ଆଇପିଏଲ ଅଧାରୁ ଅଧିନାୟକ ପଦ ଛାଡିଲେ ଗୌତମ ଗମ୍ଭୀର ! ଜାଣନ୍ତୁ କିଏ ହେଲା ଦିଲ୍ଲୀର ନୂଆ କ୍ୟାପଟେନ

41

ଦିଲ୍ଲୀ ଡେୟାର ଡେଭିଲ୍ସର ଅଧିନାୟକ ପଦ ଛାଡିଲେ ଗୌତମ ଗମ୍ଭୀର । ଆଇପିଏଲରେ ଦିଲ୍ଲୀ ଡେୟାର ଡେଭିଲ୍ସର ନେତୃତ୍ୱ ନେଉଥିବା ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଛନ୍ତି । ଆଇପିଏଲ ମଝିରୁ ଗମ୍ଭୀର ଅଧିନାୟକ ପଦ ଛାଡିଥିବାରୁ ଶ୍ରେୟସ ଆୟରଙ୍କୁ ଦିଲ୍ଲୀର ନୂଆ କ୍ୟାପଟେନ ଘୋଷଣା କରାଯାଇଛି । ଅଧିନାୟକ ପଦ ଛାଡିବା ନେଇ ଗମ୍ଭୀର କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତି । ଚଳିତ ଆଇପିଏଲରେ ଟିମ୍ ପାଇଁ ଅଧିନାୟକ ଭାବେ ତାଙ୍କର ଯୋଗଦାନ ଖାସ୍ ରହିନାହିଁ । ଏପରିକି ଏବେ ତାଙ୍କ ଦଳ ପଏଣ୍ଟ ତାଲିକାର ଶେଷରେ ରହିଛି । ତେଣୁ ଏଭଳି ନିଷ୍ପତି ନେଇଥିବା କହିଛନ୍ତି ଗମ୍ଭୀର ।

୨୦୧୮ ଆଇପିଏଲ ପାଇଁ କୋଲକାତା ଛାଡି ପୁଣିଥରେ ହୋମ ଟିମକୁ କମବ୍ୟାକ କରିଥିଲେ ଦୁଇଥରର ଚାମ୍ପିୟନ କ୍ୟାପଟେନ । ଏପରିକି ପୂର୍ବ ଦଳକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରାଯାଇଥିଲା । ଅଧିନାୟକ ଭାବେ ଗୌତମ ଗମ୍ଭୀରଙ୍କୁ ନୂଆ ଦାୟିତ୍ୱ ମିଳିଥିଲା । ଗୌତମଙ୍କ ନେତୃତ୍ୱରେ ଦଳ ଦମଦାର ପ୍ରଦର୍ଶନ କରିବାକୁ ଆଶା ରଖିଥିଲା କିନ୍ତୁ ଚଳିତ ଆଇପିଏଲର ୬ଟି ମ୍ୟାଚରୁ ୫ମ ପରାଜୟ ସହ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଛି ଦଳ । ଏପରିକି ଖୋଦ ଅଧିନାୟକ ଗୌତମ ଗମ୍ଭୀରଙ୍କ ପ୍ରଦର୍ଶନ ମଧ୍ୟ ଉତ୍ସାହଜନକ ରହିନାହିଁ । ୬ଟି ମ୍ୟାଚରୁ ମାତ୍ର ୮୫ ରନ ସଂଗ୍ରହ କରିଛନ୍ତି ଏହି ବାମହାତୀ ବ୍ୟାଟସମ୍ୟାନ । ତେଣୁ ସମ୍ଭାବ୍ୟ ଦଳରେ ତାଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠିଥିଲା । ଏହାପରେ ଗମ୍ଭୀର ନିଜ ପକ୍ଷରୁ ଅଧିନାୟକ ପଦ ଛାଡିଥିବା ନେଇ ଘୋଷଣା କରିଛନ୍ତି ।