କୁଳଭୂଷଣଙ୍କ ପରିବାରକୁ ଅପମାନ ନେଇ ଭାରତର ଅଭିଯୋଗ ଉପରେ ସଫେଇ ରଖିଲା ପାକିସ୍ତାନ ! କହିଲା, ପତ୍ନୀଙ୍କ ଜୋତାରେ ଲାଗିଥିଲା ସନ୍ଦେହ ଜନକ ଜିନିଷ

21

କନକ ବ୍ୟୁରୋ : କୁଳଭୂଷଣକୁ ସାକ୍ଷାତ ସମୟରେ ତାଙ୍କ ମା’ ଓ ସ୍ତ୍ରୀଙ୍କୁ ସୁରକ୍ଷା ଆଳରେ ପାକିସ୍ତାନରେ ନିର୍ଯାତନା ଦିଆଯାଇଥିବା ଭାରତ ଅଭିଯୋଗ ଆଣିବା ପରେ ସଫେଇ ଦେଇଛି ପାକିସ୍ତାନ । ତେବେ ନିଜ ସଫେଇରେ ଅଜବ ଉତ୍ତର ରଖିଛନ୍ତି ପାକିସ୍ତାନୀ କର୍ତ୍ତୃପକ୍ଷ । କହିଛନ୍ତି, କୁଲଭୂଷଣଙ୍କ ପତ୍ନୀଙ୍କ ଯୋତା ଭିତରେ କିଛି ସନ୍ଦିଗ୍ଧ ଜିନିଷ ଲାଗିଥିଲା । ଯେଉଁଥି ପାଇଁ କୁଳଭୂଷଣଙ୍କୁ ଦେଖାକରିବା ଆଗରୁ ତାଙ୍କ ପତ୍ନୀଙ୍କର ମଙ୍ଗଳସୁତ୍ର, ଚୁଡ଼ି ଓ ପାଦରୁ ଜୋତା ମଧ୍ୟ କାଢ଼ି ଦେଇଥିଲେ ପାକ୍ ସୁରକ୍ଷାକର୍ମୀ ।

ଏପରିକି କୁଲଭୂଷଣଙ୍କ ପତ୍ନୀଙ୍କୁ ଏପର୍ଯ୍ୟନ୍ତ ତାଙ୍କ ଜୋତା ଫେରାଇ ଦିଆଯାଇନି । ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ସୁଚନା ଅନୁସାରେ ଏହି ଯୋତାର ଯାଂଚ କରାଯାଉଛି । ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଲଭୂଷଣଙ୍କୁ ଭେଟିବାକୁ ଯାଇଥିବା ତାଙ୍କ ମାଆ ଓ ପତ୍ନୀଙ୍କୁ ପାକ୍ ଗଣମାଧ୍ୟମ ମଧ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଖୁନୀ ପୁଅକୁ ସାକ୍ଷାତ କରି କେମିତି ଲାଗୁଛି ବୋଲି ମଧ୍ୟ କୁଲଭୂଷଣଙ୍କ ମା’ ଅବନ୍ତୀଙ୍କୁ ପ୍ରଶ୍ନ କରିଥିଲା ପାକିସ୍ତାନୀ ମିଡିଆ ।

ସୂଚନାଯୋଗ୍ୟ କୁଳଭୂଷଣକଙ୍କ ସହ ଦେଖା ବେଳେ ତା’ଙ୍କ ମା’ ଓ ସ୍ତ୍ରୀଙ୍କୁ ସେମାନେ ପିନ୍ଧିଥିବା ବିନ୍ଦି ଓ ମଙ୍ଗଳସୂତ୍ରକୁ ଖୋଲିବାକୁ କହିଥିଲା ପାକିସ୍ତାନ । କାଚ ଏପଟ ରହି ସାକ୍ଷାତ ଓ ଆଲୋଚନା ପାଇଁ ବ୍ୟବସ୍ଥା ହୋଇଥିଲା । ପରେ କୁଳଭୂଷଣଙ୍କ ପତ୍ନୀ ଓ ମାଆଙ୍କୁ ଟିକିନିକି ଯାଂଚ ଓ କଡ଼ା ସୁରକ୍ଷା ବଳୟରେ ନିଆଯାଇଥିଲା । ପରେ ବିନ୍ଦି ଓ ମଙ୍ଗଳସୂତ୍ର ଆଦି ଖୋଲି ଦେବାକୁ କହିବା ଦୁଇ ପକ୍ଷ ମଧ୍ୟରେ ଏ ନେଇ ହୋଇଥିବା ବୁଝାମଣାକୁ ପାକିସ୍ତାନ ଉଲଂଘନ କରିଛି ବୋଲି ଅଭିଯୋଗ କରିଥିଲା ଭାରତ । ଏପରିକି କୁଳଭୂଷଣଙ୍କ ମାଆଙ୍କୁ ମାତୃଭାଷାରେ କଥାବାର୍ତ୍ତା ହେବାକୁ ବାରଣ କରିଥିଲେ ପାକିସ୍ତାନ କର୍ତ୍ତୃପକ୍ଷ । ତେବେ ପାକିସ୍ତାନର ଏପରି ବ୍ୟବହାରର କଡ଼ା ସମାଲୋଚନା କରିଛି ଭାରତ ।