର ହେଉଥିବା ମୁଖ୍ୟ ସଚିବ କହିଥିଲେ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୈତୃକ ବାସଭବନ ଆନନ୍ଦ ଭବନକୁ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରରେ ପରିଣତ କରାଯାଇଛି । ଏହା ରାଜ୍ୟ ସଂଗ୍ରହାଳୟ ଅଧୀନରେ ପରିଚାଳିତ । ଏହାର ସୁପରିଚାଳନା ପାଇଁ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଟ୍ରଷ୍ଟରେ ପରିଣତ କରିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ଐତିହ୍ୟ କ୍ୟାବିନେଟ୍ । ଏହି ଟ୍ରଷ୍ଟର ପରିଚାଳନା ପାଇଁ କର୍ପସ ପାଣ୍ଠି ଗଠନ କରାଯିବ । ତେବେ ଏହି ପାଣ୍ଠିରେ କେତେ ଅର୍ଥ ଜମା ହେବ ସେ ନେଇ ନିଷ୍ପତ୍ତି ନିଆଯାଇନଥିବା ମୁଖ୍ୟ ସଚିବ କହିଥିଲେ । ସୂଚନାଯୋଗ୍ୟ, ୨୦୧୭ ଡିସେମ୍ବର ୨୬ ତାରିଖରେ ପୁରୀରେ ଅନୁଷ୍ଠିତ ଐତିହାସିକ କ୍ୟାବିନେଟଙ୍କ ନିଷ୍ପତ୍ତି ମୁତାବକ ଗଠିତ ହୋଇଛି ନୂଆ ବିଭାଗ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି । କେବଳ ବିଭାଗ ଗଠନ ନୁହେଁ, ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଐତିହ୍ୟ କ୍ୟାବିନେଟ୍ ମଧ୍ୟ ରୂପ ପାଇଛି ।