ବୋରୱେଲ ଭିତରୁ ପାଣି ବଦଳରେ ବାହାରିଲା ଗ୍ୟାସ ! ନିଆଁ ଲଗାଇ ଚାହା ପ୍ରସ୍ତୁତ କଲେ ଲୋକେ ।

273

ମଧ୍ୟପ୍ରଦେଶର ଏକ ଗ୍ରାମରେ ଏମିତି ଏକ ଘଟଣା ଘଟିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏଠାରେ ଏକ ବୋରୱେଲ ଖୋଳାଯାଉଥିବା ସମୟରେ ମାଟି ଭିତରୁ ପାଣି ବଦଳରେ ବାହାରିଥିଲା ଜ୍ୱଳନଶୀଳ ଗ୍ୟାସ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ପ୍ରଶାସନ ପକ୍ଷରୁ ଏହାକୁ ନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରୁଥିବା ବେଳେ, ସ୍ଥାନୀୟ ଲୋକମାନଙ୍କ କହିବା କଥା, ଏଠାରେ ଗ୍ୟାସର ଭଣ୍ଡାର ଥାଇପାରେ ।

ମଧ୍ୟପ୍ରଦେଶର ବଡୋଦା ତହସିଲର ମହାରାଜପୁରା ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ରବିବାର ରାତିରେ ଯେତେବେଳେ, ଗାଁରେ ଖୋଳାଯାଇଥିବା ବୋରୱେଲରେ ପାଇପ ପୁରାଯାଇଥିଲା, ସେତେବେଳେ ସେଥିରୁ ପାଣି ବଦଳରେ ବାହାରିଥିଲା ଗ୍ୟାସ । ତେବେ ଲୋକମାନେ ମଧ୍ୟ ଏହି ଘଟଣାର ଫାଇଦା ଉଠାଇଥିଲେ । ଗ୍ୟାସ ବାହାରୁଥିବା ପାଇପ ଉପରେ ସେମାନେ ମାଚିସ୍ ଜଳାଇଥିଲେ, ଏବଂ ସଙ୍ଗେ ସଙ୍ଗେ ନିଆଁ ମଧ୍ୟ ଧରିଥିଲା ।

ତେବେ ଉତ୍ସାହିତ ଥିବା ଲୋକମାନେ ପାଇପ ଉପରେ ବାସନ ଥୋଇ, ସେଥିରେ ଚାହା ପ୍ରସ୍ତୁତ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ବୋରୱେଲର ଗଭୀର ୬୦୦ ଫୁଟ ବୋଲି ଜଣାପଡିଛି । ସୋମବାର ସକାଳୁ ବୋରୱେଲରୁ ବାହାରୁଥିବା ଗ୍ୟାସର ପରିମାଣ କମିଯାଇଥିଲା । କିନ୍ତୁ ଏହାକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକମାନଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ତେବେ ମାଟିତଳୁ ଏପରି ଗ୍ୟାସ ବାହାରିଥିବାର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଅନେକ ସ୍ଥାନରେ ଏପରି ଘଟଣା ଦେଖିବାକୁ ମିଳିଛି ।