କଣ୍ଡୋମ୍ ଟିକସଶୂନ୍ୟ, ସାନିଟାରି ନାପକିନ୍ କାହିଁକି ନୁହେଁ ? ଜେଟଲୀ ସାର୍, ଏହା ବିଳାସପୂର୍ଣ୍ଣ ଦ୍ରବ୍ୟ କି ?

5

ଜିଏସଟି ବାହାରେ ସାନିଟାରି ନାପକିନ୍ ରଖିବାକୁ ଜାତୀୟ ସ୍ତରରେ ଆରମ୍ଭ ହୋଇଛି କ୍ୟାମ୍ପେନ୍ । କାହିଁକି ଏହି ଦ୍ରବ୍ୟ ଉପରେ ପଡିବ ୧୨ ପ୍ରତିଶତ ଟିକସ? ଯାହାକୁ ନେଇ ଆରମ୍ଭ ହୋଇଛି ବିତର୍କ । ମହିଳାଙ୍କ ଉନ୍ନତି ତଥା ସଶକ୍ତିକରଣ ଦିଗରେ କାମ କରୁଥିବା ସରକାରଙ୍କର ଏହା କେଉଁ ପ୍ରକାରର ଆଭିମୁଖ୍ୟ ତାକୁ ନେଇ ବଡ ଧରଣର ବିବାଦ ସୃଷ୍ଟି ହୋଇଛି ।

WhatsApp Image 2017-07-13 at 4.33.19 PMଲୋକସଭାରେ ବିଜୁ ଜନତା ଦଳର ସାଂସଦ ତଥାଗତ ଶତପଥୀ କହିଛନ୍ତି, ଜିଏସଟି ବାହାରେ ସାନିଟାରି ନାପକିନ୍ ରଖିବାକୁ ଯେଉଁ କ୍ୟାମ୍ପେନ୍ ଆରମ୍ଭ ହୋଇଛି ମୁଁ ତାକୁ ସମର୍ଥନ କରୁଛି । ମହିଳାଙ୍କ ସ୍ୱଛତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଏହା ଟିକସ ସ୍ଲାବ୍ ବାହାରେ ରହିବା ଆବଶ୍ୟକ । ଏଥିସହ ତଥାଗତ ଆଣିଛନ୍ତି ଏକ ସାଂଘାତିକ ଅଭିଯୋଗ । କହିଛନ୍ତି, ବୋଧହୁଏ ଜିଏସଟି କାଉନସିଲରେ ସମସ୍ତେ ପୁରୁଷ ଥିବାରୁ କଣ୍ଡୋମ୍ ଉପରେ କୈାଣସି ଟିକସ ପଡିଲାନି । ଆଉ ସାନିଟାରି ନାପକିନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟ ଉପରେ କାହାର ନଜର ପଡିନି ।

ହେଲେ ଏହାରି ଭିତରେ କେନ୍ଦ୍ର ସରକାର ରଖିଛନ୍ତି ଯୁକ୍ତି । କହିଛନ୍ତି, ସାନିଟାରି ନାପକିନ୍ ଉପରେ ପୂର୍ବରୁ ଯେତିକି ଟିକସ ପଡୁଥିଲା, ଏବେ ତାଠାରୁ କମ ରହିଛି । ପୂର୍ବରୁ ଏହା ଉପରେ ୧୩.୭ ପ୍ରତିଶତ ଟିକସ ପଡୁଥିବା ବେଳେ ଏବେ ୧୨ ପ୍ରତିଶତ ଟିକସ ପଡୁଥିବା କେନ୍ଦ୍ର ସରକାର ସଫେଇ ଦେଇଛନ୍ତି ।

ଭାରତରେ ମହିଳାଙ୍କ ଉନ୍ନତି ପାଇଁ ତଥା ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଗ୍ରହଣ କରାଯାଇଥାଏ । ତେବେ କିଛି ଦିନ ଆଗରୁ ଆସିଥିବା ରିପୋର୍ଟ ଅନୁସାରେ, ଗ୍ରାମୀଣ ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀର ମହିଳା ନିଜ ସ୍ୱାସ୍ଥ୍ୟ ତଥା ସ୍ୱଛତା ପ୍ରତି ବିଲକୁଲ୍ ଯତ୍ନଶୀଳ ନଥାନ୍ତି । ଆଉ ସାନିଟାରି ନାପକିନ୍ ଉପରେ ଟିକସ ପୁଣି ଥରେ ସେମାନଙ୍କୁ ବିପଦ ଘେରକୁ ଟାଣିପାରେ ବୋଲି ଅନୁମାନ କରାଯାଉଛି ।

ଋତୁଚକ୍ର ସମୟରେ, ନିଜକୁ ସଫାସୁତୁରା ତଥା ସ୍ୱାସ୍ଥ୍ୟକର ରଖିବାକୁ ସାନିଟାରି ନାପକିନର ବ୍ୟବହାର ହୋଇଥାଏ । ହେଲେ ଅନେକ ସମୟରେ ଦେଖାଯାଏ, ଗାଁ ଗହଳିରେ ମହିଳା ସାନିଟାରି ନାପକିନ୍ ବ୍ୟବହାର କରିବା ବଦଳରେ କପଡା ବ୍ୟବହାର କରିଥାନ୍ତି । ଯାହା ଅସ୍ୱାସ୍ଥ୍ୟକର ତଥା ସେମାନଙ୍କ ପାଇଁ ବିପଦ ଆଣିଦେଇଥାଏ । ବେଟି ବଚାଓ ଓ ବେଟି ପଢାଓ ତଥା ମହିଳାଙ୍କ ସ୍ଥାସ୍ଥ୍ୟ ଓ ଶିକ୍ଷା ପାଇଁ ଯେତିକି ସଚେତନତା ସୃଷ୍ଟି କରାଯାଉଛି, ସେହି ବଦଳରେ ସରକାରଙ୍କର କାର୍ଯଶୈଳୀ ଅନେକ ବିବାଦକୁ ସାମ୍ନାକୁ ଆଣିଛି ।

ଜିଏସଟି କାଉନସିଲ ବାବଦରେ ଯେଉଁ ପ୍ରଶ୍ନ ଉଠିଛି ତାହା ସ୍ୱଭାବିକ । ହୁଏତ ନିଷ୍ପତ୍ତି ନେବା ପାଇଁ ଏକାଠି ହେଉଥିବା ଜିଏସଟି କାଉନସିଲ ଅଧିକାରୀ ମାନେ ମହିଳାଙ୍କ ପାଇଁ ନିତାନ୍ତ ଆବଶ୍ୟକତା ଥିବା ଏହି ସାମଗ୍ରୀ ବାବଦରେ ସେତିକି ଅବଗତ ନଥିଲେ ଯେଉଁଥିପାଇଁ କଣ୍ଡୋମ ଉପରେ କୈାଣସି ଟିକସ ପଡୁନଥିବା ବେଳେ ସାନିଟାରି ନାପକିନ୍ ଉପରେ ପଡୁଛି ୧୨ ପ୍ରତିଶତର ଟିକସ । ପ୍ରଶ୍ନ ଉଠିବ, ନୀତି ନିର୍ଦ୍ଧାରଣ କରୁଥିବା ବ୍ୟକ୍ତିବିଶେଷଙ୍କ ମନରେ ଆଜି ବି ପୌରୁଷତ୍ୱର ସେହି ମନୋଭାବ ରହିଛି କି? ମହିଳାଙ୍କ କ୍ଷେତ୍ରରେ ଆବଶ୍ୟକୀୟ ଦ୍ରବ୍ୟକୁ କଣ ସତରେ ଜିଏସଟି କାଉନସିଲର ସଦସ୍ୟ ମାନେ ବୁଝିପାରିନଥିଲେ?

WhatsApp Image 2017-07-13 at 4.32.41 PM (1)ସିନ୍ଦୁର, ବିନ୍ଦି ଆଉ ଚୁଡିକୁ ଟିକସ ମୁକ୍ତ ରଖାଯାଇଛି । ବୋଧହୁଏ ସଂସ୍କାରୀ ମହିଳାଙ୍କ ଗୋଟିଏ ଚେହେରାକୁ ଆଖି ଆଗରେ ରଖି ଜିଏସଟି କାଉନସିଲ ଏଭଳି ନିଷ୍ପତ୍ତି ନେଇଛନ୍ତି । ଅଥବା ସାନିଟାରି ନାପକିନ୍ ବାବଦରେ ଆଲୋଚନା କରିବାକୁ ସେମାନେ ନିଜକୁ ପ୍ରସ୍ତୁତ କରିପାରିନାହାନ୍ତି ଏଭଳି ଗୋଟିଏ ବାର୍ତ୍ତା ବି ସାମ୍ନାକୁ ଆସୁଛି । ତେବେ ସ୍ୱଛତା ଆଉ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ସରକାରଙ୍କ ସଂସ୍କାରୀ ଆଭିମୁଖ୍ୟ ଆବଶ୍ୟକ ନଥିଲା କି? ଠିକ୍ ଅଛି, ସରକାର କଣ୍ଡୋମକୁ ଟିକସ ବାହାରେ ରଖିଲେ । କିନ୍ତୁ ସେହି ସମୟରେ ଭାବିବା ଆବଶ୍ୟକ ଥିଲା, ସେକ୍ସ ସମୟରେ ଆବଶ୍ୟକ ପଡୁଥିବା କଣ୍ଡୋମ୍ ଏକ ଚଏସ୍ । ହେଲେ ସାନିଟାରି ନାପକିନ୍ ପ୍ରତି ମାସରେ ନିହାତି ଆବଶ୍ୟକ । ଉଭୟ ଦିଗକୁ ଚିନ୍ତା କରି କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବାର ଆବଶ୍ୟକତା ଥିଲା । ବୋଧହୁଏ ଖାସ୍ ଏଥିପାଇଁ ସବୁ ସ୍ତରରେ ଆରମ୍ଭ ହୋଇଛି ପ୍ରତିବାଦ । ଏପରିକି ବିଜେପି ମହିଳା ନେତ୍ରୀ ଉଠାଇଛନ୍ତି ପ୍ରତିବାଦର ସ୍ୱର ।

କିନ୍ତୁ ସାନିଟାରି ପ୍ରୋଟେକ୍ସନ ନେଇ ଏସି-ନେଲସନ୍ ରିପୋର୍ଟ କହୁଛି, ମାତ୍ର ୧୨ ପ୍ରତିଶତ ମହିଳା ସାନିଟାରି ନାପକିନ୍ ବ୍ୟବହାର କରିଥାନ୍ତି । ଦେଶରେ ୭୦ ପ୍ରତିଶତ ମହିଳା କୁହନ୍ତି, ସେମାନେ ଏହାକୁ ବ୍ୟବହାର କରନ୍ତିନି, କାରଣ ସାନିଟାରି ନାପକିନ୍ କିଣିବାକୁ ସେମାନେ ସକ୍ଷମ ନୁହଁନ୍ତି । ତେବେ ସରକାର କଣ କରୁଛନ୍ତି? ଦି ହିନ୍ଦୁର ରିପୋର୍ଟ ଅନୁସାରେ, ୨୦୧୨ରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ମିଳିତ ଭାବେ ଉଦ୍ୟମ ଆରମ୍ଭ କରିଛନ୍ତି । ୧୫୦ କୋଟିର ଏହି ସ୍କିମରେ ୬ଟି ସାନିଟାରି ପ୍ୟାଡକୁ ବିପିଏଲ କାଟାଗୋରୀରେ ଆସୁଥିବା ମହିଳାଙ୍କୁ ୧ ଟଙ୍କାରେ ମିଳୁଥିବା ବେଳେ ଗରିବୀ ସୀମା ରେଖା ଉପରେ ଥିବା ମହିଳାଙ୍କୁ ୬ଟି ସାନିଟାରି ପ୍ୟାଡ୍ ୬ ଟଙ୍କାରେ ଉପଲବ୍ଧ କରାଯାଉଛି । ସରକାରଙ୍କର ଏହି ପଦକ୍ଷେପ ସତ୍ୱେ ସାନିଟାରି ପ୍ୟାଡକୁ ବ୍ୟବହାର କରିବାକୁ ସେତେଟା ଆଗ୍ରହ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁନାହିଁ ।

WhatsApp Image 2017-07-13 at 4.32.42 PMକିଛି ମହିଳା ସମାଜସେବୀ କହିଛନ୍ତି, ସାନିଟାରି ପ୍ୟାଡ୍ ଏକ ବିଳାସପୁର୍ଣ୍ଣ ସାମଗ୍ରୀ ନୁହେଁ । ପ୍ରତି ମାସରେ ଏହା ମହିଳାଙ୍କ ଆବଶ୍ୟକ ପଡିଥାଏ । ସାନିଟାରୀ ପ୍ୟାଡ୍ ଋତୁସ୍ରାବ ସମୟରେ ବ୍ୟବହାର କରାଯାଏ । ତେଣୁ ଏହା କେବଳ ସହରାଂଚଳରେ ରହୁଥିବା ମହିଳାଙ୍କ ଆବଶ୍ୟକତା ନୁହେଁ, ବରଂ ସବୁସ୍ତରର ମହିଳା ଏହାର ଆବଶ୍ୟକ ଅନୁଭବ କରିଥାନ୍ତି । ତଥ୍ୟ କହୁଛି, ୮୮ ପ୍ରତିଶତ ମହିଳା ସାନିଟାରି ନାପକିନ୍ ବ୍ୟବହାର କରିବା ବଦଳରେ କପଡା ବ୍ୟବହାର କରିଥାନ୍ତି । ଫଳରେ ଏମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ମହିଳା ସଂକ୍ରମଣର ଶିକାର ହୁଅନ୍ତି ।

ଏଭଳି କ୍ଷେତ୍ରରେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ସରକାର କଣ ସାନିଟାରି ନାପକିନକୁ ଟିକସ ମୁକ୍ତ କରିପାରିବେ ନାହିଁ? କେନ୍ଦ୍ର ସରକାର କଣ ଭାବୁଛନ୍ତି, ସାନିଟାରି ନାପକିନ୍ ଏକ ବିଳାସପୂର୍ଣ୍ଣ ଦ୍ରବ୍ୟ? ଯେତେବେଳେ ସ୍ୱାଧୀନତା ପରେ ସବୁଠାରୁ ବଡ ଟିକସ ସଂସ୍କାର କେନ୍ଦ୍ର ସଂସ୍କାର କଲେ, ସେତେବେଳେ ଭାରତୀୟ କଣ ଚାହୁଁଛନ୍ତି କଣ ଜାଣିପାରିଲେନି ଜିଏସଟି କାଉନସିଲ୍ ସଦସ୍ୟ? ଏନେଇ ଗତ କିଛି ମାସ ଧରି ଲଗାତର ଭାବେ ଦାବି ହୋଇ ଆସୁଥିଲା, ଅନଲାଇନ କ୍ୟାମ୍ପେନ୍ ମଧ୍ୟ ଚାଲୁଥିଲା । ହେଲେ ସରକାର ବେଫିକର । ମାନନୀୟ ଜେଟଲୀ ଓ ଜିଏସଟି କାଉନସିଲ ସଦସ୍ୟ, ସମ୍ମାନର ସହ ଆମେ ଆପଣଙ୍କୁ କହୁଛୁ, ସାନିଟାରି ନାପକିନ୍ ମହିଳାଙ୍କ ଅତ୍ୟବଶ୍ୟକ ସାମଗ୍ରୀ ଯାହା ପ୍ରତି ମାସରେ ଆବଶ୍ୟକ ଏହା ଏକ ବିଳାସପୂର୍ଣ୍ଣ ସାମଗ୍ରୀ ନୁହେଁ ।

Comments are closed.