ତେଜୁଛି ଚାଷୀ ଆନ୍ଦୋଳନ ! ୨୦୧୯ ନିର୍ବାଚନରେ ପଡ଼ିବ କି ଏହାର ପ୍ରଭାବ, କ’ଣ କରିବେ ସରକାର ?

ପ୍ରାଇସ,ପେନସନ ଏବଂ ପ୍ରେଷ୍ଟିଜ ଦାବି କରି ହଜାର ହଜାର ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଚାଷୀ ଆନ୍ଦୋଳନ ଆଗାମୀ ୨୦୧୯ ନିର୍ବାଚନରେ କେଉଁଭଳି ପ୍ରଭାବ ପକାଇବ ତାହାକୁ ନେଇ ଏବେଠୁ ଚର୍ଚ୍ଚା । କାରଣ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିବାକୁ ବିରୋଧୀମାନେ ପ୍ରସ୍ତୁତି କରିଲେଣି ।

375

କନକ ବ୍ୟୁରୋ: ତେଜୁଛି ଚାଷୀ ଆନ୍ଦୋଳନ । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଆଜି ନୂଆ ମୋଡ଼ ନେଇଛି। ଚାଷୀଙ୍କ ଅଭିଯୋଗ ସେମାନଙ୍କୁ ରାଜଧାନୀକୁ ପ୍ରବେଶ କରିଦେଉ ନାହାନ୍ତି ରାଜ୍ୟ ସରକାର । ପୂର୍ବରୁ ରାଜଧାନୀରେ ସଂଗଠନ ବିଶାଳ ସମାବେଶ କରିବା ନେଇ ଅବଗତ କରିଲା । କୃଷି ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ପ୍ରତି ଚାଷୀ ପରିବାରକୁ ମାସିକ ସହାୟକ ଭତା ୫ହଜାର ଟଙ୍କା ଓ ସମ୍ମାନ ଦାବିକୁ ନେଇ ରଜଧାନୀରେ ଏହି ମହାସମାବେଶ କରିବା ନେଇ ନିର୍ମାଣ କୃଷକ ସଂଗଠନ ନିଷ୍ପତି ନେଇଥିଲା ସଂଗଠନ । ଚାଷୀ ସଂଗଠନ ନେତା ଅକ୍ଷୟ କୁମାର କହିବା ମୁତାବକ ରାଜ୍ୟ ସରକାରଙ୍କ ସହିତ ଆଲୋଚନାକୁ ଯିବାକୁ ସଂଗଠନ ପ୍ରସ୍ତୁତ ଅଛି। କିନ୍ତୁ ତା ପୂର୍ବରୁ ଚାଷୀଙ୍କ ସୁରକ୍ଷା ଭତ୍ତା ବା ପେନସନ୍ ଦେବା ସଂପର୍କରେ ସରକାର ପ୍ରଥମେ ନିଷ୍ପତ୍ତି ନିଅନ୍ତୁ। ୩୬ଲକ୍ଷ ଚାଷୀଙ୍କ ପାଇଁ ୨୧ହଜାର ୬୦୦ କୋଟି ଟଙ୍କା ଆବଶ୍ୟକ। ସରକାର ଏହି ଭତ୍ତା ଦେବା ଲାଗି ଅଧ୍ୟାଦେଶ ଜାରି କରିବା ପରେ ଯାଇ ଆଲୋଚନାକୁ ଯିବୁ।

ତେବେ ଗତକାଲି ସନ୍ଧ୍ୟାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ନବ ନିର୍ମାଣ କୃଷକ ନେତାମାନଙ୍କୁ ହଂସପାଳ ଛକ ନିକଟରେ ଭେଟି ଆଲୋଚନା କରିଥିଲେ । ଚାଷୀଙ୍କର ଆନ୍ଦୋଳନ ସଂପର୍କରେ ଆଲୋଚନାକୁ ଆସିବା ଲାଗି ସରକାରଙ୍କ ପକ୍ଷରୁ ଚାଷୀ ନେତାମାନଙ୍କୁ ଅନୁରୋଧ କରିଥିଲେ ଅର୍ଥମନ୍ତ୍ରୀ । ରାଜ୍ୟ ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଘୋଷଣା କରିବେ ଓ ଏହି କମିଟି ଚାଷୀଙ୍କ ସହିତ ଆଲୋଚନା କରିବବୋଲି ସରକାରଙ୍କ ତରଫରୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ଅର୍ଥମନ୍ତ୍ରୀ କହିଥିଲ ଯେ ସରକାର ଚାଷୀଙ୍କ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଆଉ ଯେଉଁ ସବୁ ଦାବି ରହିଛି, ତାକୁ ଆଲୋଚନା ଭିତ୍ତିରେ ଆଗକୁ ନିଆଯିବ।

ଅନ୍ୟପଟେ ତେବେ ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ଚାଷୀ ଆନ୍ଦୋଳନ ମୁଖ୍ୟ ପ୍ରସଙ୍ଗ ପାଲଟିପାରେ । ଏବଂ ରାଜ୍ୟ ସରକାରଙ୍କ ବାଟ ଓଗାଳି ପାରନ୍ତି ଚାଷୀ ପରିବାର । ବିଭିନ୍ନ ସମୟରେ ବିରୋଧୀମାନେ ଚାଷ ଓ ଚାଷୀଙ୍କ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି । ଏବେ ଯଦି ସରକାର ଚାଷୀଙ୍କ କ୍ଷେତ୍ରରେ ସ୍ୱତନ୍ତ୍ର ପଦକ୍ଷେପ ନନିଅନ୍ତି ତେବେ ଆଗକୁ ଆସୁଥିବା ନିର୍ବାଚନରେ ବିରୋଧୀଙ୍କ ପାଇଁ ଖୋରାକ ଯୋଗାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।