ବାତ୍ୟା ପରେ ବନ୍ୟା ଆସିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ପସିଲା ବନ୍ୟାଜଳ, ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଶହଶହ ଲୋକ

140

କନକ ବ୍ୟୁରୋ : ବାତ୍ୟା ଟଳିଗଲା , ହେଲେ ବଢିଲାଣି ବନ୍ୟା ଭୟ । ବିଶେଷ କରି ଦକ୍ଷିଣ ଓଡିଶାରେ ୨ ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ବନ୍ୟା ଆଶଙ୍କା ବଢାଇଦେଇଛି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ରୁଷିକୁଲ୍ୟା । ଭଂଜନଗର, ଆସ୍କା ଏବଂ ସୋରଡା, ରୁଷିକୁଲ୍ୟାର ବନ୍ୟାଜଳରେ ଫସିରହିଛି । ଶହ ଶହ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ସେପଟେ ଫୁଲୁଛି ଜଳକା । ବାଲେଶ୍ୱରର ବସ୍ତା ଅଂଚଳରେ ଜଳକା, ବିପଦ ସଙ୍କେତ ଟପିଛି ।

ଗାଁ ଭିତରେ ପାଣିର ପ୍ରବଳ ସ୍ରୋତ । ନଦୀର ବନ୍ୟାଜଳ ମାଡି ଚାଲିଛି । ଘରଦ୍ୱାର ବୁଡି ରହିଛି । ବନ୍ୟା ଜଳ କେତେବେଳେ ବ୍ରିଜକୁ ଭସାଇନେବ କହିହେବନି । ବାତ୍ୟା ପ୍ରଭାବରେ ଦୁଇ ଦିନର ଲଗାଣ ବର୍ଷା ହାଲ୍ ବେହାଲ କରିଦେଇଛି । ଋଷିକୂଲ୍ୟାର ବନ୍ୟାଜଳ ପଶିଛି ଭଂଜନଗରର ୧୦ରୁ ଅଧିକ ପଂଚାୟତରେ । ଲୋହରାଖଣ୍ଡି, ବଡ ନଦୀ ଓ ବୋଡା ନଦୀର ବନ୍ୟା ଜଳରେ ଫଶିରହିଛନ୍ତି ଶହ ଶହ ଲୋକ । ବ୍ରିଜ୍ ଉପରେ ୪ ଫୁଟର ପାଣି ଚାଲିଛି । ଫଳରେ

ବ୍ରହ୍ମପୁର-ଭଂଜନଗର, ସୋରଡା-ଭଂଜନଗର, ଦଶପଲା-ଭଂଜନଗର, ଭୁବନେଶ୍ୱର-ଭଂଜନଗରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏପଟେ ଶେରଗଡର ଚଷାମହୁଲି ଗାଁ ଭିତରେ ବି ବନ୍ୟା ଜଳ ପଶିଛି । କେନାଲ ଓ ପାହାଡରୁ ଆସୁଥିବା ପାଣିରେ ବୁଡିଯାଇଛି ୨ଶହରୁ ଅଧିକ ଘର ।

୨ ଦିନର ଲଗାଣ ବର୍ଷାରେ ଦକ୍ଷିଣ ଓଡିଶାର କିଛି ନଦୀର ଜଳସ୍ତର ବଢିଯାଇଛି । ବିଶେଷ କରି ବିପଦ ସଙ୍କେତ ଉପରେ ବହୁଛି ରୁଷିକୂଲ୍ୟା । ଆସ୍କା ଓ ଭଂଜନଗର ଅଂଚଳରେ ନଦୀର ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେପଟେ ଫୁଲୁଛି ଜଳକା । ବାଲେଶ୍ୱର ବସ୍ତାର ମଥାନିରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ରାଜ୍ୟରେ ବର୍ତମାନ ବନ୍ୟା ସ୍ଥିତି ଉପୁଜିନଥିବା ସ୍ପଷ୍ଟ କରିଛନ୍ତି ଜଳସମ୍ପଦ ସଚିବ । ଏପଟେ ବାତ୍ୟା ତିତଲି ପ୍ରଭାବରେ କୋଣାର୍କ ରାମଚଣ୍ଡି ରାସ୍ତାକୁ ସମୁଦ୍ର ପାଣି ମାଡି ଆସିଛି । ଏପରିକି ରାମଚଣ୍ଡି ଜଳ ଉଦ୍ଧାରକାରୀ ଟ୍ରେନିଂ ସେଣ୍ଟରରେ ପଶିଯାଇଛି ସମୁଦ୍ର ପାଣି ।