ସୋସିଆଲ ମିଡିଆରେ ଫେକ ନ୍ୟୁଜକୁ ସାବଧାନ ! ହ୍ୱାଟ୍ସଆପ କହିଲା ଏଭଳି ରୁହନ୍ତୁ ସତର୍କ, ପାଳନ କରନ୍ତୁ ନିୟମ ।

45

ହ୍ୱାଟ୍ସଆପ ଗୁଜବକୁ ନେଇ ଦେଶରେ ଅନେକ ବିବାଦ ଦେଖାଦେଇଛି । ହ୍ୱାଟ୍ସଆପ ଦ୍ୱାରା ବ୍ୟାପୁଥିବା ଗୁଜବ କାରଣରୁ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି । ଗତ କିଛି ମାସ ହେବ ପିଲା ଚୋରି ଗୁଜବ କାରଣରୁ ଅନେକ ଲୋକଙ୍କୁ ପିଟି ପିଟି ହତ୍ୟା କରିଦିଆଯାଇଛି । ଲୋକମାନେ ଶିକ୍ଷିତ ହୋଇଥିବା ସତ୍ୱେ ବି ବ୍ୟାପୁଥିବା ଗୁଜବକୁ ବୁଝିନପାରି ଅଚିହ୍ନା ବ୍ୟକ୍ତିମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ତେଣୁ ଏହି ଗୁଜବକୁ ରୋକିବା ପାଇଁ ହ୍ୱାଟ୍ସଆପ ଆରମ୍ଭ କରିଛି ଏକ ନୂଆ ଅଭିଯାନ । ଆପଣଙ୍କୁ ହ୍ୱାଟ୍ସଆପରେ ପଠାଯାଉଥିବା କିଛି ବିଷୟ, ସତ୍ୟ କି ନୁହେଁ ତାହା ନିଷ୍ପତି କରିବା ପାଇଁ ହ୍ୱାଟ୍ସଆପ କିଛି ପରାମର୍ଶ ଜାରି କରିଛି ।

ଆପଣଙ୍କୁ ଏକ ବାର୍ତ୍ତା ଫରୱାର୍ଡ କରାଯିବା ବେଳେ କଣ କରିବେ ଜାଣି ରଖନ୍ତୁ

ଚଳିତ ସପ୍ତାହରୁ ଆରମ୍ଭ କରି ହ୍ୱାଟ୍ସଆପ ଏକ ନୂଆ ବୈଶିଷ୍ଟ୍ୟ ପ୍ରଚଳନ କରିଛି ଯହା ଆପଣଙ୍କୁ କେଉଁ ବାର୍ତ୍ତା ଫରୱାର୍ଡ କରାଯାଇଛି ତାହା ଜଣାଇଥାଏ । ଯେତେବେଳେ ଫରୱାର୍ଡ କରାଯାଇଥିବା ମେସେଜଟି କିଏ ପଠାଇଛନ୍ତି ଜାଣିନଥିବେ ତେବେ ସେପରି ସ୍ଥିତିରେ ମେସେଜକୁ ଦୁଇଥିର ଯାଞ୍ଚ କରନ୍ତୁ ।

ଆପଣଙ୍କ ମାନସିକ ଅସାନ୍ତି ହେଉଥିବା ସୂଚନା ଉପରେ ପ୍ରଶ୍ନ କରନ୍ତୁ

ଯଦି ଆପଣ କିଛି ବିଷୟ ପଢନ୍ତି ଯାହା ଆପଣଙ୍କୁ କ୍ରୋଧାନ୍ୱି କିମ୍ବା ଭୟଭୀତ କରୁଥାଏ ତେବେ ସେପରି ପରିସ୍ଥିତିରେ ମେସେଜ ପଠାଇଥିବା ବ୍ୟକ୍ତିଙ୍କୁ ପ୍ରଶ୍ନ କରନ୍ତୁ କି ଏହା ଆପଣଙ୍କୁ ଭୟଭୀତ କରିବା ପାଇଁ ପଠାଯାଇଛି ନା ଏହା ପଛରେ ଆଉ କିଛି କାରଣ ରହିଛି । ପ୍ରଶ୍ନର ଉତ୍ତର ମିଳିବା ପରେ ମଧ୍ୟ ପଠାଯାଇଥିବା ମେସେଜକୁ ସେୟାର କରିବା ପୂର୍ବରୁ ଦୁଇଥର ଚିନ୍ତା କରନ୍ତୁ ଏହା ଅନ୍ୟଙ୍କୁ ଫରୱାର୍ଡ କରିବା ଠିକ ରହିବ କି ନାହିଁ । ଏହା ସହିତ ଅବିଶ୍ୱସନୀୟ ଲାଗୁଥିବା ସୂଚନା ଗୁଡିକୁ ଭଲ ଭାବେ ଯାଞ୍ଚ କରନ୍ତୁ । ଭିନ୍ନ ଲାଗୁଥିବା ବାର୍ତ୍ତା ଗୁଡିକ ପ୍ରତି ସତର୍କ ରୁହନ୍ତୁ ।

ଅନେକ ସମୟରେ ବିଭିନ୍ନ ପ୍ରକାର ଫଟୋ ଏବଂ ଲିଙ୍କ ୟୁଜର୍ସଙ୍କ ପାଖକୁ ଆସିଥାଏ । ତେଣୁ ସେଗୁଡିକୁ ଓପନ କିମ୍ବା ସେୟାର କରିବା ପୂର୍ବରୁ ଭଲଭାବେ ଯାଞ୍ଚ କରିନିଅନ୍ତୁ ।

ଅନ୍ୟ ଉତ୍ସଗୁଡିକୁ ବ୍ୟବହାର କରନ୍ତୁ

ଆପଣଙ୍କ ପାଖକୁ ଆସିଥିବା ଷ୍ଟୋରୀ ଅନ୍ୟ କେଉଁଠାରେ ରିପୋର୍ଟ କରାଯାଇଛି କି ନାହିଁ ଦେଖିବାକୁ ଅନ୍ୟ ନ୍ୟୁଜ ୱେବସାଇଟ କିମ୍ବା ଆପ୍ଲିକେସନ ଗୁଡିକ ଉପରେ ନଜର ପକାନ୍ତୁ । ଯେତେବେଳେ ଏହି ଷ୍ଟୋରୀ ଏକାଧିକ ସ୍ଥାନରେ ରିପୋର୍ଟ କରାଯାଇଥାଏ, ଏହା ସତ୍ୟ ହୋଇଥିବାର ଅନେକ ସମ୍ଭାବନା ଥାଏ ।

ବହୁ ସମୟରେ ମିଛ ଖବର ଭାଇରାଲ ହୋଇଥାଏ

ଆପଣ କେତେ ଥର ବାର୍ତ୍ତାଟିକୁ ପ୍ରାପ୍ତ କରୁଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । କେବଳ ଗୋଟିଏ ବାର୍ତ୍ତା ଅନେକ ଥର ସେୟାର କରାଯାଉଥିବା କାରଣରୁ ଏହା ସତ୍ୟ ବୋଲି ଧରାଯିବା ଉଚିତ ନୁହେଁ । ତେଣୁ ଯଦି ହ୍ୱାଟ୍ସଆପର ପ୍ରତିଟି ଜିନିଷ ଉପରେ ନଜର ରଖାଯାଏ ତେବେ ଗୁଜବକୁ ବ୍ୟାପିବାରେ ରୋକାଯାଇ ପାରିବ ବୋଲି ଆଶା କରାଯାଉଛି ।