#Exclusive ତାରାଦତ୍ତ କମିଟି ସୁପାରିଶ ଉପରେ କଣ ନେଇଛ କାର୍ଯ୍ୟାନୁଷ୍ଠାନ । ସାତ ଦିନ ଭିତରେ ରିପୋର୍ଟ ଦେବାକୁ ଜିଏ ବିଭାଗର ନିର୍ଦ୍ଦେଶ ।

62

ଏକାଧିକ ଜମି ଆବଂଟନ ସଂକ୍ରାନ୍ତୀୟ ମାମଲା ଆଉ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ସେନେଇ ଆଭିମୁଖ୍ୟ କଡା କରିଛି ସାଧାରଣ ପ୍ରଶାସନ ବିଭାଗ । ବିଭାଗର ପ୍ରମୁଖ ସଚିବ ଅଶୋକ ମୀନାଙ୍କ ତରଫରୁ ବିଡିଏ, ସିଡିଏ ଭାଇସ ଚେୟାରମ୍ୟାନ ଏବଂ ଓଏସଏଚବି ସେକ୍ରେଟେରୀଙ୍କୁ ଚିଠି ଲେଖାଯାଇଛି । ତାରାଦତ୍ତଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଟାସ୍କଫୋର୍ସ କରିଥିବା ସୁପାରିଶ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେନେଇ ସାତ ଦିନ ଭିତରେ ଅବଗତ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି ।

ଚିଠିରେ ଲେଖାଯାଇଛି, ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏନେଇ ତମାମ ତଥ୍ୟ ଉପସ୍ଥାପନ କରିବାକୁ ବିଡିଏ, ସିଡିଏ ଏବଂ ଓଏସଏଚବିକୁ କୁହାଯାଇଥିଲା । କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେନଇ ଅବଗତ କରିବାକୁ ନିର୍ଦ୍ଦେଶ ରହିଥିଲା । ଏହାରି ଭିତରେ ୩ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆପଣ ମାନଙ୍କ ତରଫରୁ କୈଣସି ରେସପନ୍ସ ଆସିନାହିଁ । ରାଜ୍ୟ ମୁଖ୍ୟ ଶାସନ ସଚିବ ଏହି ପ୍ରସଙ୍ଗ ଉପରେ ନିକଟ ଭବିଷ୍ୟତରେ ରିଭ୍ୟୁ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସାତ ଦିନ ଭିତରେ ମାମଲା ସଂକ୍ରାନ୍ତୀୟ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ।

 

ଏକାଧିକ ଆବଂଟନ ମାମଲା ସଂକ୍ରାନ୍ତରେ ପୂର୍ବତନ ଆଇଏଏସ ତାରାଦତ୍ତ କମିଟି ଯେଉଁ ରିପୋର୍ଟ ଦେଇଥିଲେ, ତାକୁ ସାଢେ ୩ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆଉ ଏବେ ସାଧାରଣ ପ୍ରଶାସନ ବିଭାଗର ଚିଠି ପରେ ଚର୍ଚ୍ଚା ଜୋର ଧରିଛି ।

ତାରାଦତ୍ତ ବେଆଇନ ଆବଂଟନକୁ ବାତିଲ କରିବାକୁ ଯେଉଁ ନିର୍ଦ୍ଦେଶ ଦେଥିଲେ ସେଥିରେ ଥିଲେ ଅନେକ ପ୍ରଭାବଶାଳୀ ବ୍ୟକ୍ତି । ଆଉ ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନର ଫାଇଲ ଅଟକି ଯାଇଥିଲା । ଯାହାକୁ ନେଇ ରାଜନୈତିକ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ଆଉ ସାତ ଦିନ ଭିତରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ମାଗିବା ପ୍ରସଙ୍ଗକୁ ରୋଚକ କରିଛି ।