ଦାରିଦ୍ର୍ୟର ତାଡ଼ନାରେ ଛାଡ଼ିବା ପାଇଁ ପଡ଼ିଥିଲା ଘର : ଏବେ ଫୁଲ ଚାଷ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଶ୍ରୀକାନ୍ତ

45

ଏ କାହାଣୀ ଜଣେ ଏପରି କୃଷକର ଯିଏ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ପାରମ୍ପରିକ ଚାଷ ନକରି ସେ କିଛି ନୂଆ କରିବା ପାଇଁ ଚେଷ୍ଟା କରିଥିଲେ । ଆଉ ଆଜି ସେ ପ୍ରଗତିଶୀଳ କୃଷକଙ୍କ ପାଇଁ ରୋଲା ମଡ଼େଲ ହୋଇପାରିଛନ୍ତି । ଫୁଲ ଚାଷ କରି କୋଟିପତି ହୋଇପାରିଛନ୍ତି ତେଲେଙ୍ଗାନାର ଏକ ଛୋଟ ସହରର ବୋଲାପଲ୍ଲୀ ଶ୍ରୀକାନ୍ତ । ଆଧୁନିକ ପ୍ରଣାଳୀରେ ସେ ଫୁଲ ଚାଷ ଆରମ୍ଭ କରିଥିଲେ । ଆଉ ଆଜି ଫୁଲ ଚାଷ କରି କୋଟି କୋଟି ଟଙ୍କା ରୋଜଗାର କରିପାରୁଛନ୍ତି ।

ତେଲେଙ୍ଗାନାର ଏକ ଛୋଟ ସହରର ବାସିନ୍ଦା ହେଲେ ବୋଲାପଲ୍ଲୀ ଶ୍ରୀକାନ୍ତ । ସେ ପ୍ରଥମରୁ ଚାହୁଁଥିଲେ ନିଜ ଚାଷଜମିରେ ଚାଷ କରିବେ । କିନ୍ତୁ ତାଙ୍କର ପରିବାର ସ୍ଥିତି ବିଲକୁଲ ଭଲ ନଥିଲା । ନିଜ ଚାଷ ଜମି କିଣିବା ତାଙ୍କ ପାଇଁ ସ୍ୱପ୍ନ ପରି ଥିଲା । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ତାଙ୍କୁ ନିଜ ସହର ଛାଡ଼ିବା ପାଇଁ ପଡ଼ିଥିଲା । ୧୯୯୫ରେ ସେ ବେଙ୍ଗାଲୁରୁ ପଳାଇ ଆସିଥିଲେ । ଆଉ ସେଠାରେ ଏକ ଫୁଲ ଚାଷ ସହ ଜଡ଼ିତ କମ୍ପାନୀରେ ସୁପରଭାଇଜର ରୂପେ କାମ ଆରମ୍ଭ କରିଥିଲେ । ତେବେ ସେତେବେଳେ ତାଙ୍କର ଦରମା ଥିଲା ମାତ୍ର ୧୦୦୦ ଟଙ୍କା ।

ତେବେ ସେ ସେଠାରେ ନିଷ୍ଠାର ସହ କାମ କରିଥିଲେ । ବୈଜ୍ଞାନିକ ଉପାୟରେ କିପରି ଫୁଲ ଚାଷ କରାଯାଏ ସେ ନେଇ ସମସ୍ତ ତଥ୍ୟ ଏକାଠି କରିଥିଲେ । ସେ ସେଠାରେ ସୁପରଭାଇଜର ଥିବାରୁ ସେପରି କିଛି ଅସୁବିଧା ହୋଇନଥିଲା । ୨ ବର୍ଷ ମଧ୍ୟରେ ସେ ୨୪ ହଜାର ଟଙ୍କା ଯୋଗାଡ଼ କରିପାରିଥିଲେ । ଏବଂ ବେଙ୍ଗାଲୁରୁରେ ହିଁ ନିଜର ଏକ ଛୋଟ ବେପାର ଆରମ୍ଭ କରିଥିଲେ । ପ୍ରଥମେ ସେ ନିଜେ ସବୁ କାମ କରୁଥିଲେ । ପରେ ବ୍ୟବସାୟ ବଢ଼ିବା ପରେ ସେ କିଛି ଲୋକଙ୍କୁ ମଧ୍ୟ ନିଜ ଅଧିନରେ ରଖିଥିଲେ ।

ଅନେକ ଦିନ ଫୁଲ ବ୍ୟବସାୟ କରି ସେ ଟଙ୍କା ସଂଚୟ କଲେ ଓ ୧୦ ଏକର ଜମି କିଣିଲେ । ବୈଜ୍ଞାନିକ ପଦ୍ଧତିରେ ଫୁଲ ଚାଷ ଆରମ୍ଭ କରିଦେଲେ । ତେବେ ଆଜି ତାଙ୍କ ବ୍ୟବସାୟ ବଢ଼ି ବଢ଼ି, ସେ ଏବେ ୩୦ ଏକର ଜମିରେ ଫୁଲର ଚାଷ କରୁଛନ୍ତି । ଗତ ବର୍ଷ ଫୁଲ ଚାଷରୁ ସେ ୯ କୋଟି ଟଙ୍କା ଏବଂ ଚଳିତ ବର୍ଷ ୧୨ କୋଟି ଟଙ୍କା ଲାଭ କରି ପାରିଛନ୍ତି । ଏବେ ସେ ୪୦ ଜଣ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇ ପାରିଛନ୍ତି ।