ଟିମ ଇଣ୍ଡିଆ ପାଇଁ ଖୁସି ଖବର । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଦଳରେ ଯୋଗ ଦେଇ ପାରନ୍ତି ଏହି ଷ୍ଟାର ଖେଳାଳି

799

ରୋମାଞ୍ଚକର ସ୍ଥିତିରେ ଏବେ ପର୍ଥ ଟେଷ୍ଟ । ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ଏବେ ଏହି ଟେଷ୍ଟକୁ ଜିତିବାର ସୁଯୋଗ ରହିଛି । ଅନ୍ତିମ ଦିନରେ ଭାରତକୁ ୧୭୫ ରନର ଆବଶ୍ୟକତା ଥିବା ବେଳେ ଅଷ୍ଟ୍ରେଲିଆକୁ ଆବଶ୍ୟକ ମାତ୍ର ୫ଟି ୱିକେଟ । ଆଉ ଏଭଳି ସ୍ଥିତିରେ ଭାରତର ବିଜୟ ସମ୍ଭାବନା କ୍ଷୀଣ ଥିବା ବେଳେ ଅଷ୍ଟ୍ରେଲିଆ ହାତରେ ସୁବର୍ଣ୍ଣ ସୁଯୋଗ ରହିଛି । ପ୍ରଥମ ଟେଷ୍ଟରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟକୁ ଜିତି ସିରିଜରେ ଆଗୁଆ ରହିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଏହି ମ୍ୟାଚ୍ ଜିତି ସିରିଜକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଆଉ ଏଭଳି ସମୟରେ ଭାରତ ପାଇଁ ଏକ ଖୁସି ଖବର ଆସିଛି ।

ତୃତୀୟ ଟେଷ୍ଟ ପୂର୍ବରୁ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ସାମିଲ ହୋଇପାରନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ସରନଦୀପ ସିଂ ମୁମ୍ବାଇ ଓ ବରୋଦା ମଧ୍ୟରେ ଖେଳାଯାଉଥିବା ରଣଜୀ ମ୍ୟାଚ୍ ସମୟରେ ହାର୍ଦ୍ଦିକଙ୍କ ସହ ଆଲୋଚନା କରିଛନ୍ତି । ରିପୋର୍ଟ ଅନୁଯାୟୀ, ଆଲୋଚନା ପରେ ଅଷ୍ଟ୍ରେଲିଆ ଯାଇ ଟିମ ଇଣ୍ଡିଆ କ୍ୟାମ୍ପରେ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ହେବେ କି ନାହିଁ ତାହା ତାଙ୍କ ଉପରେ ଛାଡି ଦେଇଛନ୍ତି ଚୟନକର୍ତ୍ତା ।

ହାର୍ଦ୍ଦିକ ପାଣ୍ଡ୍ୟା ଟିମରେ ଯୋଗ ଦେବା ପରେ ଭାରତୀୟ ଟିମରେ ସନ୍ତୁଳନ ରଖା ଯାଇପାରିବ । ହାର୍ଦ୍ଦିକ ଯଦି ଖେଳନ୍ତି ତେବେ ୭ଟି ବ୍ୟାଟସମ୍ୟାନ କିମ୍ବା ୫ଟି ବୋଲରଙ୍କୁ ନେଇ ଖେଳିବାକୁ ଭାରତୀୟ ଟିମର ଯେଉଁ ଚିନ୍ତା ରହିଛି ତାହା ସମ୍ପୂର୍ଣ୍ଣ ଦୂର ହୋଇଯିବ । ପାଣ୍ଡ୍ୟା ଟିମରେ ସ୍ଥାନ ପାଇବା ଦ୍ୱାରା ରବୀନ୍ଦ୍ର ଜାଡେଜର ଧ ଅଶ୍ୱିନୀଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବାକୁ ବିକଳ୍ପ ମଧ୍ୟ ଖୋଲା ରହିବ । ହାର୍ଦ୍ଦିକ ଏସିଆ କପରେ ଆହତ ସିରିଜ ମଝିରୁ ଟିମରୁ ବାଦ ପଡିଥିଲେ ।

ତେବେ କଠିନ ପରିଶ୍ରମ ବଳରେ ପୁଣିଥରେ ଟିମକୁ ଫେରିବାକୁ ଚେଷ୍ଟା ଜାରି ରଖିଛନ୍ତି ହାର୍ଦ୍ଦିକ । ମୁମ୍ବାଇ ବିପକ୍ଷ ରଣଜୀ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ସହ ଫର୍ମକୁ ଫେରିବାର ସୂଚନା ଦେଇଛନ୍ତି ହାର୍ଦ୍ଦିକ । ପ୍ରଥମ ପାଳିରେ ୫ ୱିକେଟ ଓ ୭୩ ରନର ଇନିଂସ ଖେଳିବା ସହ ପୁଣିଥରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ହାର୍ଦ୍ଦିକ ।