ରାଜ୍ୟରେ ଯୁକ୍ତ୨ କଲେଜରେ ଖାଲିପଡିଛି ୧ଲକ୍ଷ ୨୦ହଜାର ସିଟ : ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଏପର୍ଯ୍ୟନ୍ତ ବାହାରି ନାହିଁ ବିଜ୍ଞପ୍ତି

93

କନକ ବ୍ୟୁରୋ : ଯୁକ୍ତ୩ ପରେ ଏବେ ସରକାରଙ୍କ ଯୁକ୍ତ୨ ସିଟ ଚିନ୍ତା । ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ ପିଲାମାନେ କଲେଜରେ ନାମ ଲେଖାଇଥିଲେ । ତେବେ ପ୍ରଥମ ପର୍ୟ୍ୟାୟ ନାମଲେଖା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ଖାଲିପଡ଼ିଛି ୧ ଲକ୍ଷ ୨୦ ହଜାର ସିଟ୍ । ହେଲେ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ଏ ପର୍ଯ୍ୟନ୍ତ ବାହାରି ପାରୁନାହିଁ । ତେବେ ବର୍ତ୍ତମାନ ସମୟରେ ନାମ ଲେଖାଇ ନଥିବା ଛାତ୍ରଛାତ୍ରୀ ନାମଲେଖାଇବା ପାଇଁ ଅପେକ୍ଷା କରିଥିଲେ ମଧ୍ୟ ବିଜ୍ଞପ୍ତି ନ ବାହାରିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଇତି ମଧ୍ୟରେ ଯୁକ୍ତ ୩ କଲେଜଗୁଡ଼ିକ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି।
ରାଜ୍ୟର ୨୦୦୩ଟି ଯୁକ୍ତ୨ କଲେଜର କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ୪ ଲକ୍ଷ ୪୮ ହଜାର ୭୯୮ ସିଟରେ ନାମଲେଖା ହେଉଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଆହୁରି ୧ଲକ୍ଷ ୨୦ହଜାର ୩୬୦ ସିଟ୍ ଖାଲି ପଡ଼ିଛି। କଳା ବିଭାଗରେ ୨ ଲକ୍ଷ ୩୬ ହଜାର ୮୯୪ ସିଟ୍ ମଧ୍ୟରୁ ୨୪ ହଜାର ୯୦୯ ସିଟ୍ ବଳକା ରହିଛି। ବିଜ୍ଞାନ ବିଭାଗରେ ୧ ଲକ୍ଷ ୪୩ ହଜାର ୩୭୮ ସିଟ୍ ମଧ୍ୟରୁ ୬୦ ହଜାର ୫୦୩, ବାଣିଜ୍ୟରେ ୪୫ ହଜାର ୪୧୧ ସିଟ୍ ମଧ୍ୟରୁ ୨୪ ହଜାର ୨୭ଟି, ସଂସ୍କୃତ ବିଭାଗରେ ୧୨ ହଜାର ୩୬ଟି ସିଟ୍ ମଧ୍ୟରୁ ୪ ହଜାର ୮୨୮ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୧୧ ହଜାର ୮୮ ସିଟ୍ ମଧ୍ୟରୁ ୬ ହଜାର ୯୩ ସିଟ୍ ଖାଲି ପଡ଼ିଛି। କୌଣସି ଜିଲ୍ଲାରେ ଶତ ପ୍ରତିଶତ ସିଟ୍ ପୂରଣ ହୋଇ ନ ଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଏକ ହଜାରରୁ କମ୍ ସିଟ୍ ଖାଲିରହିଛି।

ମାଟ୍ରିକ୍ ସପ୍ଲିମେଣ୍ଟାରିରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସମେତ ପ୍ରଥମ ପର୍ଯ୍ୟାୟ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରିଛନ୍ତି। ଅଭିଭାବକମାନେ ମଧ୍ୟ ସୋସିଆଲ୍ ମିଡିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତୁରନ୍ତ ନାମଲେଖା କରା ନ ଗଲେ ଯୁକ୍ତ୨ ପାଠପଢ଼ାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହେବେ ବୋଲି ସେମାନେ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପାଇଁ ଖୁବ୍ଶୀଘ୍ର ବିଜ୍ଞପ୍ତି ବାହାରିବ। ରାଜ୍ୟର କିଛି ସ୍ଥାନରେ ଯୁକ୍ତ୨ କଲେଜଗୁଡିକରେ ସିଟ୍ ପୂରଣ ହୋଇଥିବାରୁ ସେଠାରେ ସିଟ୍ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ପୂର୍ବବର୍ଷଗୁଡ଼ିକରେ ଯେଉଁ କଲେଜରେ ସିଟ୍ ପୂରଣ ହୋଇଥିଲା, ପରେ ସେଠାରେ ୨୫ ପ୍ରତିଶତ ସିଟ୍ ବୃଦ୍ଧି କରାଯାଇ ନାମଲେଖା ହୋଇଥିଲା।

ତେବେ ସରକାର ପିଲାମାନଙ୍କ ପାଠପଢିବା ପାଇଁ ଅନେକ ଯୋଜନା କରୁଛନ୍ତି । କିନ୍ୁ ପ୍ରକୃତରେ ପିଲାମାନେ ପାଠପଢିବା ପାଇଁ କଲବେଜରେ ନା୍ମ ଲେଖାଇବାକୁ ଅପେକ୍ଷା କରିଥିଲେ ମଧ୍ୟ ନାମ ଲେଖାଇ ପାରୁନାହାନ୍ତି । ତେଣୁ କେବେ କଲେଜ ଗୁଡିକରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ପିଲାମାନେ ପାଠ ପଢିବେ ତାହା ଉପରେ ହିଁ ନଜର । ଏପଟେ ଅଗଷ୍ଟମାସରୁ ପାଠପଢି କି କିପରି ଭାବରେ ସଠିକ ସମୟରେ ପାଠ୍ୟକ୍ରମ ଶେଷ କରିବେ ସେନେଇ ଚିନ୍ତାରେ ଛାତ୍ରଛାତ୍ରୀ ।