ଗରୁଡ଼ସ୍ତମ୍ଭ ନିକଟ ମରାମତି କାର୍ଯ୍ୟ ୪ ଦିନ ଭିତରେ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

31

କନକ ବ୍ୟୁରୋ: ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଗରୁଡସ୍ତମ୍ଭ ନିକଟରେ ପ୍ରସ୍ତାବିତ ମରାମତି କାର୍ଯ୍ୟ ୪ ଦିନ ଭିତରେ ଶେଷ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀଜଗନ୍ନାଥ ମନ୍ଦିର ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା ଯେ ଗରୁଡସ୍ତମ୍ଭ ନିକଟସ୍ଥ ଦୁର୍ବଳ ସ୍ଥାନର ମରାମତି ପାଇଁ ଏଏସଆଇକୁ ଡିସେମ୍ବର ୧୧ରେ ଚିଠି ଦିଆଯାଇଛି ।

ଡିସେମ୍ବର ୧୩ ତାରିଖରୁ ତଥା ଆଜିଠାରୁ ଏହି ମରାମତି କାମ ଆରମ୍ଭ କରି ଦୁଇ ଦିନ ଭିତରେ ଶେଷ କରିବାକୁ ଏଏସଆଇକୁ କୁହାଯାଇଥିଲା । ମରାମତି କାର୍ଯ୍ୟ ସଂପାଦନ ପାଇଁ ନିରୂପଣ କରାଯାଇଥିବା ସ୍ଥାନ ଶ୍ରୀମନ୍ଦିର ପ୍ରଶାସନ ପ୍ରଦାନ କରିବା ସହିତ ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ଚିଠିରେ ସ୍ପଷ୍ଟ କରାଯାଇଥିଲା । ଶୁଣାଣି ସମୟରେ ଏଏସଆଇ ପକ୍ଷରୁ ଦର୍ଶାଯାଇଥିଲା ଯେ ଏହି ମରାମତି କାର୍ଯ୍ୟ ପାଇଁ ଚାରି ଦିନ ଲାଗିବ। ତେଣୁ ଦୁଇ ଦିନ ପରିବର୍ତ୍ତେ ୪ ଦିନ ପ୍ରଦାନ ପାଇଁ ଏଏସଆଇ ପକ୍ଷରୁ ନିବେଦନ କରାଯାଇଥିଲା ।

ଗରୁଡସ୍ତମ୍ଭ ନିକଟ ମରାମତି କାର୍ଯ୍ୟ ୪ ଦିନ ଭିତରେ ଶେଷ କରି ୧୯ ତାରିଖ ସୁଦ୍ଧା ଏ ସଂପର୍କିତ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ଏଏସଆଇକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ବେହେରଣ ଦ୍ୱାର ନିକଟରେ ମରାମତି କାର୍ଯ୍ୟ ଚାଲିଛି । ଏହି ମରାମତି କାର୍ଯ୍ୟ ୨୦୧୮, ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ଶେଷ କରାଯିବା ପାଇଁ ଯୋଜନା ରହିଛି । ସେହିପରି ଏଏସଆଇ ପକ୍ଷରୁ ଦର୍ଶାଯାଇଛି ଯେ ଶ୍ରୀମନ୍ଦିର ପ୍ରଶାସନର ନଭେମ୍ବର ୨୦ ଓ ନଭେମ୍ବର ୨୮ ଚିଠିରେ ପ୍ରଦାନ କରାଯାଇଥିବା ପରାମର୍ଶ ଅନୁସାରେ ବେହରଣ ଦ୍ୱାର ମରାମତି କାର୍ଯ୍ୟ ଓ ଜୟ ବିଜୟ ଦ୍ୱାର ନିକଟ ଦୁର୍ବଳ ସ୍ଥାନର ମରାମତି କାର୍ଯ୍ୟ ଏକ ସମୟରେ କରାଯିବା ଉପଯୁକ୍ତ ହେବ ନାହିଁ । ଏପରି ପରିସ୍ଥିତିରେ ବେହେରଣ ଦ୍ୱାର ନିକଟ ମରାମତି କାର୍ଯ୍ୟ ସରିବା ପରେ ଜୟବିଜୟ ଦ୍ୱାର ନିକଟରେ ପ୍ରସ୍ତାବିତ ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ପ୍ରସ୍ତାବିତ ମରାମତି କାର୍ଯ୍ୟ ପାଇଁ ଚୂଡାନ୍ତ ଯୋଜନା ପ୍ରସ୍ତୁତ ହେବା ପରେ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯିବ।

ଶ୍ରୀମନ୍ଦିର ଗର୍ଭ ଗୃହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ଘଟଣାରେ ଏଏସଆଇ ପକ୍ଷରୁ ଦର୍ଶାଯାଇଛି ଯେ ଏହା ଏକ ଗୁରୁତର ପ୍ରସଂଗ । ଏଏସଆଇ ସହିତ ମରାମତି କାର୍ୟ୍ୟରେ ନିୟୋଜିତ ଏଜେନ୍ସିର କର୍ମଚାରୀ ଯେପରି ମନ୍ଦିର ଭିତରକୁ ମୋବାଇଲ୍ ଓ କ୍ୟାମେରା ସାଙ୍ଗରେ ନେଇ ନପାରିବେ, ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯବା ଆବଶ୍ୟକ । ଏଥିପ୍ରତି ମନ୍ଦିର ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ଦର୍ଶାଇ ପ୍ରଶାସନକୁ ଚିଠି ଲେଖାଯାଇଛି ବୋଲି ଏଏସଆଇ ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏଚ୍.ଏ.ନାୟକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ।