ଅସହ୍ୟ ହେଉଛି ତାତି : ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା ନାହିଁ

32

କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେବା ଫଳରେ ଏବେ ଆଉ ବର୍ଷାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ଅସମ୍ଭାଳ ତାତି ଅନୁଭୂତ ହେଲାଣି । କିଛି ଉପକୂଳ ଜିଲ୍ଲାରେ ବି ତାତି ୪୦ ଡିଗ୍ରି ଡେଇଁଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ପୁଣିଥରେ ବଢ଼ିଯାଇଛି । ଟିଟିଲାଗଡ଼ ଗତକାଲି ତତଲାଗଡ଼ ପାଲଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରି ବଢ଼ିଛି ।

ଭୁବନେଶ୍ୱରରେ ତାପମାତ୍ରା ୪୦.୨ ଡିଗ୍ରିରେ ପହଞ୍ଚିଛି । ଯେଉଁଥିପାଇଁ ଲୋକେ ପୂର୍ବାହ୍ନରୁ ଅପରାହ୍ଣ ପର୍ୟ୍ୟନ୍ତ ନାହିଁ ନ ଥିବା କଷ୍ଟ ଅନୁଭବ କରିଛନ୍ତି । ରଜରେ ବର୍ଷା ନ ଥିଲେ ମଧ୍ୟ ପ୍ରବଳ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସୂର୍ୟ୍ୟଙ୍କ ତେଜ ସେତେଟା ନ ଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଯୋଗୁଁ ଝାଳ ବାହାରିଥିଲା। ଶରୀରରୁ ଜଳୀୟ ଅଂଶ କମିଯାଇଥିବାରୁ ଅଂଶୁଘାତର ଆଶଙ୍କା ବି ସୃଷ୍ଟି ହେଲାଣି ।
heat wave

ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳୁଛି । ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମୌସୁମୀ ଦୁର୍ବଳ ହୋଇଯାଇଥିବାରୁ ଆସନ୍ତା ୨୩ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ନାହିଁ । ଏହାପରେ ପାଗରେ ପରିବର୍ତନ ଆସିପାରେ । ଯଦି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ ତେବେ ତାହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ । ନ ହେଲେ ମୌସୁମୀ ପୁଣିଥରେ ସକ୍ରିୟ ହେବାକୁ ସମୟ ଲାଗିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ଯେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ । ୨୧ ତାରିଖ ଯାଏ ଏଭଳି ସମ୍ଭାବନା ରହିଛି । ଏହାପରେ କିଛିଟା ପରିବର୍ତନ ଆସିପାରେ । ଉପକୂଳ ଓଡ଼ିଶାରେ ସେଭଳି କୌଣସି ପରିବର୍ତନ ହେବାର ନାହିଁ ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଟିଟିଲାଗଡରେ ୪୨ ଡିଗ୍ରି, ଅନୁୁଗୁଳ ଓ ଭବାନୀପାଟଣାରେ ୪୦.୭ ଡିଗ୍ରି, ବାରିପଦାରେ ୪୦.୬ ଡିଗ୍ରି, ବଲାଙ୍ଗୀରରେ ୪୦.୩ ଡିଗ୍ରି, ଚାନ୍ଦବାଲିରେ ୪୦.୨ ଡିଗ୍ରି, କଟକରେ ୪୦.୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।